ସାମନାକୁ ଆସିଲା ଚାଂଚଲ୍ୟକର ତଥ୍ୟ : ପୁଲିସ ଜାରି କଲା ବିଜେଡି କାଉନସିଲର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କ କଲ୍ ରେକର୍ଡ

21

କନକ ବ୍ୟୁରୋ : ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାରେ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷଚନ୍ଦ୍ର ନାୟକ, ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ହତ୍ୟାକାଣ୍ଡର ଠିକ୍ ଗୋଟିଏ ଦିନ ପୂର୍ବରୁ , ହତ୍ୟାକାଣ୍ଡ ଦିନ ଏବଂ ଗିରଫ ହେବା ପର୍ଯ୍ୟନ୍ତ ଲଗାତାର ଯୋଗଯୋଗରେ ଥିଲେ । ଏ ସଂପର୍କିତ ସିଡିଆର ବା କଲ ଡିଟେଲ ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ।

ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆଉ ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ବିଜେପି ନେତା କୃଷ୍ଣ ନାୟକ । ଯିଏ, ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ଗିରଫ ହେବା ପର୍ଯ୍ୟନ୍ତ ବିଜେପି ମୁଖପାତ୍ର ଗୋଲକ ନାୟକଙ୍କ ସହ ୨୬ ଥର ଫୋନରେ  କଥା ହୋଇଛନ୍ତି । ଏହା ଭିତରେ ଦୁଇ-ଦୁଇଟି ନମ୍ବର ବଦଳାଇଛନ୍ତି କୃଷ୍ଣ ନାୟକ । ହେଲେ ଗୋଲକ ମହାପାତ୍ର, ଏହି ଗୋଟିଏ ନମ୍ବରରେ ହିଁ କ୍ରମାଗତ ଭାବରେ ଯୋଗାଯୋଗରେ ଥିଲେ । ସିଡିଆର ରିପୋର୍ଟ ମୁତାବକ, ଘଟଣା ଘଟିବା ଦିନ ପୂର୍ବରୁ ଅର୍ଥାତ୍ ୧୫ ସେପଟେମ୍ବରରେ ଅଭିଯୁକ୍ତ କୃଷ୍ଣ ଥିଲେ ଗୋଳନ୍ଥରାରେ । ଗୋଲକଙ୍କ ସହ କଥା ହେବା ପରେ ସିଧାସଖଳ ଛତ୍ରପୁର ଆସିଥିଲେ କୃଷ୍ଣ । ପରେ, ପୁଟ୍ଟୀ ଗୋପାଳପୁର । ଗୋଲକଙ୍କ ସହ କଥା ହେବା ପରେ ଗୋଟିଏ ଦିନରେ ୩-୩ଟି ସ୍ଥାନ ବଦଳାଇଥିଲେ କୃଷ୍ଣ ।

୧୬ ତାରିଖ ଦିନ ଘଟଣା ଘଟାଇବା ପରେ ଅର୍ଥାତ୍ ହତ୍ୟାକାଣ୍ଡର ପାଖାପାଖି ୫ ଘଂଟା ପରେ ଗୋଲକଙ୍କୁ ପୁଣି ଫୋନ୍ କରି, କଟକ ପଳାଇ ଆସିଥିଲେ । ୧୭ ତାରିଖରେ ଗୋଲକଙ୍କ ସହ ଯୋଗାଯୋଗରେ ରହି ପୁଣି ୩ଟି ସ୍ଥାନ ପରିବର୍ତନ କରିଥିଲେ ଏହି ମାଷ୍ଟରମାଇଣ୍ଡ । ୧୩ ଦିନ ପରେ ବଦଳି ଯାଇଥିଲା ଏହି ମାଷ୍ଟର ମାଇଣ୍ଡଙ୍କ ମୋବାଇଲ ନମ୍ବର । ଗୋଲକଙ୍କ ସହ ଯୋଗାଯୋଗ କରି ସିଧା ଉତ୍ତରାଖଣ୍ଡରେ ପହଂଚିଥିଲେ କୃଷ୍ଣ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଗୋଲକଙ୍କ ସହ କଥା ହେବା ପରେ ଉତ୍ତରାଖଣ୍ଡର ଡେରାଡୁନର ସିଦ୍ଧାର୍ଥ ହୋଟେଲରେ ପହଂଚିଥିଲେ କୃଷ୍ଣ ନାୟକ । ଅକ୍ଟୋବର ୧ ତାରିଖରୁ ୨୨ ତାରିଖ ଯାଏଁ, କୃଷ୍ଣ-ଗୋଲକଙ୍କ ସହ ଯୋଗାଯୋଗରେ ଥିଲା, ଏବଂ ପ୍ରାୟ ୧୮ ଥର ହୋଟେଲ ଲୋକେସନରୁ ଗୋଲକଙ୍କ ସହ ଫୋନରେ କଥା ହୋଇଥିଲେ ।

ସେପଟେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଛତ୍ରପୁର କାଉନସିଲର ହତ୍ୟା ଘଟଣାରେ ସ୍ପଷ୍ଟୀକରଣ ରଖିବା ସହ ଫସାଇବାକୁ ଷଡଯନ୍ତ୍ର କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସଫେଇ ରଖିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଭାରୀ ଦଳୀୟ ନେତାଙ୍କ ସହ କଥା ହେବାରେ ଅସୁବିଧା କେଉଁଠି ବୋଲି କହିଛନ୍ତି ।