ଗୋରଖପୁର ବାବା ରାଘବ ଦାସ ମେଡିକାଲରେ ଶିଶୁ ମୃତ୍ୟୁ ଘଟଣା : ୪୮ ଘଂଟାରେ ୩୦ ଶିଶୁଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

31

କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଜୀବନ ହାରିଲେ ଶିଶୁ । ଉତ୍ତରପ୍ରଦେଶ ଗୋରଖପୁରରେ ୪୮ଘଂଟା ମଧ୍ୟରେ ଲିକ୍ୟୁଡ୍ ଅକ୍ସିଜେନ ଅଭାବରୁ ୩୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିିବା ଅଭିଯୋଗ ହୋଇଛି । ଗୋରଖପୁରରେ ଥିବା ବାବା ରାଘବ ଦାସ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ଏହି ଶିଶୁଙ୍କର ମୃତ୍ୟୁ ହୋଇଛି ।

ଆଜି ସକାଳୁ ପୁଣି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ଛାନଭିନ କରିବା ପାଇଁ ଏକ ଟିମ ଗଠନ କରାଯାଇଛି । ଏହି ଟିମ୍ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବ । ଶିଶୁଙ୍କ ମୃତ୍ୟୁ ନେଇ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଓ ବୈଷୟିକ ଓ ମେଡିକାଲ ଶିକ୍ଷା ମନ୍ତ୍ରୀ ଆଶୁତୋଷ ଟଣ୍ଡନ । ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଶିଶୁଙ୍କ ମୃତ୍ୟୁ ନେଇ କାରଣ ଖୋଜା ଚାଲିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ତେବେ ଘଟଣା ପଛରେ ଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ସିଦ୍ଧାର୍ଥ ନାଥ ସିଂହ ଏବଂ ବୈଷୟିକ ଓ ମେଡିକାଲ ଶିକ୍ଷା ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଆଜି ବାବା ରାଘବ ଦାସ ମେଡିକାଲ ପରିଦର୍ଶନ କରିବେ ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଅବଗତ କରିବେ । ସେପଟେ ଏହି ଘଟଣାକୁ ନେଇ ବିରୋଧୀ ରାଜନୀତି ନକରନ୍ତୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।