ବିବାଦ ନୁହେଁ ସଂପର୍କର ଧାରା ସାଜିଲା ମହାନଦୀ : ଛତିଶଗଡ ଛାଡି ଓଡିଶାକୁ ଆଦରିଲେ ସୋନି

27

କନକ ବ୍ୟୁରୋ : ମହାନଦୀ ପାଣିରୁ ଉଦ୍ଧାର ହୋଇଥିବା ସୋନି ଯାଦବ ଜୀବନରେ ଆସିଛି ନୂଆ ମୋଡ। ମହାନଦୀ ପାଣିରେ ଭାସି ଆସଥିବା ସୋନି ଉଦ୍ଧାର ହେବା ପରେ ନିଜ ଗାଁକୁ ଯାଇଥିଲ ସତ । କିନ୍ତୁ ବାପାମାଆ ଛେଉଣ୍ଡ ସୋନି ଭିତରେ ସୃଷ୍ଟି ହୋଇଥିଲା ଭାବ ପ୍ରବଣତା । ଆଉ ପୁଣି ଫେରି ଆସିଛନ୍ତି ତାଙ୍କୁ ଉଦ୍ଧାର କରିଥିବା ମତ୍ସ୍ୟଜୀବୀ ପରିବାରକୁ , ଓଡିଶାର କୁଶମେଲ ଗାଁକୁ।

ଏମାନଙ୍କୁ ଦ୍ୱିତୀୟ ବାପାମାଆ ବୋଲି କହିଛନ୍ତି ସୋନି ଏବଂ ତାଙ୍କୁ ମଧ୍ୟ ନିଜ ଝିଅ ବୋଲି ଗ୍ରହଣ କରିନେଇଛନ୍ତି ସନ୍ନ୍ୟାସୀ କାଲୋଙ୍କ ପରିବାର। ଏନେଇ ସୋନି ସାରଙ୍ଗଗଡ ଥାନାରେ ଲିଖିତ ଭାବେ ଜଣାଇସାରିଛନ୍ତି । ଏନେଇ କାଲୋ ଦଂପତି ମଧ୍ୟ ରେଙ୍ଗାଲି ଥାନାକୁ ଜଣାଇଛନ୍ତି । ଏପଟେ ସୋନି ଫେରି ଆସିବା ପରେ ସ୍ଥାନୀୟ ଲୋକେ ବି ଖୁସି ।

ସୋନି ଯାଦବ ଚନ୍ଦ୍ରହାସିନୀ ମନ୍ଦିର ନିକଟରେ ମହାନଦୀରେ ହାତଗୋଡ ଧୋଉଥିବା ବେଳେ ଗୋଡ ଖସିଯାଇଥିଲା ଏବଂ ପାଣି ସୁଅର ସେ ଭାସିଯାଇଥିଲେ । ୧୨ ଘଂଟାରୁ ଅଧିକ ସମୟ ମହାନଦୀର ସୁଅରେ ଜୀବନ ସଂଘର୍ଷ ପରେ  ଉଦ୍ଧାର ପାଇଲେ ଝାରସୁଗୁଡାରେ । ଏହା ପରେ ଯାହା ଘଟିଲା ତାହା ନୂଆ କାହାଣୀ ସୃଷ୍ଟି କଲା । ଛତିଶଗଡ ଓ ଓଡିଶା ଭିତରେ ମହାନଦୀ ପାଣି ନେଇ ବିବାଦ ବଢିବାରେ ଲାଗିଥିବା ବେଳେ ଏହି ପାଣି ଦୁଇ ରାଜ୍ୟର ସାଧାରଣ ଲୋକଙ୍କ ମଧ୍ୟରେ ଗଢିଛି  ଏକ ନୁତନ ସଂପର୍କର ସେତୁ ।