ଦିଲ୍ଲୀରେ ଉଠିଲା ‘5-T’ କଥା: କେନ୍ଦ୍ରୀୟ ଯୋଜନା ଓ ବକେୟା ପାଣ୍ଠି ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ।

687

କନକ ବ୍ୟୁରୋ: ଦିଲ୍ଲୀରେ ‘ପାଇଭ୍-ଟି’ ସମୀକ୍ଷା । ବିଭିନ୍ନ କେନ୍ଦ୍ରୀୟ ଅନୁଦିତ ଯୋଜନା (ସିଏସଏସ୍) ଏବଂ କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଓଡ଼ିଶା ଭବନ ଠାରେ ହୋଇଥିବା ବୈଠକରେ ‘ଫାଇଭ୍-ଟି’କୁ ଗୁରୁତ୍ୱ ଦେଇ କେନ୍ଦ୍ରର ବିଭିନ୍ନ ଯୋଜନାରେ ରାଜ୍ୟରେ ଆବଶ୍ୟକୀୟ ହେଉଥିବା ଅନେକ ପ୍ରକଳ୍ପ ପାଇଁ ପାଣ୍ଠିର ପୂରା ହିସାବ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସବୁଠାରୁ ବଡ଼ କଥା ହେଲାକି ଏହି ବୈଠକରେ କେନ୍ଦ୍ରୀୟ ଅନୁଦିତ ଯୋଜନା ମଧ୍ୟରେ ବକେୟାଥିବା ଅର୍ଥ ୭ ହଜାର ୫ଶହ ୪୪କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ରୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ତେବେ ମନରେଗା, ପିଏମୱାଇ, ଏନ.ଏସ.ଏପି, ପିଏମଜିଏସୱାଇ ଭଳି ଲୋକାଭିମୁଖୀ ଯୋଜନା ପାଇଁ ପାଖାପାଖି ୬ ହଜାର କୋଟି ଟଙ୍କା ଆବଶ୍ୟକ ରହିଛି ବୋଲି କେନ୍ଦ୍ରର ବିଭିନ୍ନ ଅଧିକାରୀଙ୍କୁ ବୈଠକରେ ଜଣାଇଛନ୍ତି ନବୀନ ।

ଏହାସହ ‘ଫାଇଭ୍-ଟି’ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ପ୍ରଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ଦିଲ୍ଲୀ ଆବାସିକ କମିଶନର, ସ୍ପେଶାଲ କମିଶନରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ପ୍ରସ୍ତାବିତ ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଜାଗା ଆବଣ୍ଟନ କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇ ଏଦିଗରେ ଉଚିତ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ତେବେ ଦିଲ୍ଲୀ ଓଡ଼ିଶା ଭବନରେ ହୋଇଥିବା ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ଆବାସିକ କମିଶନର ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।