ବ୍ରାଭୋଙ୍କ ଧୂଆଁଧାର ଇନିଂସରେ ମାତ ଖାଇଲା ମୁମ୍ବାଇ ! ହାଇଭୋଲଟେଜ ମ୍ୟାଚରେ ୧ ୱିକେଟରେ ଚେନ୍ନାଇର ବାଜିମାତ

26

ଆଇପିଏଲ ସିଜିନ ୧୧ର ପ୍ରଥମ ହାଇଭୋଲଟେଜ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧ ୱିକେଟରେ ଡିଫେଣ୍ଡି ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଏକ ଦମଦାର ସିଜିନ ଆରମ୍ଭ କରିଛି । ବ୍ରାଭୋଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଏକ ରୋମାଞ୍ଚକର ମୁକାବିଲାରେ ବିଜୟ ହାସଲ କରିଛି ଚେନ୍ନାଇ । ମୁମ୍ବାଇ ହାତରୁ ଏକ ନିଶ୍ଚିତ ବିଜୟ ଛଡାଇ ଆଣିଛି ଚେନ୍ନାଇ । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ ଦେଖିବାକୁ ମିଳିଥିଲା । ୱିକେଓ ଓ ରନ ମଧ୍ୟରେ ଲୁଚକାଳି ଖେଳ ଚାଲିଥିବା ବେଳେ ବ୍ରାଭୋ ଗୋଟିଏ ପଟରେ ରହି ଚେନ୍ନାଇକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥିଲେ । ଆଉ ଏହି ବିଜୟର ମୁଣ୍ଡି ମାରିଥିଲେ କେଦାର ଯାଦବ । ଦୁଇବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ମୁମ୍ବାଇକୁ ହରାଇ ଏକ ଦମଦାର ସିଜିନ ଆରମ୍ଭ କରିଛି । ବ୍ରାଭୋ ୩୦ଟି ବଲରୁ ଧୂଆଁଧାର ୬୮ ରନ କରିଥିବା ବେଳେ ଏଥିରେ ରହିଥିଲା ୭ଟି ବିଶାଳ ଛକା ।

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଚଳିତ ସିଜିନର ପ୍ରଥମ ମ୍ୟାଚରେ ଚେନ୍ନାଇ ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଆଉ ଧୋନୀଙ୍କ ନିଷ୍ପତିଙ୍କ ସଠିକ୍ ପ୍ରମାଣିତ କରିଥିଲେ ଚେନ୍ନାଇର ବୋଲର । ମାତ୍ର ୨୦ ରନରେ ୨ଟି ୱିକେଟ ହରାଇବା ସହ ପ୍ରାରମ୍ଭିକ ଝଟକା ଲାଗିଥିଲା ମୁମ୍ବାଇକୁ । ତେବେ ଏହାପରେ ଇନିଂସକୁ ଆଗେଇ ନେଇଥିଲେ ଦୁଇ ଯୁବ ଭାରତୀୟ କ୍ରିକେଟର ଇଶାନ କିଷାନ ଓ ସୂର୍ଯ୍ୟ କୁମାର ଯାଦବ । ଉଭୟ ଚେନ୍ନାଇ ବୋଲରଙ୍କ ନିର୍ଦ୍ଧୁମ ପିଟିବା ସହ ଦଳୀୟ ସ୍କୋରକୁ ୯୮ ପାର କରିଥିଲେ । ଚେନ୍ନାଇ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ମାତ୍ର ୧୬୫ ରନ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ । ଆଉ ଏହାକୁ ବେଶ ସହଜରେ ହାସଲ କରି ନେଇଥିଲା ଚେନ୍ନାଇ । ମ୍ୟାଚ ବିଜୟୀ ଇନିଂସ ପାଇଁ ବ୍ରାଭୋ ମ୍ୟାନ ଅଫ୍ ଦ ମ୍ୟାଚ ଟ୍ରଫି ହାସଲ କରିଛନ୍ତି ।