କନକ ବ୍ୟୁରୋ :ସମସ୍ତେ ଥିଲେ ପ୍ରତିକ୍ରିୟାଶୀଳ । ପ୍ରତିଦିନ ଖବର କାଗଜର ପ୍ରଥମ ପୃଷ୍ଠାରେ ମହାନଦୀକୁ ନେଇ ବଡ ଖବର, ଟିଭିରେ ଘନଘନ ବାଇଟ୍ ଚାଲୁଥିଲା, ବିତର୍କ ହେଉଥିଲା । ଲାଗୁଥିଲା, ମହାନଦୀକୁ ନେଇ ରାଜ୍ୟରେ ଆରମ୍ଭ ହେଲା ନିର୍ଣ୍ଣାୟକ ଲଢେଇ । ବୁନ୍ଦାଏ ପାଣି ଛତିଶଗଡ ଅଟକାଇଲେ ସମସ୍ତେ ମିଳିମିଶି ଲଢିବେ । ଶୀତକାଳୀନ ବିଧାନସଭା ଅଧିବେଶନରେ ଦୁଇ ଦୁଇଟି କମିଟି ଗଠନ କରାଗଲା । କେନ୍ଦ୍ର ନିକଟରେ ଛତିଶଗଡର ମୁଖା ଖୋଲିଦିଆଯିବ । ଏମିତି ଅନେକ କିଛି ଆଶା ରଖିଥିଲେ ରାଜ୍ୟବାସୀ । ଲାଗୁଥିଲା, କିଛି ଗୋଟିଏ ବଡ ଧରଣର ଲଢେଇ ମହାନଦୀକୁ ନେଇ ଦେଖିବାକୁ ମିଳିବ । ହେଲେ ସବୁକିଛି ଆଶା ମହାନଦୀର ପାଣି ଭଳି ମରିଗଲା ଯେତେବେଳେ, ଗୃହ କମିଟିର ପ୍ରଥମ ବୈଠକ ସଫଳତାର ସହ ଶେଷ ହେଲାନାହିଁ । ବୈଠକରେ କେଉଁ ସଦସ୍ୟ ବିଲକୁଲ ଆସିନଥିଲା ବେଳେ, କିଏ ବୈଠକ ସରିଲା ପରେ ପହଂଚିଥିଲେ । ଯାହା ଆଜି ରାଜନେତାଙ୍କର ଆନ୍ତରିକତା ଆଉ ମହାନଦୀ ଲଢେଇର ଅସଲ ଉଦ୍ଦେଶ୍ୟକୁ ପଛରେ ପକାଇଥିବା ଚର୍ଚ୍ଚା ହେଉଛି । ପ୍ରଥମେ ଦେଖିନିଅନ୍ତୁ ଆମ ନେତା କିଭଳି ଲଢୁଛନ୍ତି ମହାନଦୀ ଲଢେଇ ।

Exclusive Interview with Sanjay Das Burmaନରସିଂହ ମିଶ୍ର, ବିରୋଧୀଦଳ ନେତା
ମହାନଦୀ କମିଟିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାମିଲ ହୋଇନଥିଲେ । ନିଜ ନିର୍ବାଚନ ମଣ୍ଡଳୀରେ ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମତି ଦେଇ ସାରିଥିଲେ, ତେଣୁ ଆସିପାରିଲେ ନାହିଁ । ବିଧାନସଭାରେ ସରକାରକୁ ଅଡୁଆରେ ପକାଇଉଥିବା ଏହି ବର୍ଷୀୟାନ ନେତା କାହିଁକି ବୈଠକରେ ଯୋଗଦେଲେନି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି କାମ ରହିଗଲା ନା ଏହି ବରିଷ୍ଠ ନେତା ଅଭିମାନ କରିଥିଲେ?

ସଂଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଂଜୟ ଦାସବର୍ମା, ଯିଏ ମହାନଦୀ ଆଉ ପୋଲାଭରମ ନେଇ ୧୦୦ରୁ ଅଧିକ ସାମ୍ବାଦିକ ସମ୍ମିଳନୀ କରି ସାରିଲେଣି, ସେ ବିଧାନସଭା ଠାରୁ କିଛି ଦୁରରେ ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରୁଥିଲେ, ତାଙ୍କର ମହାନଦୀ ପାଣି କଥା ମନେପଡିଲାନି । ପେଟ୍ରୋଲ ଦରବୃଦ୍ଧି ଆନ୍ଦୋଳନକୁ ସେ ନେତୃତ୍ୱ ଦେଉଥିଲେ ।

debiଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ
କଟକ ଜିଲ୍ଲାରେ ମହାନଦୀର ଆନ୍ଦୋଳନକୁ ନେତୃତ୍ୱ ଦେଉଛନ୍ତି ଦେବୀ ମିଶ୍ର । ତାଙ୍କ ହିସାବରେ ମହାନଦୀରେ ପାଣି କମିଲେ ଓଡିଶା ପ୍ରଭାବିତ ହେବ । ଦଳୀୟ କାର୍ଯ୍ୟାଳୟରେ ବି ସେ ଅନେକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ବୈଠକ ଆରମ୍ଭ ହେବାର କିଛି ମିନିଟ ପରେ ସେ ଆସି ପହଂଚିଥିଲେ ।

ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ
ନୟାଗଡ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ହେଉଛନ୍ତି ଅରୁଣ ସାହୁ । ବିଧାନସଭାରେ ଅନେକ ଥର ଉଠାଇଛନ୍ତି ମହାନଦୀ ପ୍ରସଙ୍ଗ । ଅନେକ ବୟାନ ମଧ୍ୟ ଦେଇଛନ୍ତି । ହେଲେ ବୈଠକ ସରିବା ପରେ ଅରୁଣ ସାହୁ ଆସି ପହଂଚିଥିଲେ । ଏହି ପୂର୍ବତନ ମନ୍ତ୍ରୀ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହୋଇଥିଲେ । ବୋଧହୁଏ ସେଥିପାଇଁ, ମହାନଦୀ କଥା ମନେପଡିନଥିଲା ।

surya patraରୋହିତ ପୁଜାରୀ, ସରକାରୀ ଉପ-ମୁଖ୍ୟ ସଚେତକ
ରେଢାଖୋଲର ଏହି ବିଧାୟକ ମହାନଦୀକୁ ନେଇ ବହୁବାର ଗର୍ଜିଛନ୍ତି । ଆନ୍ଦୋଳନ କରିଛନ୍ତି । ରାଜରାସ୍ତାକୁ ଓହ୍ଲାଇଛନ୍ତି । ହେଲେ ଗୃହ କମିଟିର ବୈଠକକୁ କିନ୍ତୁ ଆସିଲେନାହିଁ । ତେବେ କାହିଁକି ଆସିଲେନି, ସେନେଇ କାରଣ ସ୍ପଷ୍ଟ ହୋଇନାହିଁ । ସେହିଭଳି ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ଆଜିର ବୈଠକରୁ ଦୁରେଇ ରହିଥିଲେ ।

ସୂର୍ଯ୍ୟ ପାତ୍ର, ଯୋଗାଣ ମନ୍ତ୍ରୀ
ନବୀନଙ୍କ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀ । ସୁର୍ଯ୍ୟ ପାତ୍ର ମଧ୍ୟ ଆଜିର ବୈଠକରେ ସାମିଲ ହୋଇନଥିଲେ । କାରଣ ଜଣାପଡିନାହିଁ । ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ବିଧାନସଭା ଅଧିବେଶନର ପଶ୍ନକାଳକୁ ବାତିଲ୍ କରି ବିଧାୟକ ମହାନଦୀ ଆଲୋଚନା ପାଇଁ ଦାବି କରୁଥିଲେ ତେବେ ଗୃହ କମିଟିର ବୈଠକକୁ କାହିଁକି ଗୁରୁତ୍ୱ ଦେଲେନି? ରାଜ୍ୟରେ କଣ ମହାନଦୀ ପ୍ରସଙ୍ଗ କେବଳ ବିଧାନସଭା ଆସିଲେ ମନପଡେ?

mahanadi riverଆତ୍ମସମ୍ମାନ ସମ୍ମୁଖରେ ବଳି ପଡିଲା ଆମ୍ ଆଦମୀର ସାମୁହିକ ସ୍ୱାର୍ଥ । ମାତ୍ର ପନ୍ଦର ମିନିଟରେ ସରିଲା ମହାନଦୀ ପାଇଁ ମାନସ ମନ୍ଥନ । ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗ ନ’ଦେବାରୁ ବନ୍ଦ ହେଲା ମହାନଦୀକୁ ନେଇ ଗଠିତ ଗୃହ କମିଟିର ପ୍ରଥମ ବୈଠକ । ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବୁଧବାର ବସିଥିବା ଏହି ବୈଠକ ପସର ଫାଟିଯାଇଛି । ବିରୋଧୀଦଳ ନେତା ଉପସ୍ଥିତ ନ’ଥିବାରୁ ଆଲୋଚନା ଓ ନିଷ୍ପତି ଗ୍ରହଣ ସମ୍ଭବ ନୁହେଁ ବୋଲି ଅନୁଭବ କରି ବାଚସ୍ପତି ଏହାକୁ ସ୍ଥଗିତ ରଖିଛନ୍ତି । କେବଳ ଜଳସମ୍ପଦ ବିଭାଗ ଦେଇଥିବା ମହାନଦୀ ସମ୍ପର୍କିତ ତଥ୍ୟକୁ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ବଂଟନ କରାଯାଇଥିଲା । ସୂଚନା ଅନୁସାରେ ଜଳସମ୍ପଦ ବିଭାଗ କମିଟି ସଦସ୍ୟ ମାନଙ୍କୁ ମହାନଦୀର ପ୍ରକୃତ ସ୍ଥିତି ଜଣାଇବା ପାଇଁ ଏକ ପାୱାର ପଏଂଟ ପ୍ରେଜେଂଟେସନ ଆୟୋଜନ କରିଥିଲେ ମଧ୍ୟ ବୈଠକ ବନ୍ଦ ହେବା ଯୋଗୁ ଏହାର ପ୍ରଦର୍ଶନ ହୋଇପାରିନଥିଲା । ତେବେ ତଥ୍ୟକୁ ତର୍ଜମା କରାଯିବା ପରେ ଆଗାମୀ ଦିନରେ ପୁଣି ବୈଠକ ବସି ଆଲୋଚନା କରାଯିବ ବୋଲି ସଦସ୍ୟ ମାନେ ପ୍ରତିକ୍ରିୟା ରଖିଛନ୍ତି ।

 ଅପରପକ୍ଷେ ତାଙ୍କୁ ଠିକ ସମୟରେ ଡକାଯାଇନଥିଲା ବୋଲି ପରୋକ୍ଷରେ ଅଭିଯୋଗ କରିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ତାଙ୍କୁ ବୈଠକକୁ ଡକାଯିବା ପୂର୍ବରୁ ସେ ନିଜ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିସାରିଥିଲେ । ଅର୍ଥାତ୍ ଏହାର ଅର୍ଥ ବୁଝାଯାଏ ତେବେ ଜଣାପଡିବ, ତାଙ୍କୁ ଶେଷ ମୂହୂର୍ତ୍ତରେ ନିମନ୍ତ୍ରଣ କରିଥିଲେ ବାଚସ୍ପତି । ଏହା ସହ ବୈଠକରେ ଯାହା ନିଷ୍ପତି ନିଆଯିବ ସେଥିରେ ସେ ଏକମତ ବୋଲି କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଏମିତି କେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁପସ୍ଥିତ ରହିଲେ ନରସିଂହ ? ତାଙ୍କୁ ଠିକ୍ ସମୟରେ ଡକାଗଲାନି ବୋଲି ଅଭିମାନ କରିନାହାନ୍ତି ତ ଏହି ବର୍ଷିୟାନ ନେତା ? କାରଣ ମହାନଦୀକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ବିବାଦର ସୂତ୍ରପାତ ହେବା ପରଠାରୁ ଗୃହରେ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ଉପସ୍ଥାପନ କରିଆସିଛନ୍ତି ନରସିଂହ । ତାଙ୍କରି ନେତୃତ୍ୱରେ ବିରୋଧୀ କଂଗ୍ରେସ ଏକାଧିକ ଥର ଗୃହକୁ ମୁଲତବୀ କରିବାକୁ ବାଚସ୍ପତିଙ୍କୁ ବାଧ୍ୟ କରିଛି । ନରସିଂହ ହେଉଛନ୍ତି ସେହି ନେତା ଯିଏ ମହାନଦୀ ପ୍ରସଙ୍ଗରେ ପ୍ରଥମେ ସର୍ବଦଳୀୟ ବୈଠକ ଡାକିଥିଲେ । ଏପରିକି ଏହି ସର୍ବଦଳୀୟ ବୈଠକରେ ପାରମ୍ପରିକ ବିରୋଧୀ ଭାରତୀୟ ଜନତା ପାର୍ଟି ସହ ଟେବୁଲ ସେୟାର କରିବା ଅଭିଯୋଗରେ ନିଜ ଦଳର ହାଇକମାଣ୍ଡଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିବା ଚର୍ଚ୍ଚା ହୋଇଥିଲା । ସରକାର କିଛି ନିଷ୍ପତି ନେବା ଆଗରୁ ନରସିଂହ ନିଜ ଟିମ୍ ନେଇ ଛତିଶଗଡ ମହାନଦୀ ଉପରେ କରିଥିବା ବନ୍ଧ ଗୁଡିକୁ ଅନୁଧ୍ୟାନ କରିବାକୁ ମଧ୍ୟ ପହଂଚି ଯାଇଥିଲେ । କିନ୍ତୁ ଗୃହ କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ତାଙ୍କ ଯୋଗନଦେବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

mahanadi bridgeକେବଳ ନରସିଂହ ମିଶ୍ର ନୁହଁନ୍ତି, ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଥିବା ବିଜେଡିର ୯ ଜଣ ସଭ୍ୟଙ୍କ ମଧ୍ୟରୁ ୪ ଜଣ ଅନୁପସ୍ଥିତ ଥିଲେ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ ଟାରେ ବସିବାକୁ ଥିବା ଏହି ବୈଠକରେ ବିଧାୟକ ଦେବୀ ମିଶ୍ର ବିଳମ୍ବରେ ପହଂଚିଥିବା ବେଳେ, ବିଧାୟକ ଅରୁଣ ସାହୁ ପହଂଚିବା ବେଳକୁ ବୈଠକ ଶେଷ ହୋଇଯାଇଥିଲା । ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ସରକାରୀ ଦଳ ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ପଦ୍ମନାଭ ବେହେରା ମଧ୍ୟ ବୈଠକକୁ ଆସିନଥିଲେ । ସରକାରୀ ଦଳର ସଭ୍ୟ ସଂଜୟ ଦାସବର୍ମା ଠିକ ଏହି ସମୟରେ ବୈଠକକୁ ନଆସି ରାଜଧାନୀରେ ଏକ ପ୍ରତିବାଦ ସଭା କରୁଥିଲେ । ଶାସକ ଦଳ ପକ୍ଷରୁ କେବଳ ୩ଜଣ ସଭ୍ୟ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଅମର ଶତପଥୀ, ରାସେଶ୍ୱରୀ ପାଣିଗ୍ରାହୀ ବୈଠକରେ ଯୋଗଦେଇଥିଲେ । ବୀରମହାରାଜପୁରର ବିଧାୟକ ଜର୍ଜ ତିର୍କୀଙ୍କ ମଧ୍ୟ ଦେଖାନଥିଲା । ଓଡିଶାର ଜୀବନରେଖା ମହାନଦୀକୁ ନେଇ ବହୁ ଦିନ ଧରି ବିବାଦ ଚାଲିଥିବା ବେଳେ ଗୃହ କମିଟିର ପ୍ରଥମ ବୈଠକରେ ଏତେ ସଂଖ୍ୟାରେ ସଭ୍ୟ ଯୋଗ ନଦେବା ଏବେ ନେତାଙ୍କ ମହାନଦୀ ପାଇଁ ଆନ୍ତରିକତା ଉପରେ ପ୍ରଶ୍ନଚିହ୍ନ ଛିଡାକରିଛି ।

MAHANADI WATER ବିଧାନସଭାରେ ବହୁ ବାଦବିବାଦ ପରେ ମହାନଦୀ ପ୍ରସଙ୍ଗରେ ଦୁଇଟି ଗୃହ କମିଟି ଗଠନ କରାଯାଇଥିଲା । ଗତ ଶୀତକାଳୀନ ଅଧିବେଶନ ସମୟରେ ବାଚସ୍ପତି ଏହା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରାଜ୍ୟର ଦାବୀ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସ୍ଥିର ହୋଇଥିବା ବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଗାମୀ ରଣନୀତି ନେଇ ଖସଡା ପ୍ରସ୍ତୁତ କରିବାର ଥିଲା । ପ୍ରଥମ କମିଟିରେ ୧୫ ଜଣ ସଭ୍ୟ ରହିଥିବା ବେଳେ, ଦ୍ୱିତୀୟ କମିଟିରେ ମଧ୍ୟ ସେହି ସମାନ ସଦସ୍ୟ ରହିଥିଲେ । ଶାସକ ବିଜେଡିର ସର୍ବାଧିକ ୯ ଜଣ ସଦସ୍ୟ ରହିଥିବା ବେଳେ, କଂଗ୍ରେସରୁ ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତି, ବିଜେପିର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ନୀତେଶ ଗଙ୍ଗଦେବ ଏବଂ ସିପିଆଇ ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଓ ବିଧାୟକ ଜର୍ଜ ତିର୍କୀ ସାମିଲ ହୋଇଥିଲେ ।

 mahanadiପଡୋଶୀ ଛତିଶଗଡ ମହାନଦୀ ଉପରେ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ବନ୍ଧବାଡ ନିର୍ମାଣ କରିଚାଲିଥିଲା । ଫଳରେ ମହାନଦୀର ଜଳପ୍ରବାହ ପ୍ରଭାବିତ ହେବା ଆଶଙ୍କା କରି ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ଗୃହରେ ଉତ୍ଥାପିତ କରାଯାଇଥିଲା । କିନ୍ତୁ ସେତେବେଳେ ସରକାର କିମ୍ବା ବିରେଧୀ, କେହି ଏହାକୁ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଗତ ଦୁଇ ବର୍ଷ ଧରି ବଢି ବଢି ଚାଲିଛି । ସରକାର ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢିବାରେ ଲାଗିଛି । ଏପରିକି ଏହି ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି । ପ୍ରଥମେ ଶାସକ ବିଜେଡି ମହାନଦୀ ଲଢେଇକୁ ନିଜ ଦମରେ ଲଢିବ ବୋଲି ଘୋଷଣା କରିଥିଲା । ରାଜନୈତିକ ଫାଇଦା ନେବା ପାଇଁ ସରକାରୀ ଦଳ ମଧ୍ୟ ମହାନଦୀ ବିବାଦକୁ ଢାଲ କରିଥିଲା । ସରକାରଙ୍କ ଏହି ନିଷ୍ପତିକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ । ଏପରିକି ଶାସକ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ମହାନଦୀ ବିବାଦର ସମାଧାନ ପାଇଁ ପ୍ରଥମେ ଉଭୟ ରାଜ୍ୟ ମଧ୍ୟରେ ସଚିବ ସ୍ତରୀୟ ଆଲୋଚନା ଫେଲ୍ ମାରିଥିଲା । ଫଳରେ ରାଜ୍ୟ ସରକାର କେନ୍ଦ୍ରର ଦ୍ୱାରସ୍ଥ ହୋଇଥିଲେ । ପରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ବୈଠକ ହୋଇଥିଲା । କିନ୍ତୁ ସେଥିରୁ ମଧ୍ୟ କୈଣସି ନିଷ୍କର୍ଷ ବାହାରିନଥିଲ । ଫଳରେ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଆଲୋଚନା ପାଇଁ ସମୟ ମାଗିଥିଲା । କିନ୍ତୁ କୈାଣସି କାରଣରୁ ଏହା ସମ୍ଭବ ହୋଇପାରିନଥିଲ । ଉପାୟଶୂନ୍ୟ ହୋଇ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

 mahanadiଏପଟେ ଛତିଶଗଡ ଦ୍ୱାରା ନିର୍ମିତ ପ୍ରକଳ୍ପ ଯୋଗୁ ମହାନଦୀର ଜଳପ୍ରବାହ ରାଜ୍ୟବାସୀଙ୍କ ଚିନ୍ତା ବଢାଇଚାଲିଥିଲା । ମୈାସୁମୀ ଋତୁରେ ମଧ୍ୟ ଏହାର ପ୍ରଭାବ ରାଜ୍ୟ ଅନୁଭବ କରିଥିଲା । ଆଗକୁ ବିପଦ ଅଧିକ ହେବା ଆଶାରେ ସରକାରଙ୍କ ଚିନ୍ତା ମଧ୍ୟ ବଢି ଚାଲିଥିଲା । କିନ୍ତୁ ସରକାରଙ୍କ ଏହି ଏକଲା ଚଲୋ ନୀତିକୁ ବିରୋଧ କରି ବିରୋଧୀ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଥିଲେ । ଯାହାର ପ୍ରଭାବ ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଥିଲା । ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ଆରମ୍ଭ ହେବାଠାରୁ ପ୍ରତ୍ୟେକ ବିଧାନସଭା ଅଧିବେଶନରେ ଗୃହରେ ମହାନଦୀ ତାତି ଦେଖିବାକୁ ମିଳିଥିଲା । ଏପରିକି ଆରୋପ ପ୍ରତ୍ୟାରୋପ ଭିତରେ ବିଧାନସଭାର ଅଧିକାଂଶ କାର୍ଯ୍ୟ ଦିବସକୁ ମୁଲତବୀ ରଖିବାକୁ ପଡିଥିଲା । ଦିନ ଦିନ ଧରି ମହାନଦୀ ଲଢେଇକୁ କେମିତି ଶାଣିତ କରାଯିବ ସେ ନେଇ ଆଲୋଚନା ମଧ୍ୟ ହୋଇଥିଲା । ଶେଷରେ ବିରୋଧୀଙ୍କ ଦାବୀ ଆଗରେ ମୁଣ୍ଡ ନୁଆଁଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ପରେ ନିଜ ପ୍ରତିକ୍ରିୟାରେ ମହାନଦୀ ଲଢେଇ ପାଇଁ ଗୃହ କମିଟି ଗଠନ କରାଯିବ ବୋଲି କହିଥିଲେ । ଶେଷରେ ଗତ ଶୀତକାଳୀନ ଅଧିବେଶନରେ ଦୁଇଟି ଗୃହ କମିଟି ଗଠନ କରିଥିଲେ ବାଚସ୍ପତି । ହେଲେ ବୈଠକରେ ସଦସ୍ୟ ସାମିଲ ନହେବା ଏବଂ ବୈଠକ ସରିବା ପରେ ପହଂଚିବା ଗୋଟିଏ କଥା ପ୍ରମାଣିତ କରୁଛି, ମହାନଦୀକୁ ନେଇ ରାଜନୀତି ଜୋର ଚାଲିଛି ।