ଆମେ ଓଡିଆ, ହେଲେ ଠିକଣା ଛତିଶଗଡ଼ ! ଓଡିଶାବାସୀଙ୍କୁ ଟାଣି ନେଉଛି ରମଣ ସରକାରଙ୍କ ମନଲୋଭା ଯୋଜନା

66

କନକ ବ୍ୟୁରୋ: ଓଡ଼ିଶା ଛାଡ଼ି ଛତିଶଗଡ଼ ଚାଲିଗଲେ ଗୋଟିଏ ଗାଁର ୨୫ଟି ପରିବାର । ରାଜ୍ୟ ବଦଳିଗଲା, ଆଉ ତା ସହ ବଦଳିଗଲା ଠିକଣା । ଏବେ ସେମାନଙ୍କର ପରିଚୟ ଓଡ଼ିଆ ନୁହେଁ, ଛତିଶଗଡ଼ି । ବୃହତ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ବୁଦ୍ଧୀଜୀବୀମାନେ ଆଜିର ଦିନରେ ବି ଷଢ଼େଇକଳା ଓ ଖରସୁଆଁକୁ ଝୁରି ହେଉଥିବା ବେଳେ ଓଡ଼ିଆମାନେ ଓଡ଼ିଶା ଛାଡୁଛନ୍ତି । କାହିଁକି ନା’ ସରକାରୀ ଯୋଜନା ଓ ସୁବିଧା-ସୁଯୋଗ ନଥିବାରୁ ଓଡ଼ିଶା ବଦଳରେ ପଡ଼ୋଶୀ ରାଜ୍ୟରେ ରହିବାକୁ ପସନ୍ଦ କରୁଛନ୍ତି । ଆଜି ଯେଉଁ ବରଗଡ଼ ଜିଲ୍ଲାର ବିଜେପୁରକୁ ନେଇ, ରାଜ୍ୟ ରାଜନୀତି ସରଗରମ ରହିଛି, ସେହି ବରଗଡ଼ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଭୁବନେଶ୍ୱରରୁ ବରଗଡ଼ ଜିଲ୍ଲାର ସୀମାନ୍ତରେ ପହଂଚିଲା ବେଳକୁ ସଂଜ ନଇଁ ଆସିଥାଏ । କିଟି କିଟି ଘନ ଅନ୍ଧାରରେ ଛତିଶଗଡ଼ର ମଧୁଢ଼ିପା ଗାଁରେ ପହଂଚି ଥିଲା କନକ ନ୍ୟୁଜର ଟିମ । ଯେଉଁଠି ମହିଳାମାନେ ତୁଳସୀ ଗଛ ଏବଂ ଅଶ୍ୱସ୍ତ ଗଛ ମୂଳେ ଦୀପ ଜଳାଉଥାନ୍ତି । ଠିକ୍ ଓଡ଼ିଶା ଘରର ବୋହୂଙ୍କ ଭଳି । ପଚାରିବାରୁ ଜଣାପଡ଼ିଲା, ଏମାନେ ଆଉ ଓଡ଼ିଆ ହୋଇ ରହି ନାହାଁନ୍ତି । ବଦଳି ଯାଇଛି ଠିକଣା । ଓଡ଼ିଶାର ବିରଜୁପାଲିରୁ ଗାଁର ୨୫ ପରିବାର ଉଠି ଆସିଛନ୍ତି ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଏହି ଗାଁକୁ । ଆଉ କାରଣ ପଚାରିବାରୁ ଗୋଟି ଗୋଟି କରି ସମସ୍ୟା ବଖାଣି ଥିଲେ ଛତିଶଗଡ଼ ଚାଲି ଆସିଥିବା ସ୍ଥାନୀୟ ବାସିନ୍ଦା ।

ଓଡ଼ିଶା ଓ ଛତିଶଗଡ଼ର ସୀମା ନିର୍ଦ୍ଧାରଣ କରୁଛି ଏକ ଛୋଟିଆ ନାଳ । ଏହି ନାଳ ଡେଇଁ ଏମାନେ ଛତିଶଗଡ଼ ଚାଲି ଆସିଛନ୍ତି । ରମଣ ସିଂ ସରକାରଙ୍କ ଯୋଜନା ଓ ସୁବିଧା ସୁଯୋଗ, ଏମାନଙ୍କୁ ଟାଣି ଆଣିଛି ପଡୋଶୀ ରାଜ୍ୟକୁ । ଏମାନଙ୍କ ପାଖରେ ଏବେ ଭୋଟର କାର୍ଡ, ଆଧାର କାର୍ଡ ସବୁ ମିଳୁଛି ଛତିଶଗଡ଼ ସରକାରର ସବୁ ସୁବିଧା । ଦୁଇଟି ଗାଁର କଥା ତ ଜାଣିଲେ ଏବେ ନଜର ପକାନ୍ତୁ ଦୁଇଟି ରାଜ୍ୟର ୨ଟି ହସ୍ପିଟାଲ ଉପରେ । ଗୋଟିଏ ବରଗଡ଼ ଜିଲ୍ଲାର, ଅନ୍ୟଟି ଛତିଶଗଡ଼ର ରାୟଗଡ଼ ଜିଲ୍ଲାର । ସଫା ସୁତୁରା ଓ ବ୍ୟବସ୍ଥିତ ଢ଼ଙ୍ଗରେ ଛତିଶଗଡରେ ସ୍ୱାସ୍ଥ୍ୟ ସେବା ଚାଲିଥିବା ବେଳେ ଆମ ରାଜ୍ୟର ହସ୍ପିଟଲରେ ଢ଼ୁଳାଉଛନ୍ତି ହସ୍ପିଟାଲ କର୍ମଚାରୀ । ଆଉ ଏହି ସବୁ ସୁବିଧା-ସୁଯୋଗ ସୀମାନ୍ତର ଲୋକଙ୍କୁ ଛତିଶଗଡ଼କୁ ଟାଣି ନେଉଛି ।

ଏବେ ପ୍ରଶ୍ନ ଉଠିଛି-

– କାହିଁକି ସୀମାନ୍ତକୁ ପହଂଚି ପାରୁନି ସରକାରୀ ସୁବିଧା-ସୁଯୋଗ ?

– ପ୍ରତି କଥାକୁ ଛତିଶଗଡ଼କୁ ଆକ୍ଷେପ କରୁଥିବା ଆମ ସରକାର ପଛରେ ପଡ଼ି ଯାଉଛନ୍ତି କି?

– ଓଡ଼ିଆ ଲୋକ ଓଡ଼ିଶା ବଦଳରେ ଛତିଶଗଡ଼କୁ କାହିଁକି ଆପଣାର ଭାବୁଛନ୍ତି ?