ମାନୁନି ଛତିଶଗଡ ! ପୁଣି ଖୋଲାଖୋଲି ଛତିଶଗଡର ଦାଦାଗିରି, ନବରଙ୍ଗପୁର ବିରାଲାଠି ଠାରେ ବହୁମୁଖୀ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଛତିଶଗଡର ପ୍ଲାନ ।

44

ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଠ । ଏହି ଓଡିଆ ଉକ୍ତିଟି କହିବାର କାରଣ ପଛରେ ରହିଛି ଛତିଶଗଡ । ମହାନଦୀ ଉପରେ ବେଆଇନ ପ୍ରକଳ୍ପ କରିବାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିବାକୁ ଦମ୍ଭୋକ୍ତି ବାଢ଼ିଥିଲେ ଖୋଦ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହ । ମହାନଦୀ ଉପରମୁଣ୍ଡ ଠାରେ ବେଆଇନ ପ୍ରକଳ୍ପ ପରେ ଏବେ ନବରଙ୍ଗପୁର ତେଲ ନଦୀ ଉପରେ ଆଖି ପକାଉଛି ଛତିଶଗଡ । ସୁଚନା ମୁତାବକ ନବରଙ୍ଗପୁର ବିରାଲାଠି ଘାଟରେ ଏକ ବହୁମୂଖୀ ଜଳ ପ୍ରକଳ୍ପ କରିବା ପାଇଁ ଯୋଜନା କରୁଛି ଛତିଶଗଡ । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରବଳ ବିରୋଧ କରିଛନ୍ତି ।

ମହାନଦୀ ବିବାଦ ନତୁଟୁଣୁ ଏବେ ତେଲନଦୀ ଉପରେ ଆଖି ପକାଇଛି ଛତିଶଗଡ । ସୁଚନା ମୁତାବକ ଛିତଶଗଡ ନବରଙ୍ଗପୁର ବିରାଲାଠି ଠାରେ ଏକ ବହୁମୂଖୀ ଜଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ଷଡଯନ୍ତ୍ର କରୁଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ମଧ୍ୟ ଛତିଶଗଡ ମାଟି ପରୀକ୍ଷା କରି ସେଠାରେ ଚିହ୍ନ ଦେବା ଘଟଣାର ତୀବ୍ର ବିରୋଧ କରଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ପ୍ରକଳ୍ପରେ ପାଖାପାଖି ୮ହଜାର ୮ଶହ ୫୦ କୋଟି ବ୍ୟୟ ଅଟକଳରେ ନିର୍ମାଣ କରିବ ଛତିଶଗଡ ବୋଲି ସୁଚନା ମଳିଛି । ଯଦି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୁଏ ତାହେଲେ ଉମରକୋଟ, ରାଇଘର, ଝରିଗାଁ ବ୍ଲକର ଦଶଟି ପଞ୍ଚାୟତର ପାଖାପାଖି ୧୦୦ଟି ଗାଁ ଜଳମଗ୍ନ ହେବାସହ ହଜାରରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ପ୍ରକଳ୍ପ ଯଦି ସମ୍ପୂର୍ଣ୍ଣ ହୁଏ ତେବେ ଉପରମୁଣ୍ଡ ତେଲନଦୀରେ ଜଳ ପ୍ରବାହ ବାଧାପ୍ରାପ୍ତ ହେବ । ଯାହଦ୍ୱାରା ଶହ ଶହ ଚାଷ ଜମି ଟାଙ୍ଗରା ଭୂଇଁ ପାଲଟି ଯିବ । ତେବେ ଛତିଶଗଡର ଏଭଳି ଖୁଲମଖୁଲା ଗୁଣ୍ଡାରାଜକୁ ରୋକିବା ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଏହି ପ୍ରକଳ୍ପ ନେଇ ପ୍ରଶାସନ ପାଖରେ କୌଣସି ଖବର ନଥିବା ଅଭିଯୋଗ ହୋଇଛି । କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ କହିବା ମୁତାବକ ତେଲନଦୀ ଠାରେ ଛତିଶଗଡ କରୁଥିବା ପ୍ରକଳ୍ପ ପଛରେ ରାଜ୍ୟ ସରକାରଙ୍କ ହାତ ଅଛି ବୋଲି ଅଭିଯୋଗ କରିଛନ୍ତି । ଚାଷ ଓ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ କରାଇ ଦିଆଯିବ ନାହିଁ ବୋଲି ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ।