କଲମା କନ୍ଦଳ ! ନବୀନ୍ ବ୍ୟାରେଜକୁ ରାଜନୈତିକ ପ୍ରସଙ୍ଗ ବନାଇ ରଖିବାକୁ ଚାହୁଁଛନ୍ତି କହିଲେ ଛତିଶଗଡ଼ ସରକାର

33

କନକ ବ୍ୟୁରୋ : ପୁଣି ରାଜନୀତିକୁ ଫେରିଲା ମହାନଦୀ ପ୍ରସଙ୍ଗ । ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ତିଆରି କରିଥିବା କଲମା ବ୍ୟାରେଜ ଗେଟ୍ ବନ୍ଦ କରିଦେବାରୁ ତଳମୁଣ୍ଡରେ ଜଳ ପ୍ରବାହ କମିଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମଣ ସିଂଙ୍କୁ ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ ସରକାର । ଜଳସଂପଦ ମନ୍ତ୍ରୀ କହିଛନ୍ତି କୌଣସି ଗେଟ୍ ବନ୍ଦ କରାଯାଇ ନାହିଁ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏନେଇ କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ହେଲେ ବିଜେଡି କହିଛି, ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇ ଦେବାପାଇଁ ଏକପାଖିଆ ଭାବେ ଓଡିଶା ବିରୋଧୀ ନିଷ୍ପତି ନେଉଛି ଛତିଶଗଡ । ଆଉ କଂଗ୍ରେସ୍ ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛି ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ୬ଟି ବ୍ୟାରେଜ୍ ନିର୍ମାଣକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି ଓଡିଶା ସରକାର । ମାମଲା ବିଚାରାଧୀନ ଥିବା ସମୟରେ ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇ ଦେବା ପାଇଁ ଛତିଶଗଡ ଉପରମୁଣ୍ଡରେ ପାଣି ଅଟକାଇବାକୁ ନିନ୍ଦା କରିଛି ଓଡିଶା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉଭୟ କେନ୍ଦ୍ର ଓ ଛତିଶଗଡ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ମହାନଦୀ ହେଉଛି ଓଡିଶାର ଜୀବନଧାରା । ଯଦି ମହାନଦୀର ପାଣିକୁ ଅଟକାଇ ଦିଆଯାଏ ତେବେ ଓଡିଶାର ତଳ ମୁଣ୍ଡରେ ଏକ ବଡ ଧରଣର ଜଳାଭାବ ସୃଷ୍ଟି ହେବାର ଆଶଙ୍କା ରହିଛି । ଗୋଟିଏ ପଟେ ଓଡିଶା ସରକାର କହୁଛନ୍ତି ବ୍ୟାରେଜର ଗେଟ୍ ବନ୍ଦ ପାଇଁ ପ୍ରଭାବ ସୃଷ୍ଟି ହୋଇଛି, ଅନ୍ୟପଟେ ଛତିଶଗଡ କହୁଛି ଯେତିକି ପାଣି ଛଡାଯିବା କଥା ଛଡାଯାଉଛି । ପ୍ରଶ୍ନ ଉଠୁଛି ଛତିଶଗଡ ସରକାର ସତ କହୁଛନ୍ତି ତ?