ଆଡଭାଇଜରି ଜାରି ପରେ ବି ଥମୁନି ପିଲାଚୋରି ଆତଙ୍କ ! ଓଡିଶା ଛତିଶଗଡ ସୀମାନ୍ତରେ ମାରଣାସ୍ତ୍ର ଧରି ରାତିରେ ବୁଲୁଛନ୍ତି ଠେଙ୍ଗାବାହିନୀ

29

କନକ ବ୍ୟୁରୋ : ଆଡଭାଇଜରି ଜାରି ପରେ ବି ଥମୁନି ପିଲା ଚୋରି ଆତଙ୍କ । ଗାଁକୁ ଗାଁ ଏବେ ଏହା ବ୍ୟାପୀବାରେ ଲାଗିଛି । ଓଡିଶା ଛତିଶଗଡ ସୀମାନ୍ତରେ ମାରଣାସ୍ତ୍ର ଧରି ରାତିରେ ବୁଲୁଛନ୍ତି ଠେଙ୍ଗାବାହିନୀ । ରାତି ତମାମ ଏମାନେ ଜଗି ରହୁଛନ୍ତି । ଯଦି କେହି ଅଜଣା ବ୍ୟକ୍ତି ଗାଁକୁ ଆସୁଛନ୍ତି ତାଙ୍କୁ ଅଟକାଇ ପଚରାଉଚରା କରୁଛନ୍ତି ।

ସୂଚନାଯୋଗ୍ୟ  ପିଲାଚୋର ସନ୍ଦେହରେ ପ୍ରତିଦିନ ସାମ୍ନାକୁ ଆସୁଥିବା ମରଣାନ୍ତକ ଆକ୍ରମଣ ଖବର ପୋଲିସର ନିଦ ହଜାଇ ଦେଇଛି । ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ମାତ୍ରେ ତାତି ଉଠୁଛି ଭିଡ । ଆଉ ସଫ୍ଟ ଟାର୍ଗେଟ ପାଲଟୁଛନ୍ତି ଓଡିଆ କହିପାରୁନଥିବା କିମ୍ବା ମାନସିକ ଭିନ୍ନକ୍ଷମ ବ୍ୟକ୍ତି । ସୋସିଆଲ ମିଡିଆରେ ବ୍ୟାପି ଚାଲିଥିବା ଗୁଜବକୁ ରୋକିବା ପୋଲିସ ପକ୍ଷରେ ସମ୍ଭବ ହେଉନଥିବା ବେଳେ ଜାରି ହୋଇଛି ଆଡଭାଇଜରୀ । ପୋଲିସ ଡିଜି କହିଛନ୍ତି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସକୁ ଖବର ଦିଅନ୍ତୁ । ଆଇନକୁ ହାତକୁ ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପିଲା ଚୋରି ଖବର ଗୁଜବ ବୋଲି କହିଛନ୍ତି ପୁଲିସ ଡିଜି । ଏନେଇ ପୁଲିସ ଏକ ଆଡଭାଇଜରି ଜାରି କରିଛି । ଯେଉଁଥିରେ କୁହାଯାଇଛି…

– ରାଜ୍ୟରେ କୌଣସି ପିଲା ଚୋରି ରାକେଟ ସକ୍ରିୟ ନାହିଁ । ଏହା ମିଥ୍ୟା ଗୁଜବ

– ଏପରି ଖବର ହ୍ୱାଟ୍ସଆପ କିମ୍ବା ଫେସବୁକରେ ପଠାଇବା ଦଣ୍ଡନୀୟ ଅପରାଧ

– ଓଡିଆ ଜାଣିନଥିବା ବାହାର ରାଜ୍ୟର ଲୋକଙ୍କୁ ପିଲାଚୋର ଭାବିବା ଠିକ ନୁହେଁ

– ଡାକ୍ତରଙ୍କ ବିନା ପରାମର୍ଶରେ ଆଖି, ଯକୃତ, ହୃତପିଣ୍ଡ କାଟିଲେ ତାହା ବ୍ୟବହାର ଉପ ଯୋଗୀ ହେଇନଥାଏ

– ଓଡିଆ ଜାଣିନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସକୁ ଖବର ଦେବାକୁ ପରାମର୍ଶ