ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନରେ ଆଜି ୩ ମନ୍ତ୍ରୀଙ୍କ ପାଳି

24

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଆଜି ତିନୋଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର କାମର ସମୀକ୍ଷା କରିବା ସହ ଆଗାମୀ ଯୋଜନା ନେଇ ଆଲୋଚନା କରିବେ । ଅପରାହ୍ନରେ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଯୁକ୍ତ ଦୁଇ ଶିକ୍ଷା ବିଭାଗରେ ହେଉଥିବା ସଂସ୍କାର କାର୍ଯ୍ୟକ୍ରମର ବିଶଦ ଆଲୋଚନା ହେବ ବୋଲି ସୂଚନା ମିଳିଛି । ସେହିପରି ଆଜି ଗ୍ରାମ ଉନ୍ନୟନ ବିଭାଗର ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ସମୀକ୍ଷାରେ ବିଭାଗୀୟ ମନ୍ତ୍ରୀ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ସଫଳତା ନେଇ ତଥ୍ୟ ଉପସ୍ଥାପନା କରିବେ ।

ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଦିଗରେ ବିଭାଗମାନେ କେତେ କାମ ହାତକୁ ନେଇ ସଫଳତା ପାଇଛନ୍ତି ତାହା ସମୀକ୍ଷା କରୁଛନ୍ତି । ଗତକାଲି ୪ଟି ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ସକାଳେ ପରିବହନ ଓ ଗ୍ରାମ୍ୟ ଉନ୍ନୟନ ପରେ ସନ୍ଧ୍ୟାରେ ଖାଦ୍ୟ ଯୋଗାଣ ଏବଂ ପରିବେଶ ଓ ଜଙ୍ଗଲ ବିଭାଗର କାର୍ଯ୍ୟ ଦକ୍ଷତାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟାବଳୀ ଉପରେ ମଧ୍ୟ ସମୀକ୍ଷା କରାଯାଇଛି । ଜଙ୍ଗଲ ଯୋଜନା ଜରିଆରେ ୧୧୭୦ କୋଟି ଟଙ୍କା ବିନଯୋଗ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଚଳିତ ବର୍ଷ ଜୁନ ମାସରୁ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଜରିଆରେ  ୬୨ କୋଟି ପ୍ରଦାନ କରାଯିବ ।

ସେପଟେ ରାଜ୍ୟ ସରକାରଙ୍କ ସମୀକ୍ଷାକୁ ନାଟକ ବୋଲି କହିଛି ବିରୋଧୀ ବିଜେପି । ସରକାର ନାଟକ ବନ୍ଦ କରି ବାସ୍ତବ କାର୍ଯ୍ୟ ସମୀକ୍ଷା କରନ୍ତୁ ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।