ଛତିଶଗଡରେ କଂଗ୍ରେସ ସରକାରଙ୍କ ବୋନସ ବୃଦ୍ଧି ବେଆଇନ୍ ! କେନ୍ଦ୍ର ନିକଟରେ ଫେରାଦ ହେବେ ଓଡିଶା ସରକାର ।

813

କନକ ବ୍ୟୁରୋ : ଛତିଶଗଡ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ରୁ ୨୫୦୦ଟଙ୍କାକୁ ବୃଦ୍ଧି କରିବା ପରେ ନୂଆ ବିବାଦ ଆରମ୍ଭ ହୋଇଛି । ବୋନସ ଭାବେ ଛତିଶଗଡ ସରକାର ୭୫୦ ଟଙ୍କା ବୃଦ୍ଧି କରିବାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟ ସରକାର ନିଜ ଇଚ୍ଛାରେ ବୋନସ ବଢାଇପାରିବେ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଛତିଶଗଡ ସରକାର ବେଆଇନ ଭାବେ ବୋନସ ବଢାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଛତିଶଗଡରେ ବୋନସ ବୃଦ୍ଧି ବେଆଇନ୍ । କେନ୍ଦ୍ର ନିକଟରେ ଫେରାଦ ହେବେ ଓଡିଶା ସରକାର । ପୂର୍ବ ପ୍ରତିଶ୍ରୁତି ମୁତାବକ ଭୂପେଶ ବାଘେଲ ଛତିଶଗଡ ମ୍ରୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିଥିଲେ । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କ୍ୱିଂଟାଲ ପିଛା ୨୫୦୦ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଥିଲା କ୍ୟାବିନେଟ୍ । କେନ୍ଦ୍ର ସରକାର ଏମଏସପିକୁ ୧୭୫୦ ଟଙ୍କା ରଖିଥିବା ବେଳେ ଛତିଶଗଡ ସରକାର ୭୫୦ ଟଙ୍କା ବୋନସ ରାଶି ଚାଷୀମାନଙ୍କୁ ଦେବାପାଇଁ ଘୋଷଣା କଲେ ।

ବିବାଦ କଥା ସେତେବେଳେ ଆସୁଛି ଯେତେବେଳେ ବୋନସ ବଢାଇଛନ୍ତି ଛତିଶଗଡ ସରକାର । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେବଳ କେନ୍ଦ୍ର ସରକାର ହିଁ ବଢାଇପାରିବେ । ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କହିବା ହେଲା, ଛତିଶଗଡ ସରକାର ନିୟମ ଉଲ୍ଲଙ୍ଘନ କରିଛନ୍ତି । ରାଜ୍ୟ ସରକାର ନିଜ ଇଚ୍ଛାରେ ବୋନସ ବଢାଇ ପାରିବେ ନାହିଁ । ଏ ନେଇ କେନ୍ଦ୍ରର ସ୍ୱତନ୍ତ୍ର ଗାଇଡ ଲାଇନ ରହିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ନିକଟରେ ଅଭିଯୋଗ କରାଯିବ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି ।

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ତାଙ୍କ ସମୟରେ ମଧ୍ୟ ୩୦୦ ଟଙ୍କା ବୋନସ ବୃଦ୍ଧି କରିଥିଲେ । ଏନେଇ କେନ୍ଦ୍ର ନିକଟରେ ଓଡିଶା ସରକାର ଅଭିଯୋଗ କରିବା ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ଏବେ ପୁଣି ଥରେ ବୋନସ ବୃଦ୍ଧି ହୋଇଥିବାରୁ କେନ୍ଦ୍ରକୁ ଏ ବାବଦରେ ଜଣାଇବେ ଓଡିଶା ସରକାର । ଦେଖିବାର କଥା କେନ୍ଦ୍ର ଏନେଇ କି ନିଷ୍ପତି ନେଉଛି ।