ଗରିବଙ୍କ ଖାଦ୍ୟ ଥାଳି ସାଜିଛି ‘କମ୍ୟୁନିଟି ଫ୍ରିଜ’ ! ଭୋକିଲା ମଣିଷକୁ ଖାଦ୍ୟ ଦେବାପାଇଁ ଇଶାଙ୍କ ଭିନ୍ନ ପ୍ରୟାସ

108

ଚେନ୍ନାଇ : ଆଜି ବି ଆମ ଦେଶରେ ଅନେକ ଲୋକ ଭୋକ ଉପାସରେ ଦିନ କାଟନ୍ତି । ଭୋକିଲା ପେଟରେ ରାତିରେ ଶୋଇଯାନ୍ତି । ଖାଇବାକୁ ନପାଇବି ଅନେକ ମୃତ୍ୟୁମୁଖରେ ପଡନ୍ତି । ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ସମାଜର ଗରିବ ଓ ଅବହେଳିତ ଶ୍ରେଣୀୟ ଲୋକଙ୍କ ପାଇଁ ସରକାର ଅନେକ ସୁବିଧା ସୁଯୋଗ ଯୋଗାଇଥିଲେ ବି ତାହା ସମସ୍ତଙ୍କ ପାଖରେ ପହଁଚିପାରେନାହିଁ । ନିଜର ହକ୍ ପାଇଁ ଲଢେଇ କରିବାକୁ ତାଙ୍କ ପାଖରେ ସାମର୍ଥ ନଥାଏ । ଆଉ ଏହି ଗରିବ ଭୋକିଲା ମଣିଷଙ୍କର ଦୁଃଖ ପ୍ରଭାବିତ କରିଥାଏ ଅନେକ ଲୋକଙ୍କୁ । ଯେଉଁମାନଙ୍କ ପ୍ରାଣ ଏମାନଙ୍କ ପାଇଁ କାନ୍ଦିଉଠେ । ଆଉ ନିଜେ ଖାଇବା ପୂର୍ବରୁ ସେମାନଙ୍କ କଥା ମନେପଡେ । ସେଇ ମାନଙ୍କ ମଧ୍ୟରୁ ଜଣେ ହେଲେ ଇଶା ଫାତିମା ଜସ୍ମିନ୍ । ଚେନ୍ନାଇ ସହରର ଏହି ଯୁବତୀ ଜଣକ ଭୋକିଲା ଓ ଅସହାୟ ଲୋକମାନଙ୍କ ପାଇଁ ପେଟପୂରା ଗଣ୍ଡେ ଖାଇବାର ବନ୍ଦୋବସ୍ତ କରିଦେଇଛନ୍ତି ।

ସୂଚନା ଅନୁସାରେ ପେଶାରେ ଡାକ୍ତର ଥିବା ଇଶା ଚେନ୍ନାଇ ସହରରେ ଥିବା ଭୋକିଲା ଲୋକଙ୍କ ପାଇଁ ବସାଇଛନ୍ତି ଏକ କମ୍ୟୁନିଟି ଫ୍ରିଜ୍ । ଯାହା ଦ୍ୱାରା ଅନେକ ଗରିବ ଭୋକିଲା ଲୋକ ହେଉଛନ୍ତି ଉପକୃତ । ଇଶା ଚେନ୍ନାଇ ଆସିବା ପରେ ବେସନ୍ତ ନଗରରେ ରହୁଥିଲେ । ପ୍ରତିଦିନ ମେଡିକାଲକୁ ଯିବା ଆସିବା ସମୟରେ ସେ ଅନେକ ଅଭାବୀ ଓ ଅସହାୟ ଲୋକମାନଙ୍କୁ ଦେଖୁଥିଲେ । ଡ୍ୟୁଟି ସାରି ରାତିରେ ଫେରିବା ସମୟରେ ରାସ୍ତାରେ ଲୋକମାନଙ୍କୁ ଶୋଇଥିବା , ଦୋକାନ ଦୋକାନ ବୁଲି ଖାଦ୍ୟ ମାଗୁଥିବା ଲୋକମାନଙ୍କୁ ସେ ଦେଖୁଥିଲେ । ଯାହା ତାଙ୍କୁ ବହୁତ ଦୁଃଖ ଦେଇଥିଲା । ଲୋକଙ୍କର ଦୁଃଖକୁ ସେ ଅତି ପାଖରୁ ଦେଖିପାରିଥିଲେ । ଏମାନଙ୍କର ସମାଧାନ ପାଇଁ ମନରେ ତାଙ୍କର ଇଚ୍ଛା ସୃଷ୍ଟି ହେଲା । ଆଉ କେମିତି ଏହାକୁ ବାସ୍ତବିକ୍ ରୂପ ଦେବେ ଭାବିଲେ । ଶେଷରେ ମନରେ ଆସିଲା ‘କମ୍ୟୁନିଟି ଫ୍ରିଜ’ ବସାଇବାର ଧାରଣା ।

‘କମ୍ୟୁନିଟି ଫ୍ରିଜ’ ହେଲା ଏମିତି, ଯେଉଁ ଲୋକ ନିଜର ବଳକା ଖାଦ୍ୟ ଫୋପାଡି ଦେଉଥିଲେ । ସେମାନେ ଚାହିଁଲେ ଏହି ଭୋକିଲା ଗରିବ ଲୋକଙ୍କୁ ଖାଦ୍ୟ ଓ ପନିପରିବା ଦେଇପାରିବେ । ଆଉ ଏହି କମ୍ୟୁନିଟି ଫ୍ରିଜରେ ଆଣି ରଖିପାରିବେ । ଏହିଠାରୁ ଲୋକେ ନିଜର ଆବଶ୍ୟକ ଅନୁସାରେ ଖାଦ୍ୟ ନେଇପାରିବେ । ଏହିଭଳି ଏକ ଉନ୍ନତ ଚିନ୍ତା ମନରେ ଧାରଣ କରି ଇଶା ଆଗେଇଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ତାଙ୍କୁ ଲାଗିଯାଇଥିଲା ୪ମାସ । ଶେଷରେ ବେସନ୍ତ ନଗର ଟେନିସ୍ କ୍ଲବ ନିକଟରେ ବସାଇଯାଇଥିଲା ଏହି କମ୍ୟୁନିଟି ଫ୍ରିଜ୍ । ଏବେ ଏହି ଫ୍ରିଜର ଚାହିଦା ବଢି ବଢି ଚାଲିଛି । ଯାହାର ନାମ ରଖାଯାଇଛି ‘ଆୟାମିଟ୍ଟୁ ଉନ୍ନ’ । ଏହି ତାମିଲ ଶବ୍ଦର ଅର୍ଥ ହେଉଛି ନିଜେ ଖାଇବା ପୂର୍ବରୁ ଅନ୍ୟ ଆବଶ୍ୟକ ଲୋକମାନଙ୍କୁ ବାଣ୍ଟନ୍ତୁ ।

ଇଶାଙ୍କର ଏହି ପ୍ରୟାସକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ । ଅନେକ ସ୍ଥାନୀୟ ଲୋକେ ଏଥିରେ ତାଙ୍କୁ ଖୁବ୍ ସହଯୋଗ କରିଥିଲେ । ଘରେ ବଳକା ପଡିଯାଉଥିବା ଖାଦ୍ୟ ହେଉ ବା ସଙ୍ଗେ ସଙ୍ଗେ ଖାଇବା ରୋଷେଇ କରି ଆଣି ଏହି ଫ୍ରିଜରେ ରଖିଥିଲେ । ଆଉ ସେଠାରୁ ଅଭାବୀ ଲୋକମାନେ ବିନା କୌଣସି ମୂଲ୍ୟ ଦେଇ ଖାଇବା ନେଇ ଯାଉଥିଲେ । ଏବେ ବି ଏହି ଧାରା ଜାରି ରହିଛି । ଏବେ ଏଥିରେ ଲୋକଙ୍କ ପାଇଁ ଆଉ କିଛି ସୁବିଧା ଯୋଡା ଯାଇଚି । ଏହି ଫ୍ରିଜ୍ ପାଖରେ ରହିଛି ଆଉ ଏକ ଷ୍ଟୋର୍ । ଏଥିରେ ଅଭାବୀ ଲୋକଙ୍କ ପାଇଁ ରଖାଯାଇଛି ଡ୍ରେସ୍ ଓ ଜୋତା । ଏଠାରେ ଲୋକେ ନିଜର କମ୍ ଦିନ ବ୍ୟବହୃତ କରିଥିବା ଜୋତା ଓ ପୋଷାକ ଆଣି ଅଭାବୀ ଲୋକଙ୍କ ପାଇଁ ରଖୁଛନ୍ତି । ଏହି ଫ୍ରିଜ୍ ଓ ଷ୍ଟୋର୍ କୁ ଜଗୁଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ ।

ଆଜି ଇଶାଙ୍କର ଏହି ଅଭିନବ ପ୍ରୟାସ ଓ ପଦକ୍ଷେପ ପାଇଁ ତାଙ୍କୁ ମିଳିଛି ଅନେକ ପ୍ରଶଂସା । ଆଗାମୀ ଦିନରେ ଚେନ୍ନାଇର ଆଉ କିଛି ସ୍ଥାନରେ ଏପରି କମ୍ୟୁନୁଟି ଫ୍ରିଜ୍ ବସାଇବାର ଯୋଜନା କରୁଛନ୍ତି ଇଶା । ଦେଶର ଅନେକ ଯୁବକଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଇଶା । ଡାକ୍ତରୀ ପେଶାରେ ଥାଇବି ସେ ଗରିବଗୁରୁବାଙ୍କ ପାଇଁ କରିଛନ୍ତି ଚିନ୍ତା । ଆଉ ଯାହା ତାଙ୍କର ଆତ୍ମାକୁ ଦେଇଛି ଖୁବ୍ ଶାନ୍ତି ବୋଲି ଇଶା କୁହନ୍ତି ।
(ସୌଜନ୍ୟ-ଇଣ୍ଡିଆଟାଇମ୍ସ)