ଚକଡ଼ା କ୍ଷତି ଭରିବ କୁକୁଡ଼ା ! ୨୦୧୭ରେ ଚକଡ଼ା ପୋକ ଯୋଗୁଁ କ୍ଷତି ସହିଥିବା ଚାଷୀଙ୍କୁ କୁକୁଡ଼ା ଚିଆଁ ଉପହାର ।

32

କନକ ବ୍ୟୁରୋ: ଚକଡ଼ା ପାଇଁ ଚାଷୀଙ୍କୁ ମିଳିଲା କୁକୁଡ଼ା । ସମ୍ବଲପୁର ଜିଲ୍ଲାରେ ଚକଡା ତାର ପ୍ରାର୍ଦୁଭାବ ଦେଖାଇ ସାରିଥିବା ବେଳେ ୨୦୧୭ ମସିହାରେ ଚକଡାରେ ଆକ୍ରାନ୍ତରେ କ୍ଷତି ଖାଇଥିବା ଚାଷୀଙ୍କୁ ମାଗଣାରେ ଯୋଗେଇ ଦିଆଯାଉଛି କୁକୁଡା ଚିଆଁ । କୁକୁଡା ଚାଷ ଦ୍ୱାରା କ୍ଷତି ଭରଣ ପାଇଁ ଚାଲିଛି ପଦକ୍ଷେପ । ଚାଷୀଙ୍କୁ କୁକୁଡା ଚିଆଁ ଦେଲା ପ୍ରଶାସନ । ଧାନ ଚାଷର କ୍ଷତି ଭରଣା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛି ସମ୍ବଲପୁର ପ୍ରଶାସନ । ଚକଡା ପୋକ ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀଙ୍କୁ କୁକୁଡା ଚାଷ କରିବା ପାଇଁ ଚିଆଁ ଯୋଗାଇ ଦିଆଯାଉଛି ।

୨୦୧୭ମସିହା ଖରିଫ ଋତୁରେ ସମ୍ବଲପୁର ଚାଷ ଜମିରେ ଦେଖିବାକୁ ମିଳିଥିଲା ଚକଡା ଚଡକ । ଜିଲ୍ଲାର ଶହଶହ ହେକ୍ଟର ଜମିରେ ଧାନ ମହାମାରୀ ଚକଡା ପୋଲ ଲାଗିବାରୁ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଫସଲ ଉଜୁଡି ଯିବା ପରେ ଚାଷୀକୂଳ ହତାସ ହୋଇପଡିଥିଲେ । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ବାବଦକୁ କୁକୁଡା ଚିଆଁ ଯୋଗାଇ ଦିଆଯାଉଛି ।

ଚକଡା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କୁ କୁକୁଡା ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଚାରପାଲି ଅଂଚଳରେ ୧୨୦ଜଣ ଚାଷୀଙ୍କୁ କୁକୁଡା ଚିଆଁ ଦେଇଛି ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କୁ ୨୫ଟି ଲେଖାଏଁ କୁକୁଡା ଚିଆଁ ଦିଆଯାଇଛି । ପରବର୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫ଟି ଚିଆଁ ଦିଆଯିବ । ଏବେ ଚାଷୀଙ୍କୁ ଦିଆଯାଇଥିବା କୁକୁଡା ଚିଆଁ ଗୁଡିକ ୨୮ ଦିନର । ଯଦିଓ ଏହା ଦ୍ୱାରା ଚକଡା କ୍ଷତିଭରଣ ହୋଇ ନପାରେ ତଥାପି ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଚାଷୀ ।