ମର୍ଡର ଅଭିଯୁକ୍ତଙ୍କ ପାଇଁ ମୁଖପାତ୍ର ! ଛତ୍ରପୁର କାଉନସିଲର ହତ୍ୟା ଅଭିଯୁକ୍ତଙ୍କ ମୁହଁରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ନାଁ 

36

କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତ ବିଜେପି ନେତାଙ୍କୁ ସାହାଯ୍ୟ କରୁଥିଲେ ବିଜେପି ମୁଖପାତ୍ର । କେଉଁଠି ରହିବେ ଆଉ ମାମଲାରୁ କେମିତି ମୁକୁଳିବେ ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସାହାଯ୍ୟ ନେଉଥିଲେ ହତ୍ୟା ଅଭିଯୁକ୍ତ କୃଷ୍ଣ ନାୟକ । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ପୋଲିସ ହାତରେ ଧରାପଡିବା ପରେ ଏହି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଫଳରେ ବିଜେପି ଏବେ ଆସିଛି ବ୍ୟାକଫୁଟକୁ । ହେଲେ ବିଜେପି ମୁଖପାତ୍ର କହିଛନ୍ତି, ଏହା ରାଜନୈତିକ ଆକ୍ରୋଶ ।

chhatrapurଅଡୁଆରେ ବିଜେପି ନେତା ଗୋଲକ ମହାପାତ୍ର । କାଉନସିଲର ହତ୍ୟା ଅଭିଯୁକ୍ତଙ୍କ ମୁହଁରେ ଗୋଲକଙ୍କ ନାଁ । ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବାକୁ ପ୍ରୟାସ କରିଥିଲେ ଗୋଲକ? ଏଭଳି ଚାଂଚଲ୍ୟକର ତଥ୍ୟ ଖୋଦ କୃଷ୍ଣ ନାୟକ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ଯିଏ କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ପୋଲିସ ହାତରେ ଷଡଯନ୍ତ୍ରକାରୀ ଲାଗିବା ପରେ ସାମ୍ନାକୁ ଆସିଛି ଏହି ସାଂଘାତିକ କଥା ।

ବିଜେପି ନେତା ଗୋଲକ ମହାପାତ୍ରଙ୍କ ସହ କଲିକତାରୁ ଯୋଗାଯୋଗରେ ଥିଲେ କୃଷ୍ଣ ନାୟକ । ହତ୍ୟାକାଣ୍ଡ ପରେ ଟାକ୍ସି ଯୋଗେ କଟକ ଯାଇଥିଲେ ଅଭିଯୁକ୍ତ । ଆଉ ସେଠାରୁ କୋଲକାତା । ଏଭଳି ୧୫ ଦିନ ଲୁଚି ବୁଲିବା ପରେ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଯୋଗାଯୋଗ କରି ସାହାଯ୍ୟ ମାଗିଥିଲେ ଅଭୃିଯୁକ୍ତ । ଆଉ ସହାୟତା ବି କରିଥିଲେ ବିଜେପି ନେତା । ଏକଥାକୁ ନିଜେ କହିଛନ୍ତି କୃଷ୍ଣ ନାୟକ ।

ରାଜ୍ୟ ରାଜନୀତିରେ ଚହଳ ପକାଇଥିବା ଏହି ହତ୍ୟାକାଣ୍ଡରେ ଏବେ ବିଜେପି ଆସିଛି ବ୍ୟାକଫୁଟକୁ । ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଦଳରେ ମିଶିଥିବା କୃଷ୍ଣ ନାୟକ ହତ୍ୟା ଅଭିଯୁକ୍ତ ହୋଇ ପ୍ରଥମ କଂଟା ହୋଇଥିଲେ ଆଉ ଏବେ ଗୋଲକଙ୍କ ନାଁ ସାମ୍ନାକୁ ଆସିବା ପରେ ଦଳ ପାଇଁ ଅଡୁଆ ବଢିଛି । ହେଲେ ବିଜେପି ମୁଖପାତ୍ର କହିଛନ୍ତି, ଏହା ରାଜନୈତିକ ଆକ୍ରୋଶ । ଗୋଲକ ଗଞ୍ଜାମ ଦାୟିତ୍ୱରେ ଥିବାରୁ ତାଙ୍କୁ ଏଥିରେ ସମ୍ପୃକ୍ତ କରାଯାଉଛି । ଏହାଛଡା ଜିଲ୍ଲା ଏସପି ମଧ୍ୟ ରାଜନୈତିକ ବସ ମାନଙ୍କୁ ଖୁସି କରିବା ପାଇଁ ଏଭଳି ଷଡଯନ୍ତ୍ର କରିଛନ୍ତି ବୋଲି ବିଜେପି କହିଛି ।

chhatrapurରାଜନୀତିରେ ରକ୍ତର ଛିଟା ଏବେ ବିଜେପିକୁ ବିବାଦ ଘେରକୁ ଟାଣିଛି । କାରଣ ଗଂଜାମ ରାଜନୀତିରେ ବିଜେପିର ଦୁଇ ଯୁବ ଚେହେରା ଏବେ ପୋଲିସ ହେପାଜତରେ । କୃଷ୍ଣ ନାୟକଙ୍କ ସହ ପୋଲିସ ବାନ୍ଧିଛି ଜିଲ୍ଲା ବିଜେପି ସଂପାଦକ ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ । ପ୍ରଶ୍ନ ଉଠୁଛି-

ରାଜନୀତିରେ ଅସହିଷ୍ଣୁତା ପାଇଁ ହୋଇଛି କି ହତ୍ୟାକାଣ୍ଡ?

ଜଣେ ହତ୍ୟା ଅଭିଯୁକ୍ତଙ୍କୁ କିଭଳି ସାହାଯ୍ୟ କରୁଥିଲେ ଗୋଲକ?

ପୋଲିସ ଅପରାଧୀଙ୍କୁ ଖୋଜୁଥିବା ବେଳେ ଗୋଲକ କାହିଁକି ଥିଲେ ସଂପର୍କରେ?

କୃଷ୍ଣ ନାଁ ନେଇଥିବା ଚନ୍ଦୁ କିଏ, ଯିଏ ନେତାଙ୍କ ଇସାରାରେ ସହଯୋଗ କରିଥିଲେ?

ବିଜେପି ଅଡୁଆରେ ପଡିଥିବା ଦେଖି, ବିଜେଡି ମାରିଛି ସମାଲୋଚନାର ତୀର । ବିଜେଡି ନେତା ସୂର୍ଯ୍ୟ ପାତ୍ର କହିଛନ୍ତି, ସତ ହୋଇଥିଲେ ସାଂଘାତିକ । ଅପରାଧୀଙ୍କୁ ଲୁଚାଇବା ବଡ ଅପରାଧ ।ପୋଲିସ ଏହା ଉପରେ ତଦନ୍ତ କରୁଛି । ଯଦି ଏପରି ହୋଇଥାଏ ତେବେ ବିଜେପି ଉପରୁ ଲୋକଙ୍କ ଭରସା ଉଠିଯିବ ।

 ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଯୁବ ବିଜେଡି ନେତା ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟାକାଣ୍ଡ । ରାଜନୈତିକ ଅଭିସନ୍ଧୀ ରଖି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ବିଜେଡି ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ଏବେ ପୋଲିସ ପାଇଛି ଖିଅ । ୭ ଦିନିଆ ରିମାଣ୍ଡରେ ନେଇ ସତ ଓଗାଳିବାକୁ ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି ।