କୋହଲିଙ୍କ ଉପରେ ଭାରି ପଡିଲେ ଧୋନି ! ଆଇପିଏଲ ହାଇସ୍କୋରିଂ ମ୍ୟାଚରେ ବାଙ୍ଗାଲୋରକୁ ୫ ୱିକେଟରେ ହରାଇଲା ଚେନ୍ନାଇ

22

କନକ ବ୍ୟୁରୋ : ଆଇପିଏଲର ହାଇସ୍କୋରିଂ ମ୍ୟାଚରେ ବାଙ୍ଗାଲୋରକୁ ୫ ୱିକେଟରେ ହରାଇଲା ଚେନ୍ନାଇ । ଧୋନିଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଫିକା ପଡିଲା ୨୦୬ ରନର ବଡ ବିଜୟ ଲକ୍ଷ୍ୟ । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଅମ୍ବାତି ରାୟଡୁ ୫୩ ବଲରେ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମାତ୍ର ୩୪ ବଲରେ ଅପରାଜିତ ୭୦ ରନ୍ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଡିଭିଲିୟର୍ସ ଓ କ୍ୱିଂଟନ୍ ଡିକକଙ୍କ ଅର୍ଦ୍ଧଶତକ ସହାୟତାରେ ୮ ୱିକେଟ୍ କରାଇ ୨୦୫ ରନ୍ର ବିଶାଳ ସ୍କୋର କରିଥିଲା ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଡିଭିଲିୟର୍ସ ମାତ୍ର ୩୦ ବଲରୁ ୬୮ ରନ୍ କରିଥିଲେ । ତେବେ ଅମ୍ବାତି ରାୟଡୁ ଓ ଧୋନିଙ୍କ ବିସ୍ଫୋରକ ଇନିଂସ ଯୋଗୁ ଆରସିବିର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା । ନିଜ ଷ୍ଟାଇଲରେ ଛକ୍କା ମାରି ମ୍ୟାଚ୍ ଶେଷ କରିଥିଲେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।

ସେପଟେ ଆଇପିଏଲ ଟିମ୍ ଦିଲ୍ଲୀ ଡ଼େୟାର ଡେଭିଲସ ଅଧିନାୟକ ପଦ ଛାଡ଼ିଲେ ଗୌତମ ଗମ୍ଭୀର । ଜିଏମଆର ଫ୍ରାଂଚାଇଜ ଦିଲ୍ଲୀରୁ ଅଧିନାୟକ ପଦ ଛାଡ଼ିବା ପରେ ତାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ନୂତନ ଦାୟିତ୍ୱ ମିଳିଛି । ଅଧିନାୟକ ପଦ ଛାଡ଼ିବା ପରେ ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର କହିଛନ୍ତି ଏହା ମୋର ନିଜସ୍ୱ ନିଷ୍ପତି ଥିଲା । ଗମ୍ଭୀର କହିଛନ୍ତି ଟିମ୍ ପାଇଁ ମୋର ପର୍ଯ୍ୟାପ୍ତ ପରିମାଣରେ ଅବଦାନ ନଥିଲା । ମୁଁ ଦଳର ନେତୃତ୍ୱ ନେଇଥିଲି କିନ୍ତୁ ପଦ ଛାଡ଼ିବା ବର୍ତ୍ତମାନ ସମୟର ମୋର ଦୁର୍ବଳତା । ଟିମକୁ ଠିକ ଦିଗରେ ଆଗକୁ ନେବା ପାଇଁ ମୁଁ ଚେଷ୍ଟା କରିଛି । କିନ୍ତୁ ମାନସିକ ଚାପରେ ଟିମର ନେତୃତ୍ୱ ନେବା ସହଜ ନୁହେଁ ବୋଲି ଗମ୍ଭୀର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଫ୍ରାଂଚାଇଜ ସିଇଓ ହେମନ୍ତ ଦୁଆ ଓ କୋଚ୍ ରିକି ପଂଟିଂ ଉପସ୍ଥିତ ଥିଲେ । ସଂଘର୍ଷମୟ ପରସ୍ଥିତିର ସମ୍ମୁଖୀନ ହେଉଥିବା ଡେୟାର ଡେଭିଲସ ଆଇପିଏଲ ୨୦୧୭ରେ ୧୪ଟି ମ୍ୟାଚ ଖେଳି ପଏଂଟ ଟେବୁଲରେ ଷଷ୍ଠ ସ୍ଥାନରେ ଥିଲା । ଚଳିତ ଆଇପିଏଲରେ ଦିଲ୍ଲୀ ଆଇପିଏଲ ୧୧ ପଏଂଟ ଟେବୁଲର ସର୍ବନିମ୍ନରେ ରହିଛି ।