ବାତ୍ୟା ପ୍ରଭାବିତଙ୍କ ପାଇଁ ବଢୁଛି ସହାୟତାର ହାତ । ଓଡିଶା ସରକାରଙ୍କ ରିଲିଫ୍ ପାଣ୍ଠିକୁ ୧୧କୋଟି ଟଙ୍କା ଦେବାକୁ ଘୋଷଣା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।

774

କନକ ବ୍ୟୁରୋ : ‘ଫୋନି’ର ତାଣ୍ଡବ ପରେ ବାତ୍ୟା ପ୍ରଭାବିତଙ୍କ ପାଇଁ ବଢୁଛି ସହାୟତାର ହାତ ।  ଓଡ଼ିଶାରେ ବିପୁଳ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଫୋନି’ ପ୍ରପୀଡ଼ିତଙ୍କ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ରବିବାର ୧୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ୧୦ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କରି ସାରିଛନ୍ତି ।

ପୂର୍ବରୁ ମେ ୩ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଶା ଏବଂ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅନ୍ୟ ରାଜ୍ୟଗୁଡ଼ିକ ସକାଶେ ଆଗୁଆ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିର୍ବାଚନ ରାଲିରେ କହିଥିଲେ କି ‘ଏହି ରାଜ୍ୟଗୁଡ଼ିକ ସହ ମୁଁ ସବୁବେଳେ ଯୋଗାଯୋଗରେ ରହୁଛି । ପରିସ୍ଥିତି ସହ ମୁକାବିଲା କରିବା ପାଇଁ ଆଗୁଆ ୧୦୦୦ କୋଟି ଟଙ୍କାର ରିଲିଫ୍‌ ଘୋଷଣା ହୋଇସାରିଛି । ମୁଁ ଏହା କହିବାକୁ ଚାହୁଁଛି ଯେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ସମସ୍ତ ପରିବାର ଲୋକଙ୍କ ସହ କେନ୍ଦ୍ର ରହିଛି ।’