ଆଗୁଆ ନିର୍ବାଚନ ଚର୍ଚ୍ଚାରେ ସାମୟିକ ବ୍ରେକ୍ । ୪ ଜାନୁୟାରୀରେ ଆସିବ ଚୂଡାନ୍ତ ଭୋଟର ତାଲିକା । ଆଗୁଆ ନିର୍ବାଚନକୁ ଯିବେନି ମୋଦି ?

34

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଭୋଟର ତାଲିକା ସଂଶୋଧନ ନେଇ ତାରିଖ ହେଲା ଧାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଭୋଟର ଚିଠା ତାଲିକା ପ୍ରକାଶ କରାଯିବ । ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦାବି ଓ ଆପତ୍ତି କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ, ନଭେମ୍ବର ୩୦ ପୂର୍ବରୁ ସମସ୍ତ ଦାବି ଓ ଆପତ୍ତି ଫଇସାଲା ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଜାନୁଆରୀ ୪ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟର ତାଲିକା ପ୍ରକାଶ ପରେ ନିର୍ବାଚନ ଦିନ ଧାର୍ଯ୍ୟ କରାଯିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏବଂ ଜାନୁଆରୀ ୪ ତାରିଖ ପରେ ସାଧାରଣ ନିର୍ବାଚନ ନେଇ ଦିନ ଧାର୍ଯ୍ୟ ହେବାର ସମ୍ଭାବନା ରହିଛି । ତେବେ କିଭଳି ଭୋଟର ତାଲିକାରେ କିଭଳି ତ୍ରୁଟି ନ ଦେଖାଯାଇ, କୌଣସି ଭୋଟର ବାଦ୍ ନପଡିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସେହିଭଳି ହେବାକୁଥିବା ସାଧାରଣ ନିର୍ବାଚନ ଭୋଟର ତାଲିକାରେ ଯୁବଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । କିଭଳି ସୁଗମ ମତଦାନ କରାଯିବ ସେନେଇ ଗୁରୁତ୍ୱ ଦେଉଛନ୍ତି ନିର୍ବାଚନ କମିଶନ । ଅନ୍ୟପଟେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଭୋଟ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ଏଥିପାଇଁ ମତଦାନ କେନ୍ଦ୍ରମାନଙ୍କରେ ର୍ୟାମ୍ପ, ହ୍ୱିଲ ଚେୟାର, ଏନଏସଏସ, ସ୍କାଉଟ ଗାଇଡ୍ସ ଓ ଭଲ୍ୟୁଣ୍ଟର ଆଦିର ବ୍ୟବସ୍ଥା କରାଯିବ । ଆଗାମୀ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଭିଭିପାଟ୍ ମେସିନର ବ୍ୟବହାର କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ସ୍ଥିର କରିଛନ୍ତି । ଯାହାକି ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସ ଶେଷ ସୁଦ୍ଧା ଯୋଗାଇ ଦେବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଭୋଟର ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ସବୁ ବୁଥରେ ବ୍ୟବହାର ହେବ ଭିଭିପାଟ୍ ମେସିନ ବୋଲି ପ୍ରେସ୍ ମିଟରେ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।