ଛତିଶଗଡ ଦାନ୍ତେୱାଡାରେ ବଡ଼ ନକ୍ସଲ ଆକ୍ରମଣ ! ବିସ୍ଫୋରଣ କରି ଉଡ଼ାଇଦେଲେ ଯବାନଙ୍କ ଗାଡ଼ି,ଘଟଣାସ୍ଥଳରେ ଚାଲିଗଲା ୭ ଯବାନଙ୍କ ଜୀବନ

26

କନକ ବ୍ୟୁରୋ : ଛତିଶଗଡର ମାଓ ଅଧ୍ୟୁଷିତ ଦାନ୍ତେୱାଡାରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୭ ଜଣ ଯବାନ ସହିଦ୍ ହୋଇଛନ୍ତି । ଛତିଶଗଡ ଆର୍ମଡ ଫୋର୍ସର ଯବାନ, ସର୍ଚ୍ଚ ଅପରେସନ ସାରି ଫେରୁଥିବାବେଳେ ରାସ୍ତା ଉପରେ ମାଓବାଦୀ ଲ୍ୟାଣ୍ଡମାଇନ୍ ଖଂଜିଥିଲେ । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ, ଯବାନଙ୍କ ଗାଡି ୫୦ ଫୁଟ ଉପରକୁ ଉଠି ଛିଟିକି ପଡିଥିଲା ।

ରାସ୍ତା ଉପରେ ୧୦ ଫୁଟର ଗାତ । ଚାରିଆଡେ ଛିଟିକି ପଡିଛି ଯବାନଙ୍କ ମୃତଦେହ । ଖଣ୍ଡ ଖଣ୍ଡ ହୋଇଯାଇଛି ଯବାନଙ୍କ ଏସୟୁଭି ଗାଡି । ମାଓବାଦୀଙ୍କ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଚାଲିଯାଇଛି ୬ଜଣ ଯବାନଙ୍କ ଜୀବନ । ଛତିଶଗଡ ଦାନ୍ତେୱାଡାର ଆରନପୁରରୁ ପାଟ୍ରୋଲିଂ ସାରି କିରନ୍ଦୁଲ ଥାନାକୁ ଫେରୁଥିଲେ ଛତିଶଗଡ ଆର୍ମଡ ଫୋର୍ସ ଓ ଜିଲ୍ଲା ପୋଲିସର ୭ଜଣିଆ ଟିମ୍ ।

ଚୋଲନାର ଠାରୁ ୨ କିଲୋମିଟର ଆଗକୁ ଏକ ପୋଲ ନିକଟରେ ରାସ୍ତାଉପରେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ ମାଓବାଦୀ । ଯବାନଙ୍କ ଗାଡି ପହଁଚିବା ମାତ୍ରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହୋଇ ପ୍ରାୟ ୫୦ ଫୁଟ ଉପରକୁ ଉଠିଥିଲା ଗାଡି । ବିସ୍ଫୋରଣରେ ୬ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଯବାନଙ୍କ ୨ଟି ଏକେ୪୭, ୨ଟି ଇନସାସ ଓ ୨ଟି ଏସଏଲଆର ରାଇଫଲ ସହ ଗ୍ରେନେଡ୍ ଲୁଟି ନେଇଛନ୍ତି ନକ୍ସଲ । ଘଟଣାପରେ ତୁରନ୍ତ ରାସ୍ତା କାମ କରାଯାଇଛି । ସ୍ଥାନୀୟ ଅଂଚଳରେ କୁମ୍ବିଂ ଅପରେସନ୍ ଜାରି ରହିଛି । ନକ୍ସଲ ବିରୋଧୀ ଅପରେସନ୍ ଡିଆଇଜିଙ୍କ ସୂଚନା ଅନୁସାରେ, ମାଓବାଦୀ ୫୦ କିଲୋଗ୍ରାମରୁ ଅଧିକ ବିସ୍ପୋରକ ବ୍ୟବହାର କରିଥିଲେ । ଯାହା ଏକ ବୁଲେଟପ୍ରୁଫ୍ ଗାଡି ଉଡାଇବାକୁ ମଧ୍ୟ ଯଥେଷ୍ଟ ।