ୟୁପି ମହାଭାରତରେ ପୁଣି ନାଟକୀୟ ମୋଡ : ଶିବପାଲଙ୍କ ସମେତ ୪ ଜଣଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ

20

କନକ ବ୍ୟୁରୋ : ୟୁପି ମହାଭାରତରେ ପୁଣି ନାଟକୀୟ ମୋଡ । ନିଜ ଦାଦା ଶିବପାଲ ଯାଦବଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଶିବପାଲ ଯାଦବଙ୍କ ସମେତ ୪ ଜଣ ମନ୍ତ୍ରୀଙ୍କୁ ବାଦ ଦେଇଛନ୍ତି ଅଖିଳେଶ । ଫଳରେ ସମାଜବାଦୀ ପାର୍ଟିର ପାରିବାରିକ କଳହ ଚରମସୀମାରେ ପହଁଚିଛି । ମୁହାଁମୁହିଁ ହୋଇଛନ୍ତି ଦାବା ଶିବପାଲ ଓ ପୁତୁରା ଅଖିଳେଶ ।

ମୁଲାୟମଙ୍କ ସମାଧାନ ଫମୂର୍ଲା ଫେଲ ମାରିଛି । ଗତକାଲି ଅଖିଳେଶଙ୍କ ଦୃଢ ସମର୍ଥକ ଦୟବୀର ସିଂହଙ୍କୁ ଦଳରୁ ବହିଷ୍କାର କରିଥିଲେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବପାଲ ଯାଦବ । ଅଖିଳେଶଙ୍କ ବିରୋଧରେ ମୁଲାୟମ ଯାଦବଙ୍କ ଦ୍ୱିତୀୟ ପତ୍ନୀ ଷଡଯନ୍ତ୍ର କରୁଥିବା କହିଥିଲେ ଉଦୟବୀର ସିଂହ ।

ଉଦୟବୀରଙ୍କୁ ଦଳରୁ ବିଦା କରିବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଆଜି ସମାଜବାଦୀ ବିଧାୟକ ଦଳ ବୈଠକ ପରେ ଶିବପାଲ ଯାଦବ ଓ ତାଙ୍କର ୪ ସହଯୋଗୀ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଅଖିଳେଶଙ୍କୁ ଖୋଲା ସମର୍ଥନ ଦେଇଛନ୍ତି ମୁଲାୟମଙ୍କ ସିଂହ ଯାଦବଙ୍କ ସଂପର୍କୀୟ ଭାଇ ରାମଗୋପାଳ ଯାଦବ ।

ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଦଳ ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ନିଷ୍ପତି ବିରୋଧରେ ଯାଇ ତାଙ୍କୁ ସିଧାସଳଖ ଚ୍ୟାଲେଂଜ ଦେଇଛନ୍ତି ଅଖିଳେଶ । ମୁଲାୟମଙ୍କ ପରିବାରର ମହାଭାରତ ୟୁପି ରାଜନୀତିକୁ ସରଗରମ କରିଛି ।