ପୁଣି ମାତିଲେ ମାଓବାଦୀ : ଛତିଶଗଡ ସୁକମା ଦାନ୍ତେୱାଡ଼ା ରାସ୍ତାରେ ଯାତ୍ରୀବାହୀ ବସକୁ ଅପହରଣ ପରେ ନିଆଁ ଲଗାଇ ଦେଲେ

24

କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ଯାତ୍ରୀବାହୀ ବସକୁ ଜାଳି ଦେଇଛନ୍ତି ନକ୍ସଲ । ଛତିଶଗଡ ସୁକମା ଦାନ୍ତେୱାଡ଼ା ରାସ୍ତାରେ ଭୁସାରାମ ଠାରେ ଏକ ଯାତ୍ରୀବାହୀ ବସକୁ ଅପହରଣ କରିନେଇଛନ୍ତି ମାଓବାଦୀ ଏବଂ ଏହାକୁ ନିଆଁ ଲଗାଇ ଦେଇଛନ୍ତି । ଏହା ସହ ଘଟଣାସ୍ଥଳରେ ସେମାନେ ପୋଷ୍ଟର ଓ ବ୍ୟାନର ଛାଡିଯାଇଛନ୍ତି । ତେବେ ସୁରକ୍ଷାକର୍ମୀ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଛନ୍ତି । ଏନେଇ ସ୍ଥାନୀୟ ଅଂଚଳରେ ଅପରେସନକୁ ଜୋରଦାର କରାଯାଇଛି । ଗତ ୬ ତାରିଖ ଦିନ ପୁଲିସ ଏନକାଉଣ୍ଟରରେ ୧୫ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ନେଇ ନକ୍ସଲ ଉଗ୍ରରୂପ ଧାରଣ କରିଛନ୍ତି । ଏହି ଘଟଣାକୁ ବିରୋଧ କରି ନକ୍ସଲ ଗତ ୪ ଦିନ ହେଲା ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଏକ ଘରୋଇ ବସ ସୁକମାରୁ ଦନ୍ତେୱାଡା ଯାଉଥିଲା । ପୂର୍ବରୁ ଛପି ରହିଥିବା ନକ୍ସଲ ହଠାତ୍ ଚିଙ୍ଗାବରମ ନିକଟରେ ବସଟିକୁ ଅଟକାଇଥିଲେ । ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇବା ପାଇଁ କହି ପରେ ବସରେ ନିଆଁ ଲଗାଇ ପୋଡି ଦେଇଥିଲେ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି । ଗତ ଏନକାଉଣ୍ଟର ଘଟଣା ପରଠାରୁ ନକ୍ସଲ ହିଂସାତ୍ମକ ହୋଇ ଲଗାତାର ଏଭଳି ଘଟଣା ଘଟାଇ ଚାଲିଛନ୍ତି ।