ଚେନ୍ନାଇବାସୀଙ୍କ ଶୋଷ ମେଣ୍ଟିବ ! ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପହଞ୍ଚିଲା ପାଣି

132

କନକ ବ୍ୟୁରୋ : ଚେନ୍ନାଇରେ ଏଯାଏଁ ବର୍ଷାର ଦେଖାନାହିଁ । ବୁଧବାର ଦିନ ଚେନ୍ନାଇରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ପାଗ କେବଳ ମେଘୁଆ ରହିଥିବା ବେଳେ ବର୍ଷା ହୋଇନଥିଲା ।  ଅନ୍ୟପକ୍ଷରେ ଜଳ ସଙ୍କଟ ଲୋକଙ୍କୁ ହନ୍ତସନ୍ତ କରିଦେଲାଣି । ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କେହି ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି । ଗତ ୪ ମାସ ଧରି ଚେନ୍ନାଇ ସହରରେ ଜଳ ସଙ୍କଟ ଲାଗି ରହିଛି । ଏଠାରେ ଦୈନିକ ୨୦୦ ମିଲିଅନ ଲିଟର ଜଳର ଅଭାବ ଦେଖାଦେଉଛି । ସହରକୁ ଜଳ ଯୋଗାଉଥିବା ୪ଟି ହ୍ରଦ ଶୁଖିଯାଇଛି ।

ଚେନ୍ନାଇରେ ଦେଖା ଦେଇଥିବା ଉତ୍କଟ ଜଳ ସଙ୍କଟ ଏବେ ରୋଗୀମାନଙ୍କ ଚିକିତ୍ସାରେ ବାଧା ସୃଷ୍ଟି କରିଛି । ସହରର ବଡ଼ ହସ୍ପିଟାଲ୍ ଗୁଡ଼ିକରେ ପାଣି ନାହିଁ । ଟ୍ୟାପରେ ପାଣି ଆସୁନଥିବାରୁ ଅନେକ ରୋଗୀଙ୍କର ଅସ୍ତ୍ରୋପଚାର ହୋଇପାରୁନି ଏବଂ କେତେକ କ୍ଷେତ୍ରରେ ବହୁ କଷ୍ଟରେ ଏହା ସଂପନ୍ନ ହେଉଛି । ଡାକ୍ତରମାନେ ଏବେ ଜରୁରୀ ଚିକିତ୍ସା ପାଇଁ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି ।  ଚେନ୍ନାଇର ସୁଦାର ହସ୍ପିଟାଲ୍‌ ଅଧ୍ୟକ୍ଷ ଟିଏନ୍‌ ରବିଶଙ୍କର କହିଛନ୍ତି, ତାଙ୍କ ହସ୍ପିଟାଲ୍‌ରେ ପାଇପ୍‌ ପାଣି ଆସୁନାହିଁ। ଅପରେସନ୍‌ ପାଇଁ ପାଣି କିଣାଯାଉଥିବାରୁ ରୋଗୀମାନଙ୍କୁ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଛି।

ଏପରିସ୍ଥଳେ ସ୍ଥିତି ସୁଧାରିବା ପାଇଁ ଆଜି ଭେଲୋରର ଜୋଲାରପେଟରୁ ଟ୍ରେନରେ ପ୍ରାୟ ୨.୫ ନିୟୁତ ଲିଟର ଜଳ ଆସି ଚେନ୍ନାଇରେ ପହଞ୍ଚିଛି । ଏହି ସ୍ବତନ୍ତ୍ର ଟ୍ରେନ୍ ଆଜି ଭୋର ସମୟରେ ଜୋଲାରପେଟ୍ ଛାଡ଼ିଥିଲା ଏବଂ ଅପରାହ୍ନରେ ଚେନ୍ନାଇର ବିଲ୍ଲିବକ୍କମ ଷ୍ଟେସନ୍ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ପୂର୍ବରୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ଘୋଷଣା କରିଥିଲେ ଯେ ସରକାର ଦୈନିକ ୧୦ ନିୟୁତ ଲିଟର ଜଳ ଜୋଲାରପେଟରୁ ଚେନ୍ନାଇ ପଠାଇବାପାଇଁ ଯୋଜନା କରିଛନ୍ତି । ତେବେ ଚେନ୍ନାଇ ମେଟ୍ରୋ ୱାଟର ପକ୍ଷରୁ ଏବେ ରାଜ୍ୟ ରାଜଧାନୀରେ ଦୈନିକ ୫୨୫ ମିଲିଅନ ଲିଟର ଜଳ ଯୋଗାଯାଉଛି ।