ଛନକା ଭରୁଛି ଛେଣ୍ଡିପଦା ନିର୍ବାଚନ ! ତିନି ଦଳରେ ମୁଣ୍ଡ ଟେକିଛି ଗୋଷ୍ଠୀ ବିବାଦ, ଅସନ୍ତୁଷ୍ଟିଆଙ୍କୁ ମନାଇବାକୁ ବଳ କଷୁଛି ଦଳ ।

ତିନି ଦଳରେ ଗୋଷ୍ଠୀ କନ୍ଦଳର କଳା ବାଦଲ ! ଦଳର ସୁପ୍ରିମୋ କାହାକୁ ବାଛିବେ ଆଉ କାହାକୁ ବୁଝାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

266

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ଧିରେ ଧିରେ ଉଷ୍ମ କରୁଛି ଆଗାମୀ ସାଧାରଣ ନିର୍ବାଚନ । ଏନେଇ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ମଧ୍ୟ କଡ଼ ଲେଉଟାଇବାରେ ଲାଗିଲାଣି । କାରଣ ସବୁ ଦଳରେ ପ୍ରାର୍ଥିତ୍ୱକୁ କେନ୍ଦ୍ର କରି ଗୋଷ୍ଠୀ କନ୍ଦଳ ମଧ୍ୟ ଘନୀଭୂତ ହେବାରେ ସଙ୍କଟ ଦେଖାଗଲାଣି । ଏହି ସମସ୍ୟାରୁ ବାହାରିବା ପାଇଁ ଏବେ ଗୋଟି ଚାଳନା ଆରମ୍ଭ କରିଛନ୍ତି ୩ ପ୍ରମୂଖ ଦଳ । 

ଯଦି ବିଗତ ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ ୧୦ ବର୍ଷ ପୂର୍ବେ ଗଠିତ ହୋଇଥିବା ଛେଣ୍ଡିପଦା ନିର୍ବାଚନମଣ୍ଡଳୀକୁ ତଫସିଲଭୁକ୍ତ ଜାତି (ଏସସି) ବର୍ଗଙ୍କ ଲାଗି ସଂରକ୍ଷିତ ରଖାଯାଇଛି । ସେହି ମର୍ମରେ ୨୦୦୯ରେ ଶାସକ ବିଜେଡିରୁ ଖଗେଶ୍ୱର ବେହେରା, କଂଗ୍ରେସରୁ ଅଗସ୍ତି ବେହେରା, ବିଜେପିରୁ ସଂଜୟ ନାଏକ, ସ୍ୱାଧୀନ ପ୍ରାର୍ଥୀ ଭାବେ ଗୋବିନ୍ଦ ନାଏକ ଓ ଆରପିଆଇରୁ ମିଲି ନାଏକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ବିଧାୟକ ଭାବେ ବିଜେଡି ପ୍ରାର୍ଥୀ ଖଗେଶ୍ୱର ବେହେରା କଂଗ୍ରେସର ଅଗସ୍ତି ବେହେରାଙ୍କୁ  ୪ହଜାର ୯୦୬ ଭୋଟରେ ପରାଜିତ କରି ବିଜୟ ବାନା ଉଡ଼ାଇଥିଲେ । କିନ୍ତୁ ୨୦୧୪ ନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ଖଗେଶ୍ୱର ବେହେରାଙ୍କ ବଦଳରେ ସୁଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରି ବିଜେଡି ଗଡ଼କୁ ବଜାୟ ରଖିଥିଲେ ।

ଅନ୍ୟପଟେ ଚଳିତ ନିର୍ବାଚନରେ ତିନି ଦଳ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ହେବାର ଅନୁମାନ କରାଯାଉଛି । ଆଗାମୀ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି, ବିଜେଡି ଓ କଂଗ୍ରେସ ଦଳରେ ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଉଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି । ଏହାର ମୁଖ୍ୟ କାରଣ ଦଳୀୟ ଟିକେଟ୍ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ବିରୋଧୀ ଗୋଷ୍ଠୀ ମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି  । ଏହି ମର୍ମରେ ବିଜେଡିର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ସୁଶାନ୍ତଙ୍କ  ବାଟରେ କଣ୍ଟ ସାଜୁଛନ୍ତି ବୋଲି ସୁଶାନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ଜିଲ୍ଲା ଦଳିତ ମହାସଂଘ ସଭାପତି ରାଜକିଶୋର ନାଏକ, ପୂର୍ବତନ ସମବାୟ ନିର୍ଦେଶକ ପଞ୍ଚାନନ ବେହେରା, ସୁବଳ ସେଠୀ, ରାଜ୍ୟ ପରିସଂଖ୍ୟାନ ବିଭାଗ ନିର୍ଦେଶକ ଦୁଃଶାସନ ବେହେରା ମଧ୍ୟ ବିଜେଡି ଟିକେଟ ପାଇଁ ଲବି କରୁଛନ୍ତି ଚର୍ଚ୍ଚା ହେଉଛି । 

ସେପଟେ ବିଜେପିର ସ୍ଥିତି ମଧ୍ୟ ସମାନ । କାରଣ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଅଗସ୍ତି ବେହେରା ଦଳୀୟ ପ୍ରାର୍ଥୀ ହେବା ନେଇ ନିଶ୍ଚିତ ଥିବା ବେଳେ ସନ୍ତୋଷ ନାଏକ, ଗୋବିନ୍ଦ ନାଏକ, ସଂଜୟ ନାଏକ ମଧ୍ୟ ବିଜେପି ଟିକେଟ ଲବିରେ ଅଛନ୍ତି ।  ଯାହାକି ବିଜେପି ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ବିଜେପି ଶିବିରରେ ଶୁଣିବାକୁ ମିଳୁଛି ।

ଏହି ଗୋଷ୍ଠୀ କନ୍ଦଳର କଳା ବାଦଲ କଂଗ୍ରେସ ଉପରେ ମଧ୍ୟ ଢ଼ାଙ୍କି ହୋଇ ରହିଛି । କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଜ୍ୟ କଂଗ୍ରେସର ଉପସଭାପତି ସସ୍ମିତା ବେହେରାଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି । ଏହାବାଦ୍ ରାଜ୍ୟ ତଫସିଲଭୁକ୍ତ ଜାତି ଆବାହକ ନରୋତ୍ତମ ନାଏକ, ଗୋପବନ୍ଧୁ ନାଏକ ମଧ୍ୟ ଦଳୀୟ ଟିକେଟ୍ ପାଇଁ ରେସରେ ଅଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ୩ ଦଳର ସୁପ୍ରିମୋ କାହାକୁ ବାଛିବେ ଆଉ କାହାକୁ ବୁଝାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।