ଲୋକଙ୍କ ଜୀବନ ସହ ଖେଳ : ପାଚିଲା କଦଳୀରେ ବିଷାକ୍ତ ରସାୟନ !

403

କନକ ବ୍ୟୁରୋ : ଲୋକଙ୍କ ଜୀବନ ସହ ସାଙ୍ଘାତିକ ଖେଳ । କିଛି ମୁନାଫାଖୋର୍ ବ୍ୟବସାୟୀ ଅଧିକ ଲାଭ ଆଶାରେ ମଣିଷ ଜୀବନକୁ ବିଷାକ୍ତ କରି ପକାଉଛନ୍ତି । ବ୍ୟସ୍ତବହୁଳ ଜୀବନ ଭିତରେ କେହି ବି କିଛି ଯାଞ୍ଚ କରିବାକୁ ସମୟ ପାଉ ନାହାନ୍ତି । ଯେଉଁଠି ଯାହା ମିଳିଲା, କିଣି ନେଉଛନ୍ତି । ଉପରକୁ ତଟକା ଓ ତାଜା ଦେଖାଯାଉଥିବା ଖାଦ୍ୟ ପଦାର୍ଥ ପ୍ରକୃତରେ ଯେ କେତେ ମାରାତ୍ମକ, ତାହା ସାଧାରଣ ଲୋକଙ୍କ କଳ୍ପନା ବାହାରେ । ଆମେ ପ୍ରତିଦିନ ଖାଉଥିବା ପନିପରିବାଠାରୁ ଆରମ୍ଭ କରି ଚାଉଳ, ଡାଲି, ତେଲ, ମିଠା, ଥଣ୍ଡା ପାନୀୟ, ଫଳ ଆଦି ଖାଦ୍ୟ ସାମଗ୍ରୀରେ କିଛି ନା କିଛି ରାସାୟନିକ ଉପାଦାନ ରହିଛି  । ମାତ୍ର ଏଗୁଡ଼ିକ ତତକ୍ଷଣାତ ଶରୀର ଉପରେ ପ୍ରଭାବ ପକାଉ ନଥିବାରୁ ଆମେ ଏହାର କୁ-ପ୍ରଭାବକୁ ଅଣଦେଖା କରିଦେଇଥାଉ । ଫଳରେ ଧୀରେ ଧୀରେ ଏଗୁଡ଼ିକ ଆମକୁ ମୃତ୍ୟୁ ମୁଖକୁ ଟାଣି ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

 

କିଛି ଦିନ ତଳେ ଲିଚିରେ ରସାୟନ ଦିଆଯାଉଥିବା ନେଇ ଚର୍ଚ୍ଚା ହେବା ପରେ ଏବେ ପାଚିଲା କଦଳୀକୁ ନେଇ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କଦଳୀରେ ରସାୟନ ଦିଆଯାଉଛି କି  ? ଏହାକୁ ଖାଇବା କେତେ ନିରାପଦ  ? ସେ ନେଇ ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନରୁ ତାହା ଚମକାଇଦେବା ଭଳି ତଥ୍ୟ ମିଳିଛି  । ଭୁବନେଶ୍ବରର ସବୁଠାରୁ ବଡ଼ କଦଳୀ ଗୋଦାମ କଳ୍ପନାସ୍ଥିତ ‘କଦଳୀ ଗୋଦାମ ବସ୍ତି’ରେ ପଚରାଉଚରା କରି ସତ ବାହାର କରିବା ପାଇଁ ଚେଷ୍ଟା କରାଯାଇଥିଲା । କଦଳୀ ଭର୍ତି ବଡ଼ ବଡ଼ ଟ୍ରକ୍ ଲାଗିଥିଲା ବସ୍ତିରେ ।

 

ଜଣେ ଦୋକାନୀଙ୍କୁ ପାଚିଲା କଦଳୀ ମାଗିବା ପରେ ଦୋକାନୀ ଜଣକ କହିଲା ପାଚିଲା କଦଳୀ ହେବନି, ମାଲ୍ ଏବେ ଆସୁଛି । ଖରା ବେଳେ କିମ୍ବା ସଂଧ୍ୟା ବେଳକୁ ଆସ । ସମ୍ପୂର୍ଣ୍ଣ ନୀଳ ଦେଖା ଯାଉଥିବା କଦଳୀ କ’ଣ ସଂଧ୍ୟା ବେଳକୁ ପାଚିଯିବ ବୋଲି ଆମେ ପ୍ରଶ୍ନ କରାଯାଇଥିଲା । ଉତ୍ତର ମିଳିଲା, ସ୍ପ୍ରେ’ ଦେଇ ପଚାଯିବ। ତେବେ ଦେହ ପାଇଁ ତାହା ଖରାପ ନୁହଁ ବୋଲି ପଚାରିବାରୁ ଦୋକାନୀଜଣଙ୍କ ରାଗି ଯାଇ କୌଣସି ଉତ୍ତର ଦେଇନଥିଲେ ।

 

ବଜାରରେ ସବୁବେଳେ କଦଳୀର ଚାହିଦା ଦେଖି ବେପାରୀମାନେ ଅଳ୍ପ ସମୟ ଭିତରେ ଅଧିକ ବେପାର କରିବାକୁ ଏହି ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ଏହି ରସାୟନ ଯେ ମଣିଷ ଶରୀର ପାଇଁ କେତେ କ୍ଷତିକାରକ, ସେଥିପ୍ରତି କାହାର ନିଘା ନାହିଁ । ଅସମୟରେ ଓ ଅପରିପକ୍ବ ଫଳ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାର କରାଯାଇଥାଏ । ଏହା ଶରୀର ପାଇଁ ହାନିକାରକ ହୋଇଥିବାରୁ ଭାରତରେ ‘ଖାଦ୍ୟ ଅପମିଶ୍ରଣ ନିବାରଣ ଆଇନ୍ ଧାରା ୪୪(କକ)’ ଅନୁଯାୟୀ ଏହାର ବ୍ୟବହାରକୁ ନିଷେଧ କରାଯାଇଛି । ଏହା ସତ୍ତ୍ବେ ସରକାରଙ୍କ ଅପାରଗତା ଯୋଗୁଁ ଏହି ଆଇନ ଏ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ ହୋଇପାରିନାହିଁ ।

 

ଖାଲି କଦଳୀ ନୁହେଁ, ଆମ୍ବ, ଆତ ଓ ପଣସ ଆଦି ଫଳ ମଧ୍ୟ ଏହି ଭଳି ଉପାୟରେ ପଚା ଯାଉଛି । କାରବାଇଡରେ ପ୍ରଚୁର ପରିମାଣର ଫସଫରସ୍ ଓ ଆରସେନିକ୍ ରହିଛି । ଯାହାକି ତାପମାତ୍ରା ବୃଦ୍ଧିରେ ସାହାଯ୍ୟ କରିବା ସହ ଅପରିପକ୍ବ ଫଳଗୁଡ଼ିକ ହଳଦିଆ ଓ କମଳା ରଙ୍ଗର ହୋଇ ପାଚିବାକୁ ଆରମ୍ଭ କରେ । ଏହି ଉପାୟରେ ଆମ୍ବ, କଦଳୀ, କମଳା ଓ ତରଭୁଜ ଆଦିକୁ ପଚା ଯାଇଥାଏ ।

 

କାରବାଇଡରେ ବିଷାକ୍ତ ପଦାର୍ଥ ବହୁ ପରିମାଣରେ ଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଏସିଟିଲିନ୍ ଗ୍ୟାସ୍ କାରବାଇଡରେ ଏକ ଉତ୍ପାଦ, ଯାହାକି ଉତ୍ତାପ ଉତ୍ପନ୍ନ କରିଥାଏ । ଏହାକୁ ଖାଇବା ଦ୍ବାରା ସ୍ନାୟୁଜନିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । କାରବାଇଡରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ଥିବାରୁ ଏହା ଖାଇବା ଦ୍ବାରା ଅଚେତ ହୋଇଯିବା, ହାତ, ଗୋଡ଼ ଓ ଶରୀର ଦୁର୍ବଳ ହେବା, ଚର୍ମ ଖରାପ ହେବା ଓ ନିମ୍ନ ରକ୍ତଚାପ ଆଦି ସମସ୍ୟା ଦେଖା ଦେଇଥାଏ ।