ପିଠା ଯୋଜନାର ସଫଳ ରୂପାୟନ ନେଇ ସଚିବାଳୟରେ ସମୀକ୍ଷା ।

ସରକାରୀ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଅବଗତ କରାଯିବ । ଆଉ ଏହାର ତଦାରଖ କରିବେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓ ।

476

କନକ ବ୍ୟୁରୋ: ସରକାରୀ ଯୋଜନାଗୁଡିକର ପାରଦର୍ଶିତା ବୃଦ୍ଧି ପାଇଁ ରାଜ୍ୟର ଆରମ୍ଭ ହୋଇଛି ପିଠା ଯୋଜନା । ଆଉ ଏହି ଯୋଜନା କିଭଳି କାର୍ଯ୍ୟକାରୀ କରିବ ସେନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହୋଇଛି ସମୀକ୍ଷା ବୈଠକ । ରାଜ୍ୟ ସରକାରଙ୍କ ଏହି ଜନହିତକାରୀ ଯୋଜନାକୁ କିଭଳି ପଞ୍ଚାୟତସ୍ତରରେ ସଚେତନ କରାଇ ସଫଳଭାବେ କାର୍ଯ୍ୟ କରାଇ ହେବ ସେଥିପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ ।

ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ପଞ୍ଚାୟତସ୍ତରରେ ସଫଳ ରୁପାୟନ ପାଇଁ ଆରମ୍ଭ ହେବ ୩ ମାସିଆ ରଣନୀତି । ଡିସେମ୍ବର, ଜାନୁଆରୀ ଓ ଫେବୃଆରୀରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ଜିଲ୍ଲାସ୍ତରରେ ଜିଲା୍ଲପାଳ ଓ ବ୍ଲକ ସ୍ତରରେ ବିଡିଓ ଦାୟିତ୍ୱ ନେବେ । ଗତକାଲିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ପି-ଇ-ଇ-ଟି-ଏଚ୍-ଏ ବା ପିଠା ଯୋଜନା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବା ଓ ଲୋକମାନଙ୍କ ପାଖରେ ଏହି ଯୋଜନା ଗୁଡିକୁ ଠିକ୍ ଭାବେ ପହଁଚାଇବା ।

ଅନ୍ୟପଟେ ହିତାଧିକାରୀ ଯେମିତି ସରକାରଙ୍କ ସମସ୍ତ ଯୋଜନାର ଫାଇଦା ପାଇପାରିବେ ଏହି ଯୋଜନା ମାଧ୍ୟମରେ ସଚେତନ କରାଯିବ । ଖାସ୍ କରି ସରକାରଙ୍କ ‘ଥ୍ରୀ-ଟି’ ଅନୁଯାୟୀ ଏହି ଯୋଜନା କାମ କରିବ । ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନୂଆ ସ୍କିମଟି ଆମ ଗାଁ ଆମ ବିକାଶ ଯୋଜନା ଅଧିନରେ କାର୍ଯ୍ୟ କରିବ । ଏହାସହ ପ୍ରତି ପଂଚାୟତ ସ୍ତରରେ ଏଥିପାଇଁ କ୍ୟାମ୍ପ ଖୋଲାଯିବ । ପ୍ରତି ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ୟାମ୍ପ ବୋଲି ପଞ୍ଚାୟତିରାଜ ସଚିବ କହିଛନ୍ତି । ଏପରିକି ବ୍ଳକ ସ୍ତରରେ ଗୋଟିଏ ପଂଚାୟତକୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।