ଶୁଖିଯିବ ମହାନଦୀ ! ଛତିଶଗଡର ନୂଆ ଚକ୍ରାନ୍ତ, ଶୁଖିଲା ନଈ ସହ ମହାନଦୀକୁ ଯୋଡି ପାଣି ଶୋଷି ନେବାକୁ ରମଣ ସରକାରଙ୍କ ଯୋଜନା

39

କନକ ବ୍ୟୁରୋ : ବଢିଲା ମହାନଦୀକୁ ବିପଦ । ମହାନଦୀ ଉପରେ ଛତିଶଗଡ ସରକାର ୩୭ ଟି ଛୋଟ ଓ ବଡ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଏବେ ସେହି ରାଜ୍ୟର ଶୁଖିଲା ନଇକୁ ମହାନଦୀ ସହ ସଂଯୋଗ କରିବାକୁ ବାହାରିଛନ୍ତି । ତନ୍ଦୁଲା ନଦୀ ସହ ମହାନଦୀକୁ ସଂଯୋଗ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶଙ୍କା କରାଯାଉଛି, ପ୍ରକଳ୍ପ ନିର୍ମାଣ ଓ ନଦୀ ସଂଯୋଗୀକରଣ ପ୍ରକ୍ରିୟା ଶେଷ ହେବା ପରେ ଓଡିଶାକୁ ମହାନଦୀର ଜଳ ପ୍ରବାହ ୯୦ ପ୍ରତିଶତ କମିଯାଇପାରେ ।

MAHANADI WATERଛତିଶଗଡରେ ଶୁଖିଲା ପଡିଥିବା ତନ୍ଦୁଲା ନଦୀ ସହ ଯୋଡି ହେବ ଚିରସ୍ରୋତା ମହାନଦୀ । ବର୍ଷସାରା ମହାନଦୀର ପାଣି ଯିବ ତନ୍ଦୁଲା ନଦୀକୁ । ଫଳରେ ଉଛୁଳିବ ତନ୍ଦୁଲା । ଛତିଶଗଡରେ ତନ୍ଦୁଲା ରିଭର ଲିଙ୍କ୍ ପ୍ରୋଜେକ୍ଟ ପାଇଁ ଅଂଟା ଭିଡିଛନ୍ତି ରମଣ ସିଂ ସରକାର । ଯାହାର ସିଧାସଳଖ ପ୍ରଭାବ ପଡିବାକୁ ଯାଉଛି ଓଡିଶାରେ । ହୀରାକୁଦରେ କମିଯିବ ମହାନଦୀ ପାଣି । ମୌସୁମୀ ଋତୁରେ ବି ଜଳପ୍ରବାହ ଯଥେଷ୍ଟ ପରିମାଣରେ କମିଯିବାର ଆଶଙ୍କା ରହିଛି । ଆଉ ଅଣମୌସୁମୀ ଋତୁରେ ଅବସ୍ଥା କଣ ହେବ ତାହା ସହଜରେ ଅନୁମାନ କରାଯାଇପାରିବ ।

ଏହାପୂର୍ବରୁ ଛତିଶଗଡ ସରକାର ମହାନଦୀ ଉପରେ ୩୭ ଟି ଛୋଟ ଓ ବଡ ବନ୍ଧ ନିର୍ମାଣ କରୁଛନ୍ତି । ଏହା ପରେ ତନ୍ଦୁଲା ରିଭର ଲିଙ୍କ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବାକୁ ଯାଉଛି । ଆଶଙ୍କା କରାଯାଉଛି ଏସବୁ ପରେ , ପାଖାପାଖି ୯୦ ପ୍ରତିଶତ ମହାନଦୀ ପାଣି ଛତିଶଗଡରେ ହିଁ ଅଟକିଯିବ । କ୍ଷେତକୁ ବର୍ଷସାରା ପର୍ଯ୍ୟାପ୍ତ ଜଳ ସେଚନ ପାଇଁ ଛତିଶଗଡ ସରକାର ଏହି ବଡ ନିଷ୍ପତି ନେଇଛନ୍ତି । ଖୁବଶୀଘ୍ର ସବୁ ଜମିକୁ ପାଣି ପହଁଚିବ । ନଦୀ ସଂଯୋଗୀକରଣ କରାଯାଇ କ୍ଷେତକୁ ପାଣି ଯୋଗାଇ ଦିଆଯିବ । ଏଥିପାଇଁ କୃଷି ଏବଂ ଜଳସେଚନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଦ୍ରୁତ ଗତିରେ କାମ ପାଇଁ ୨୦୧୭-୧୮ ଡେଡଲାଇନ୍ ରଖାଯାଇଛି ।

mahanadi bridgeଛତିଶଗଡରେ ରମଣ ସିଂ ସରକାର ତନ୍ଦୁଲା ରିଭର ଲିଙ୍କ ପ୍ରୋଜେକ୍ଟ କାମ ଆରମ୍ଭ କରୁଥିବା ବେଳେ ଏପଟେ ସରଗରମ ହୋଇଛି ବିଧାନସଭା । ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିଜେଡି ସଦସ୍ୟ । ସୋମବାର ଗୃହରେ କମ୍ପିଛି ତନ୍ଦୁଲା ତାତି । ସୁପ୍ରିମକୋର୍ଟରେ ମହାନଦୀ ବିବାଦର ଶୁଣାଣି ଚାଲିଥିବା ବେଳେ ଛତିଶଗଡ ଏକତରଫା ନିଷ୍ପତି ନେଉଥିବା କହିଛି ବିଜେଡି । କେନ୍ଦ୍ର ସରକାର ଓଡିଶାର ସ୍ୱାର୍ଥବିରୋଧୀ କାମ କରିବା ସହ ଛତିଶଗଡକୁ ସମର୍ଥନ ଦେଉଥିବା ଶାସକ ଦଳର ବିଧାୟକ ଅଭିଯୋଗ କରିଛନ୍ତି ।

ଛତିଶଗଡ ଦେଇ ଓଡିଶାକୁ ଆସିଛି ମହାନଦୀ । ତେବେ ଛତିଶଗଡ ସରକାର ମହାନଦୀ କ୍ୟାଚମେଂଟ୍ ଏରିଆରେ ଏକାଧିକ ବ୍ୟାରେଜ ଓ ପ୍ରୋଜେକ୍ଟ ନିର୍ମାଣ କରୁଛି । ଓଡିଶାକୁ ମହାନଦୀ ଜଳ ପ୍ରବାହ କମିବା ନେଇ ବାରମ୍ବାର ଆପତି ଉଠାଇଛି ଓଡିଶା । ଏବେ ରମଣ ସିଂ ସରକାରଙ୍କ ତନ୍ଦୁଲା ରିଭର ଲିଙ୍କ ପ୍ରୋଜେକ୍ଟ ଦୁଇ ରାଜ୍ୟ ମଧ୍ୟରେ ଆଉ ଏକ ନୂଆ ବିବାଦର ମଂଜି ବୁଣିଛି ।

ମହାନଦୀ ଟ୍ରିବୁନାଲ ଗଠନ ନେଇ ଜାନୁଆରୀ ତୃତୀୟ ସପ୍ତାହରେ ଚୂଡାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ । କାହିଁକି ଗୋଟାଏ ବର୍ଷ ଭିତରେ ଟ୍ରିବୁନାଲ ଗଠନ ହୋଇପାରିଲା ନାହିଁ ବୋଲି ଆଜି ଶୁଣାଣି ସମୟରେ ସୁପ୍ରିମକୋର୍ଟ, ଭାରତ ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଏହାର ଜବାବରେ ଭାରତ ସରକାରଙ୍କ ଓକିଲ କହିଥିଲେ, ଓଡିଶା ସରକାର ଆବଶ୍ୟକ ସର୍ତାବଳୀ ପୁରଣ କରିନଥିବାରୁ ଟ୍ରିବୁନାଲ ଗଠନ ହୋଇପାରିନାହିଁ । ଏଥିସହ ଜଏଂଟ୍ କଂଟ୍ରୋଲ ବୋର୍ଡ ଗଠନ କରି ଏହାର ସମାଧାନ ପାଇଁ ବାଟ ରହିଛି ବୋଲି ଯୁକ୍ତି ବାଢିଥିଲେ । ପ୍ରାୟ ୧୦ ମିନିଟର ଏହି ଶୁଣାଣି ପରେ ଭାରତ ସରକାରଙ୍କୁ ଓଡିଶା ସରକାର, ଆବଶ୍ୟକ ସମସ୍ତ ତଥ୍ୟ ଯୋଗାଇଦେବାକୁ କହିଥିଲେ ।