ମାନିଲା ଛତିଶଗଡ ! ବିକ୍ରି ହେଉଛି ମହାନଦୀ ପାଣି

27

କନକ ବ୍ୟୁରୋ : ମାନିଲା ଛତିଶଗଡ । ଶିଳ୍ପ ସଂସ୍ଥାଠାରୁ ଟଂକା ନେଇ ଦେଉଛୁ ପାଣି । କମ୍ପାନୀ ମାନଙ୍କ ଠାରୁ ୧୫ ବର୍ଷ ପାଇଁ ଜଳ କର ବାବଦରେ ଟଙ୍କା ନେଇଛନ୍ତି ସରକାର । ଆଉ ସେହି ଟଙ୍କାରେ ତିଆରି ହେଉଛି ବ୍ୟାରେଜ୍ । ଓଡିଶାର ସ୍ୱାର୍ଥକୁ ପଛରେ ପକାଇ ଏ ହେଉଛି ରମଣ ସରକାରର ଶିଳ୍ପ ସଂସ୍ଥା ପ୍ରୀତି । ଚାଷ ନୁହେଁ ଶିଳ୍ପ ସଂସ୍ଥାକୁ ପାଣି ଦେବାକୁ ମହାନଦୀ ଉପର ମୁଣ୍ଡରେ ତିଆରି କରିଛି ଏକାଧିକ ଡ୍ୟାମ୍ । ମହାନଦୀ ଉପରେ ଏକଚାଟିଆ ହକ୍ ଜାହିର କରୁଛି ଛତିଶଗଡ । ଯାହାର ଫଳ ଭୋଗୁଛି ଓଡିଶା ଭଳି କୃଷି ପ୍ରଧାନ ରାଜ୍ୟ ।

ମହାନଦୀ ଆମର, ପାଣି ବି ଆମର । ଛତିଶଗଡର ଏଭଳି ମତ ମହାନଦୀ ଉପରେ ଦାଦାଗିରିକୁ ଖୋଲାଖୋଲି ଦର୍ଶାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଛତିଶଗଡ କେତେ ପରିମାଣର ପାଣି ଅଟକାଉଛି ତାର ହିସାବ ଅଛି କି ଓଡିଶା ପାଖରେ? ଚାଷ ନାଁରେ କମ୍ପାନୀକୁ ପାଣି ଟେକି ଦେବାକୁ ରମଣ ସରକାର କେମିତି କରିଛନ୍ତି ଡିଲ୍?

ସେପଟେ ଏହାରି ଭିତରେ ମହାନଦୀକୁ ନେଇ ପୁଣି ତେଜିଛି ରାଜନୀତି । ବିଜେଡି କହିଛି ମହାନଦୀ ଉପରେ ଛତିଶଗଡର ଯେତିକି ଅଧିକାର, ତାଠୁ ଅଧିକ ଓଡିଶାର । ମହାନଦୀ ଗୋଳିଆ ପାଣିର ଫାଇଦା ନେବାକୁ ଆଗକୁ ଆସିଛି କଂଗ୍ରେସ୍ । ୨୦ ବର୍ଷ ଧରି ବିଜେଡି ସବୁ ଜାଣି ଚୁପ୍ ରହିଛି ଆଉ ଏବେ ବିଜେପି-ବିଜେଡି ରାଜନୀତି କରୁଛନ୍ତି ବୋଲି କହିଛି । ସେପଟେ ଛତିଶଗଡ ମନ୍ତ୍ରୀଙ୍କ ମତକୁ ଭୁଲ୍ କହିଥିଲେ ବି ମହାନଦୀ ସଂଗ୍ରାମ ଜାରି ରହିବ ବୋଲି କହିଛି ରାଜ୍ୟ ବିଜେପି ।

ବିଶେଷଜ୍ଞଙ୍କ ମତରେ ସ୍ଥିତି ହାତରୁ ଖସିବା ଆଗରୁ ଦୁଇ ରାଜ୍ୟକୁ ଏକାଠି ବସାଇ କେନ୍ଦ୍ର ସମାଧାନର ସୁତ୍ର ବାହାର କରୁ । ମୋଦି ସରକାରଙ୍କ ୩ ବର୍ଷର ସଫଳତା ବଖାଣିବାକୁ ଓଡିଶା ଆସୁଛନ୍ତି ମାଳ ମାଳ କେନ୍ଦ୍ରୀୟ ନେତା । ହେଲେ ମହାନଦୀକୁ ନେଇ ଛତିଶଗଡ ମନ୍ତ୍ରୀଙ୍କ ଏଭଳି ମତ ନୂଆ ବିବାଦ ସୃଷ୍ଟି କରିଛି ।