ଜଙ୍ଗଲୀ ନ୍ୟାୟ ! ଗୁଜବ ଆଧାରରେ ଅସହାୟ ମହିଳାଙ୍କୁ ପିଟିପିଟି ମାରିଦେଲେ ଲୋକେ

61

କନକ ବ୍ୟୁରୋ : ଅସହିଷ୍ଣୁତାର ସୀମା ଟପିଗଲେ ଉତ୍ୟକ୍ତ ଜନତା । ଅସହାୟ ମହିଳାଙ୍କ ଉପରେ ଅମାନବୀୟ ଭାବେ କଲେ ଆକ୍ରମଣ । କେବଳ ଅଭିଯୋଗ ଆଧାରରେ ପୋଲିସ ଓ ଆଇନ, କାନୁନକୁ ଭୃକ୍ଷେପ ନକରି ନିଜେ ଦେଲେ ଶାସ୍ତି । ଛୁଆ ଚୋରୀ ଅଭିଯୋଗରେ ମହିଳା ରାତିତମାମ ବନ୍ଧା ହୋଇଥିବା ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଆଖପାଖ ଗାଁରୁ ମଧ୍ୟ ଲୋକ ରୁଣ୍ଡ ହୋଇଥିଲେ ଗାଁ ମୁଣ୍ଡ ଛକରେ । ଲୋକଙ୍କ ରାଗ ଥିଲା ପଂଚମରେ । ପିଲାଠୁ ବୁଢା ଯିଏ ଯାହା ପାଇଲା ସେଥିରେ ମହିଳାଙ୍କୁ ମାଡ ମାରିଥିଲେ ।

ପଛୁଆ ଇଲାକାରେ ଜନତାଙ୍କ ଜଙ୍ଗଲି ନ୍ୟାୟର ଏଭଳି ଚିତ୍ର ସଭ୍ୟ ସମାଜର ମୁଣ୍ଡ ନୁଆଁଇ ଦେଇଛି । ମୟୁରଭଞ୍ଜ ଜିଲ୍ଲାରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଅସହାୟ ମହିଳାଙ୍କ ଜୀବନ ଚାଲିଯାଇଛି । ଆଉ ଗୁଜବ କିଭଳି ଗୁରୁତର ହୋଇପାରେ ତାର ପ୍ରମାଣ ଦେଖିବାକୁ ମିଳିଛି । ସେପଟେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ୩୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି ।

ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଲୋକଙ୍କ ଆଚରଣକୁ ନେଇ ଉଠିଛି ପ୍ରଶ୍ନ..

– ଆଇନକୁ ହାତକୁ ନେଇ ମହିଳାଙ୍କୁ ମାଡ ମାରିବାର ଅଧିକାର ଦେଲା କିଏ ?

– ଜଣେ ଅସହାୟ ମହିଳାଙ୍କ ପ୍ରତି ଲୋକେ ଏତେ ନିର୍ଦ୍ଦୟ ହେଲେ କିପରି?

– ଗୁଜବ ଆଧାରରେ ମହିଳାଙ୍କୁ ପିଟିପିଟି ମାରିଦେବା କେତେଦୂର ଗ୍ରହଣୀୟ?

– ଏମାନଙ୍କ ବିରୋଧରେ ହତ୍ୟା ଅପରାଧ ଭଳି ମାମଲା ଲାଗିବ ନାହିଁ କି?

ଗତମାସ ଝାଡଖଣ୍ଡରେ ଦେଖିବାକୁ ମିଳିଥିଲା ଏହିଭଳି ହୃଦୟବିଦାରକ ଦୃଶ୍ୟ । ଛୁଆଚୋରୀ ନେଇ ହ୍ୱାଟ୍ସଆପରେ ଗୁଜବ ଜାମସେଦପୁରରେ ୭ ଜଣଙ୍କ ଜୀବନ ନେଇଥିଲା । କେବଳ ସନ୍ଦେହ ଆଧାରରେ ମାଡ ମାରି ଲହୁଲୁହାଣ କରିପକାଇଥିଲେ । ଏସବୁ ଘଟଣା କେବଳ ସମବେଦନାର ଅଭାବ କହିଲେ କିଛି ଭୁଲ ହେବନାହିଁ । ଅସହିଷ୍ଣୁତା ଆଉ ଧୈର୍ଯ୍ୟର ଅଭାବ ଧୀରେ ଧୀରେ ଏଭଳି ଗୋଟିଏ ଗୋଟିଏ ଘଟଣା ସାମ୍ନାକୁ ଆଣୁଛି, ଯେଉଁଠି ପଦୁଟିଏ ଗୁଜବ ଜଣଙ୍କର ଜୀବନ ନେଉଛି ।