କଅଁଳ ଶିଶୁର ମୃତଦେହକୁ ଧରି ଶାଶୂଘର ବାରଣ୍ଡାରେ ଧାରଣାରେ ବସିଲା ମାଆ : ସ୍ୱାମୀ ଓ ପରିବାର ଲୋକେ ଘରେ ତାଲା ପକାଇ ଫେରାର୍

34

କନକ ବ୍ୟୁରୋ : କଅଁଳ ଶିଶୁର ମୃତଦେହକୁ ଧରି ସ୍ୱାମୀର ଘର ବାରଣ୍ଡାରେ ଧାରଣାରେ ବସିରହିଲା ମାଆ । ଆଉ ସ୍ୱାମୀର ପରିବାର ଲୋକେ ଘରେ ତାଲା ପକାଇ ଫେରାର୍ ହୋଇଗଲେ । ସେପଟେ ଏକ ମୃତଦେହ ପଡିଥିବାରୁ ଖିଆପିଆ ବି କରି ପାରୁନଥିଲେ ଗାଁ ଲୋକେ । ଦୀର୍ଘ ୧୫ ଘଂଟାରୁ ଅଧିକ ସମୟ ଧରି ଏଭଳି ସ୍ଥିତି ଲାଗି ରହିବା ପରେ ଶେଷରେ ଶିଶୁର ମୃତଦେହକୁ ଗ୍ରହଣ କରି ଶେଷକୃତ୍ୟ ସଂପନ୍ନ କରିଥିଲେ ସ୍ୱାମୀର ପରିବାର ଲୋକେ ।

ସ୍ୱାମୀ-ସ୍ତ୍ରୀ କଳିରେ ବାଜି ଲାଗିଲା ନବଜାତକର ମୃତଦେହ । ମାତ୍ର ୫ ଦିନର କଅଁଳ ଶିଶୁର ମୃତଦେହକୁ ଧରି ଧାରଣାରେ ବସିରହିଲା ମାଆ । ଶାଶୂଘର ବାରଣ୍ଡାରେ ସ୍ତ୍ରୀ ଧାରଣାରେ ବସିଥିବାବେଳେ ସ୍ୱାମୀର ପରିବାର ଲୋକେ ହୋଇଗଲେ ଫେରାର୍ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ବାରବାଟି ଗାଁରେ । ବାରବାଟୀର ଅର୍ଜୁନଙ୍କୁ ବିବାହ କରିଥିଲେ ନିକଟସ୍ଥ ଡାଳିଆମଡା ଗାଁର ଝିଅ ଲିପି । ସ୍ୱାମୀଙ୍କ ସହ ମନୋମାଳିନ୍ୟ ଯୋଗୁ ୬ ମାସ ତଳୁ ବାପ ଘରେ ରହୁଥିବା ଲିପି ଜନ୍ମ ଦେଇଥିଲେ ଏକ ପୁତ୍ର ସନ୍ତାନକୁ । ହେଲେ ମାତ୍ର ୫ ଦିନ ପରେ ଆଖି ବୁଜିଥିଲା ନବଜାତକ ।

ପାରିବାରିକ କଳହ ଯୋଗୁ ଗତ ୬ ମାସ ତଳେ ଓକିଲଙ୍କ ଜରିଆରେ ସତ୍ୟପାଠ କରାଇ ଲିପିଙ୍କୁ ନେଇଯାଇଥିଲେ ତାଙ୍କ ବାପଘର ଲୋକେ । ତେବେ ମୃତ ସନ୍ତାନର ଶେଷକୃତ୍ୟ ପାଇଁ ସଂପର୍କୀୟଙ୍କ ସହ ଶାଶୂଘରକୁ ଆସିଥିଲେ ଲିପି । ଆଉ ଶାଶୂଘର ଲୋକେ ଫେରାର ଥିବାରୁ ଗାଁ ଭିତରେ ମୃତଦେହ ପୋତିବାକୁ ଅଡି ବସିଥିଲେ । ହେଲେ ଏମିତି ଏକ ଅଡୁଆ ପରିସ୍ଥିତିରେ ପୋଲିସକୁ ଅପେକ୍ଷା କରିଥିଲେ ଗ୍ରାମବାସୀ । ଶେଷରେ ପୋଲିସର ହସ୍ତକ୍ଷେପ ପରେ ଶିଶୁଟିର ହୋଇଛି ଶେଷକୃତ୍ୟ । ତେବେ ଦୀର୍ଘ ୧୫ ଘଂଟା ଧରି ମୃତ ଶିଶୁ ସହ ମାଆ ଧାରଣାରେ ବସିବା ଯେତିକି ସମ୍ବେଦନଶୀଳ ସେତିକି ତଦନ୍ତ ସାପେକ୍ଷ ।

ଦେଖନ୍ତୁ ଏହି ଭିଡ଼ିଓ –