ରମଣଙ୍କୁ ଭରସି ପାରିଲାନି ରାଜ୍ୟ ବିଜେପି ! ପ୍ରଥମେ କହିଲେ ପ୍ରଚାର କରିବେ ତା ପରେ କିନ୍ତୁ ତାଲିକାରୁ ନାଁ କାଟିଦେଲେ

72

କନକ ବ୍ୟୁରୋ : ବିଜେପୁର ଊପନିର୍ବାଚନ ପାଇଁ ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବିଜେପୁର ମୈଦାନକୁ ଷ୍ଟାର ପ୍ରଚାରକ ଭାବେ ରମଣ ସିଂ ଆସିବା ନେଇ ବିଜେପି ନେତା ଯେଉଁଭଳି ଭାବେ ଗଳା ଫଟାଇ କହୁଥିଲେ ସେଥିରେ ବ୍ରେକ ଲଗାଇଛନ୍ତି ଖୋଦ ଦଳୀୟ ମୁଖିଆ । କାରଣ ଷ୍ଟାର ପ୍ରଚାରକ ଲିଷ୍ଟରୁ ରମଣଙ୍କୁ ବଏକଟ କରାଯାଇଛି । କିନ୍ତୁ ରମଣଙ୍କୁ କାହିଁକି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଗଲା ତାହାକୁ ନେଇ ଏବେ ରାଜନିତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେପୁର ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ପ୍ରଚାରର ମଙ୍ଗ ଧରିବେ ବୋଲି ଜଣାପଡିଛି ।

BIJEPURଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟ ବିଜେପି ନେତା ରମଣଙ୍କ ନାଁକୁ ହେଭିୱେଟ ତାଲିକାରେ ପ୍ରଥମରେ ରଖିଥିବା ବେଳେ ହଠାତ୍ ଏହି ସୂଚୀରେ ଏଭଳି ପରିବର୍ତ୍ତନ ଅନେକଙ୍କୁ ବିସ୍ମିତ କରିଛି । ଏପରିକି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ମଧ୍ୟ ରମଣ ଆସିବା ନେଇ ସ୍ୱଷ୍ଟ କରିଥିଲେ । କିନ୍ତୁ ହଠାତ୍ ଏମିତି କଣ ହେଲା ଯେ ରମଣଙ୍କୁ ବିଜେପୁରକୁ ଆସିବା ପାଇଁ ଡାକରା ମିଳିଲାନି । କଣ ରାଜ୍ୟ ବିଜେପିର ରମଣଙ୍କ ଉପରେ ଭରଷା ପାଇଲାନି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଥିଲେ ରମଣ । ଆଉ ରମଣଙ୍କ ପ୍ରଚାର ଯୋଗୁଁ ଦଳ ସଫଳତା ମଧ୍ୟ ସାଉଁଟିଥିଲା । କିନ୍ତୁ ବିଜେପୁର ପାଇଁ ରାତି ଅଧିଆ ପ୍ରସ୍ତୁତ ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରମଣଙ୍କୁ ବଏକଟ କରାଯିବା ଏବେ ଅନ୍ୟ ଦଳ ପାଇଁ ଚର୍ଚ୍ଚାର ଖୋରାକ ପାଲଟିଛି ।

mahanadi bridgeରମଣଙ୍କୁ ଷ୍ଟାର ପ୍ରଚାରକ ତାଲିକାର କାରଣ ଖୋଜୁ ଖୋଜୁ ମହାନଦୀ ବିବାଦ ପାଖରେ ଏହାର ଖିଅ ମିଳିଥିଲା । ମହାନଦୀ ବିବାଦ ଥମିନଥିବା ବେଳେ ବିଜେପୁରକୁ ରମଣଙ୍କୁ ଡାକିବା ବିଜେପି ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଛତିଶଗଡ ମହାନଦୀର ଉପରପାଶ୍ୱର୍ରେ ବନ୍ଧ ନିର୍ମାଣ କରି ପାଣି ଅଟକାଇବା ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ଏବେ ଜଳସେଚନରୁ ବଞ୍ଚିତ ହେଉଛି । ତେଣୁ ବନ୍ଧ ନିର୍ମାଣ ବନ୍ଦ କରିବା ପାଇଁ ରମଣ ସରକାରଙ୍କୁ ବାରମ୍ବାର ନବୀନ ସରକାର ନିବେଦନ କରିଛନ୍ତି । କିନ୍ତୁ ଛତିଶଗଡ ଓଡ଼ିଶାର ଏଭଳି ଦାବୀକୁ ନ ଶୁଣି ବନ୍ଧ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଯାହାକୁ ନେଇ ଓଡ଼ିଶା- ଛତିଶଗଡ ମଧ୍ୟରେ ଦୀର୍ଘଦିନରୁ ବିବାଦ ଲାଗି ରହିଛି । ଏପରିକି ଏହି ବିବାଦକୁ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏସବୁ ପରେ ମଧ୍ୟ ସବୁ ଫଳ ଶୂନ । ତେଣୁ ଓଡ଼ିଶା ପାଇଁ ଏବେ ରମଣ ବାଗୀ ପାଲଟି ଯାଇଛନ୍ତି ।

amit sahaଏଭଳି ସ୍ଥଳେ ରମଣଙ୍କୁ ବିଜେପୁର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବା ଦଳକୁ କ୍ଷତି ପହଞ୍ଚାଇବ ବୋଲି ବିଜେପି ଭାବୁଛି । କାରଣ ବିଜେପୁର ଏକ କୃଷି ପ୍ରବଣ ଅଞ୍ଚଳ । ଏଠାକାର ଅଧିକାଂଶ ଭୋଟର ଚାଷ ଉପରେ ନିର୍ଭରଶୀଳ । ଯେହେତୁ ମହାନଦୀ ବିବାଦ ପାଇଁ ରମଣଙ୍କୁ ବିଜେଡି ଚାଷୀ ବିରୋଧୀ ବୋଲି ଦର୍ଶାଇଛି ତେଣୁ ତାଙ୍କୁ ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇ ଦଳ କୌଣସି ରିସ୍କ ନେବାକୁ ଚାହୁଁନାହିଁ ବୋଲି ଚର୍ଚ୍ଚା ହେଉଛି । ରମଣଙ୍କୁ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରିଥିଲେ ବିଜେଡିକୁ ଏହା ଡବଲ ଫାଇଦା ଦେଇଥାନ୍ତା । ରମଣଙ୍କୁ ଚାଷୀ ବିରୋଧୀ ଚିତ୍ରଣ କରି ଚାଷୀଙ୍କ ଭୋଟ ହାତେଇବାରେ ସକ୍ଷମ ହୋଇଥାଆନ୍ତା ବିଜେଡି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜେପି ରାଜନୀତିର ଚାଣକ୍ୟ ଅମିତ ଶାହା ବିଜେପୁର ପାଇଁ ଷ୍ଟ୍ରାଟେଜି ବଦଳାଇଛନ୍ତି । ଆଉ ନିଜେ ଧରିଛନ୍ତି ପ୍ରଚାରର ମଙ୍ଗ । ତେବେ ବିଜେପୁରରେ ଅମିତଙ୍କ ପ୍ରଭାବ ପଡିବ କି ନାହିଁ ତାହା ଆଗାମୀ ଦିନରେ ଜଣା ପଡିବ ।