ମୁଖ୍ୟ ସଚିବଙ୍କୁ ମାଡ ମାରି ଗିରଫ ହେଲେ ଆପ ବିଧାୟକ ପ୍ରକାଶ ଜରୱାଲ ! ମାଡ ପ୍ରତିବାଦରେ ଆଇଏଏସ୍ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

58

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ ଘଟଣାରେ ଆପ ବିଧାୟକ ପ୍ରକାଶ ଜରୱାଲଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ତେବେ ମୁଖ୍ୟ ଆସାମୀ ଅମାନତ ଉଲ୍ଲା ଖାନ ଗାଏବ ହୋଇଯାଇଥିବା ପୋଲିସ କହିଛି । ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଦୁର୍ବ୍ୟବହାର ସହ ମୁଥମରା ଅଭିଯୋଗ ଆସିବା ପରେ ଦିଲ୍ଲୀ ରାଜନୀତିରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି । ଆପ ମନ୍ତ୍ରୀ ଆଶିଷ ଖୈତାନଙ୍କୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୁର୍ବ୍ୟବହାର ସହ ମାଡ ମରାଯିବା ଅଭିଯୋଗ ଆସିବା ପରେ ସଚିବାଳୟରେ ହଙ୍ଗାମା କରିଥିଲେ ଏକାଧିକ ପ୍ରଶାସନିକ ଅଧିକାରୀ ।

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆପ ବିଧାୟକ ପ୍ରକାଶ ଜରୱାଲା ସର୍ବସମ୍ମୁଖରେ ମୁଥ ମାରିଥିବା ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆବାସରେ ଖୋଦ୍ କେଜ୍ରିୱାଲଙ୍କ ଉପସ୍ଥିତିରେ ବିଧାୟକ ମୁଥ ମାରଥିଲେ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ । ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ମୁଖ୍ୟ ଶାସନ ସଚିବ । ଏପଟେ ଘଟଣାକୁ ବିରୋଧ କରି ଦିଲ୍ଲୀ ପ୍ରଶାସନିକ ଅଧିକାରୀ ସଂଘ ହରତାଳ ଆରମ୍ଭ କରିଛନ୍ତି । ଅନ୍ୟପଟେ ଆପ୍ ଅଭିଯୋଗକୁ ଖଣ୍ଡନ କରିବା ସହ ଏପରି କୌଣସି ଘଟଣା ଘଟିନଥିବା କହିଛି । ଘଟଣା ପରେ ଦିଲ୍ଲୀ ସଚିବାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଅନ୍ୟ ପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଅଂଶୁ ପ୍ରକାଶଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତାଙ୍କ ବାସଭବନରେ ମୁଖ୍ୟ ସଚିବଙ୍କୁ କୌଣସି ବିଧାୟକ ଦୁର୍ବ୍ୟବହାର ଦେଖାଇନାହାନ୍ତି ବୋଲି ସେ କହିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଏହି ଅଭିଯୋଗକୁ ଅସ୍ୱୀକାର କରି କେଜ୍ରିଓ୍ଵାଲ୍ କହିଛନ୍ତି କି, ଉତ୍ତେଜନାମୂଳକ ପରିବେଶ ନିଶ୍ଚୟ ଉପୁଜିଥିଲା ମାତ୍ର ଅଂଶୁ ପ୍ରକାଶଙ୍କୁ ଦୁର୍ବ୍ୟବହାର କରାଯାଇନାହିଁ । ମୁଖ୍ୟ ସଚିବଙ୍କର ଏପରି ଅଭିଯୋଗ ସଂପର୍କରେ ଆପ୍ ମତ ରଖିଛି ଯେ, ଏହି ଅଭିଯୋଗ ଭାରତୀୟ ଜନତା ପାର୍ଟି(ବିଜେପି)ର ପରାମର୍ଶରେ ହୋଇଛି। ସେ ବିଜେପିର ପକ୍ଷ ନେଉଛନ୍ତି । ଏଥିରେ ପ୍ରତିକ୍ରିୟା ଦେଖାଇ ଦିଲ୍ଲୀ ଆଡମିନଷ୍ଟ୍ରେଟିଭ୍ ସବ୍ଅର୍ଡିନେଟ୍ ସର୍ଭିସ୍ ଖୁବ୍ ଶୀଘ୍ର ଏକ ଧାରଣା ସଂପର୍କରେ ଚିନ୍ତା କରୁଛି । ମୁଖ୍ୟ ସଚିବଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବିରେ ଏହି ଧାରଣା ଆୟୋଜିତ ହେବ ।

ଦିଲ୍ଲୀ ଆଡମିନଷ୍ଟ୍ରେଟିଭ୍ ସବଅର୍ଡିନେଟ୍ ସର୍ଭିସର ସଭାପତି ଡିଏନ୍ ସିଂ ଗଣମାଧ୍ୟମରେ କହିଛନ୍ତି କି, ‘ଆମେ ଆମ ମୁଖ୍ୟ ସଚିବଙ୍କ ସମର୍ଥନରେ ଅଛୁ। ତାଙ୍କୁ ସମର୍ଥନ କରି ଖୁବ୍ ଶୀଘ୍ର ଏକ ବିରାଟ ଧାରଣାର ଆୟୋଜନ କରାଯିବ। ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଆମେ ଧାରଣାରୁ ଓହରିବୁ ନାହିଁ ।