ଦେଶର ୪ ସାମ୍ବିଧାନିକ ଅନୁଷ୍ଠାନର ମୁଖ୍ୟ ଗୋଟିଏ କଲେଜର ଇତିହାସ ବିଭାଗର ଛାତ୍ର

ଦେଶରେ ଏବେ ଏକ ବିରଳ ସଂଯୋଗ ଦେଖାଦେଇଛି

381

କନକ ବ୍ୟୁରୋ : ଦେଶରେ ଏବେ ଏକ ବିରଳ ସଂଯୋଗ ଦେଖାଦେଇଛି। ୧୮୮୧ ମସିହାରେ ସ୍ଥାପିତ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜର ୪ ଜଣ ଇତିହାସ ବିଭାଗର ଛାତ୍ର ବର୍ତ୍ତମାନ ଦେଶର ୪ଟି ପ୍ରମୁଖ ସାମ୍ବିଧାନିକ ଅନୁଷ୍ଠାନର ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ, ସେହି କଲେଜର ଆଉ ଜଣେ ଅର୍ଥନୀତି ବିଭାଗର ଛାତ୍ର ମଧ୍ୟ ଦେଶର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବିରେ ରହି ଦେଶର ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

 

ମିଳିଥିବା ସୂଚନା ଅନୁଯାୟୀ, ଦେଶର ପ୍ରଧାନ ବିଚାର ପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଜଷ୍ଟିସ ଗୋଗୋଇ ଦିଲ୍ଲୀର ଏହି ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେହିପରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଥିବା ବେଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକୋତର ଡିଗ୍ରି ହାସଲ କରିଥିଲେ। ସେହିପରି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ( ସି ଏ ଜି) ରାଜୀବ ମହର୍ଷି ମଧ୍ୟ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଛନ୍ତି। ଏହି ୪ ଜଣ ଇତିହାସରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଡିଗ୍ରି ହାସଲ କରିଥିବା ବେଳେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ମଧ୍ୟ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ଡିଗ୍ରି ହାସଲ କରିଛନ୍ତି।