କୋଟିଏ ଟଙ୍କାର ଭେଂଟିଲେଟର କିଣି ଆଣିବାକୁ କହିଲେ ଡାକ୍ତର : ଚିକିତ୍ସା ଅଭାବରୁ ଦେଢ଼ ବର୍ଷୀୟା ଶିଶୁ କନ୍ୟାର ହେଲା ମୃତ୍ୟୁ

164

ମଧ୍ୟ ପ୍ରଦେଶର ସାଗର ସଂଭାଗର ସବୁଠାରୁ ବଡ ବୁନ୍ଦେଲଖଣ୍ଡ ମେଡିକାଲ କଲେଜରେ ଏକ ଦେଢ଼ ବର୍ଷର ଶିଶୁ କନ୍ୟାର ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି । ଶିଶୁକୁ ଚିକିତ୍ସା ପାଇଁ ଆଣିଥିବା ପରିବାର ଲୋକଙ୍କ ସାମନାରେ ଶିଶୁ ବିଭାଗରେ ଡ୍ୟୁଟି କରୁଥିବା ଡାକ୍ତର ଜ୍ୟୋତି ଏମିତି ଦାବି ରଖିଲେ କି, ଯାହାକୁ ଶୁଣି ପରିବାର ଲୋକଙ୍କ ହୋସ ଉଡିଗଲା । ପରିବାର ଲୋକ ଶିଶୁର ଚିକିତ୍ସା ପାଇଁ ଅନୁରୋଧ କରିବାରୁ ଡାକ୍ତର କହିଲେ କି, “ପ୍ରଥମେ ୧ କୋଟିର ଭେଣ୍ଟିଲେଟର ମେସିନ୍ କିଣିକି ଆଣ, ତେବେ ହିଁ ଶିଶୁର ଚିକିତ୍ସା ହୋଇପାରିବ ।” ଡାକ୍ତରଙ୍କ ଏମିତି ବ୍ୟବହାର ଦେଖି ଶିଶୁର ପରିବାର ଲୋକ ଅସୁବିଧାରେ ପଡିଗଲେ ଏବଂ ଡାକ୍ତରଙ୍କ ଅବହେଳା କାରଣରୁ କିଛି ସମୟରେ ଶିଶୁର ମୃତ୍ୟୁ ହୋଇଗଲା । ଯାହାପରେ ପରିଜନ ଡାକ୍ତରଙ୍କ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି । ଡାକ୍ତର ଓ ମେଡିକାଲ ପ୍ରଶାସନକୁ ଦାୟୀ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମେଡିକାଲ ବାହାରେ ମୃତ ଶିଶୁର ଶବ ରଖି ଆକ୍ରୋଶ ଜାହିର କରିଛନ୍ତି ।

ସୂଚନାଯୋଗ୍ୟ, କର୍ରାପୁରର ଦେବେନ୍ଦ୍ର ଅହିରବାରଙ୍କ ଝିଅ ଖେଳୁଥିବା ସମୟରେ ଗରମ ପାଣି ସଂସ୍ପର୍ଶରେ ଆସିଗଲା । ଯାହା ପରେ ଶିଶୁର ପରିବାର ଲୋକ ବୁନ୍ଦେଲଖଣ୍ଡ ମେଡିକାଲକୁ ଚିକିତ୍ସା ପାଇଁ ନେଲେ । ପରିବାର ଲୋକ ଅଭିଯୋଗ ଆଣିଛନ୍ତି କି ତାଙ୍କ ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ସେମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ କହିଥିଲେ । ଡାକ୍ତରମାନେ ଶିଶୁକୁ ସେଇଠି ଭର୍ତ୍ତି ତ କରିଦେଲେ, କିନ୍ତୁ ଅଧିକ ସମୟ ଧରି ଚିକିତ୍ସା ନହେବାରୁ ଶିଶୁର ମୃତ୍ୟୁ ହୋଇଗଲା ।