ପ୍ରସିଦ୍ଧ ଭାରତୀୟ ଲେଖକ ଚେତନ୍ ଭଗତଙ୍କ ଉପରେ ଆସିଲା ଯୌନ ଉତ୍ପୀଡନ ଅଭିଯୋଗ : ହ୍ୱାଟସଆପ୍ ମେସେଜର ସ୍କ୍ରିନସର୍ଟ ଭାଇରାଲ ହେବା ପରେ ମାଗିଲେ କ୍ଷମା

27

ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ବିବାଦ ପରେ ଆଉ ଏକ ‘ମି ଟୁ’ ମୁହୁର୍ତ୍ତ , ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣାଶୁଣା ଭାରତୀୟ ଲେଖକ ଚେତନ୍ ଭଗତଙ୍କ ଏକ କାରନାମାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଜନୈକା ମହିଳାଙ୍କ ସହ ଲେଖକ ଭଗତ ସୋସିଆଲ ମିଡିଆର ଚାଟିଂ ସାଇଟକୁ ଯାଇ ତାଙ୍କ ସହ ଅଶାଳୀନ ଚାଟିଂ କରିବା ସହିତ ନିର୍ଯ୍ୟାତନା ଦେବା ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜାଣିବାକୁ ମିଳିଛି ଯେ ଲେଖକ ଭଗତ ଗତ କିଛି ମାସ ଧରି ଜନୈକା ମହଳାଙ୍କ ସହ ସୋସିଆଲ ମିଡିଆର ଚାଟିଂ ସାଇଟ୍କୁ ଯାଇ ତାଙ୍କ ସହ ଅଶାଳୀନ ଚାଟିଂ କରିବା ଆରମ୍ଭ କରିଥିଲେ। ତେବେ, ଲେଖକ ଭଗତଙ୍କ ଚାଟିଂ ଯେତେବେଳେ ସବୁ ସୀମା ସରହଦ ଟପି ନିର୍ଯ୍ୟାତନା ଆଡ଼କୁ ଗତି କଲା ସେତେବେଳେ ପୀଡ଼ିତା ମହିଳା ଜଣକ ଲେଖକ ଭଗତ କରିଥିବା ଚାଟିଂର ସ୍କ୍ରିନସର୍ଟ ନେଇ ତାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ପରେ ଏହା ଭାଇରାଲ ହୋଇଯିବା ସହ ଦେଶବ୍ୟାପୀ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହି ଘଟଣା ପରେ ଲେଖକ ଭଗତ ଆଜି (ଶନିବାର) ତାଙ୍କ ଫେସବୁକ୍ ପେଜରେ ଏକ ଦୀର୍ଘ ପୋଷ୍ଟିଂ ଲେଖି ନିଜ ଦୋଷ ସ୍ୱୀକାର କରିବା ସହ ତାଙ୍କର ଏହି କାର୍ଯ୍ୟ ପାଇଁ ସଂପୃକ୍ତା ମହିଳାଙ୍କୁ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ଏଥିସହ ନିଜର ଏହି ଅପକର୍ମ ପାଇଁ ସେ ତାଙ୍କ ପତ୍ନୀ ଅନୁଶାଙ୍କୁ ମଧ୍ୟ କ୍ଷମା ମାଗିବା ସହ ନିଜର ଏହି କାର୍ଯ୍ୟ ପାଇଁ ଦୁଃଖିତ ବୋଲି କହିଛନ୍ତି।