ମୁମ୍ବାଇରେ ଛତ୍ରପତି ଶିବାଜୀଙ୍କ ବିଶାଳକାୟ ପ୍ରତିମୂର୍ତିର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

0

କନକ ବ୍ୟୁରୋ : ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ବିଶାଳକାୟ ପ୍ରତିମୂର୍ତିର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ମୁମ୍ବାଇ ସମୁଦ୍ର ତଟରେ ଆରବ ସାଗର ମଧ୍ୟରେ ଛତ୍ରପତି ଶିବାଜୀଙ୍କ ବିଶାଳକାୟ ପ୍ରତିମୂର୍ତିର ସ୍ଥାପନା ହେବ । ପ୍ରଧାନମନ୍ତ୍ରୀ ମୋଦି ତଟରକ୍ଷା ବାହିନୀର ଏକ ହୋବରକ୍ରାଫ୍ଟରେ ଶିବାଜୀଙ୍କ ସ୍ମାରକ ପାଇଁ ସ୍ଥିର କରାଯାଇଥିବା ସ୍ଥଳକୁ ଯାଇ ଏହାର ଶିଳାନ୍ୟାସ କରିଥିଲେ ।

ଏହି ପ୍ରତିମୂର୍ତି ୧୯୦ମିଟର ଉଚ୍ଚ ହେବ । ୩ହଜାର ୬ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରାଯିବ । ପ୍ରଥମେ ମୋଦି ଏହି ପ୍ରତିମୁର୍ତି ପାଇଁ ଜଳପୁଜନ କରିଥିଲେ । ଛତ୍ରପତି ଶିବାଜୀଙ୍କ ଏହି ପ୍ରତିମୂର୍ତି କେବଳ ଦେଶରେ ନୁହେଁ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତି ହେବ ବୋଲି ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୂଚନା ଦେଇଛନ୍ତି । ମୁମ୍ବାଇର ନରିମନ ପଏଂଟ ଓ ଗେଟୱେ ଅଫ୍ ଇଣ୍ଡିଆରୁ ବୋଟ ସାହାଯ୍ୟରେ ପର୍ଯ୍ୟଟକ ଏହି ଶିବାଜୀ ସ୍ମାରକକୁ ଯାଇପାରିବେ  ।

ଏହା ଗେଟୱେ ଅଫ୍ ଇଣ୍ଡିଆଠାରୁ ସମୁଦ୍ର ଭିତରେ ୧୨ କିଲୋମିଟର ଦୂରରେ ରହିଥିବା ବେଳେ ନରିମନ ପଏଂଟରୁ ସାଢେ ୩କିଲୋମିଟର ଦୂରରେ ପ୍ରତିଷ୍ଠା ହେବ  । ଏଠାରେ ଆର୍ଟ ମ୍ୟୁଜିୟମ, ଆମ୍ପି ଥିଏଟର, ମରିନ ଆକ୍ୱାରିୟମ ଓ ଗ୍ୟାଲେରୀ ମଧ୍ୟ ରହିବ  । ଏହାସହ ଏଠାରେ ପର୍ଯ୍ୟଟକଙ୍କ ପାଇଁ କାଫେଟେରିଆ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ରହିବ  ।

Comments are closed.