ଚମ୍ପୁଆ ଉପରେ ନବୀନଙ୍କ ଆଖି । ଆସନରେ ବିଜୟର ସ୍ୱାଦ ଚାଖିନଥିବା ବିଜେଡି ପାଇଁ ସହାୟକ ହେବ କି ନୂଆ ରଣନୀତି ?

କେନ୍ଦୁଝର ଜିଲ୍ଲା ସଭାପତି ବଦଳାଇବା ସହ ଚମ୍ପୁଆର ବିତ୍ତଶାଳୀ ନେତା କୁଶ ଆପଟ୍ଟଙ୍କ ଉପରୁ ନିଲମ୍ବନ ହଟାଇ ରାଜନୀତିର ଗୋଟି ଚଳାଇଛନ୍ତି ନବୀନ ।

396

କନକ ବ୍ୟୁରୋ: ବିଜେଡି ଫୋକସରେ କେନ୍ଦୁଝର । ଗତ ୨୪ ଘଂଟା ଭିତରେ ୨ଟି ଘଟଣାକ୍ରମ ପ୍ରମାଣିତ କରୁଛି ଖଣି ଖାଦାନ ଭରା ଏହି ଅଂଚଳରେ ନିଜ ପତିଆରାକୁ ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ କରିଛି ଶାସକ ଦଳ । କେନ୍ଦୁଝର ଜିଲ୍ଲା ସଭାପତି ବଦଳାଇବା ସହ ଚମ୍ପୁଆର ବିତ୍ତଶାଳୀ ନେତା କୁଶ ଆପଟ୍ଟଙ୍କ ଉପରୁ ନିଲମ୍ବନ ହଟାଇ ରାଜନୀତିର ଗୋଟି ଚଳାଇଛନ୍ତି ନବୀନ । ୨୦୧୪ରେ ସ୍ୱାଧୀନ ଭାବେ ଲଢିବା ପରେ ସୁପ୍ରିମୋଙ୍କ ଆକ୍ରୋଶର ଶୀକାର ହୋଇଥିବା କୁଶ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ବିଜେଡି କ୍ୟାମ୍ପକୁ ପୁଣି ଫେରିଛନ୍ତି ।

୨୦୧୪ରେ ବିଜେଡି ଚମ୍ପୁଆରୁ ପ୍ରାର୍ଥୀ କରିଥିଲା ଅଭିନେତା ପପୁ ପମପମଙ୍କୁ । ନିଜ କଥା ବଳରେ ଲୋକଙ୍କ ହସାଉଥିବା ପପୁ ଭୋଟ ରାଜନୀତିରେ କିନ୍ତୁ ପଛରେ ପଡିଥିଲେ । ସାରା ରାଜ୍ୟରେ ବିଜେଡିର ବିଜୟ ଧ୍ୱଜା ଉଡିଥିବା ବେଳେ ପପୁ ପାଇଥିଲେ ମାତ୍ର ୬.୫୫% ଭୋଟ । ୧୦ ହଜାର ୧୯୬ ଖଣ୍ଡ ଭୋଟ ପାଇଁ ପପୁ ଥିଲେ ତୃତୀୟ ସ୍ଥାନରେ ।

ବଡ କଥା ହେଉଛି ଯେଉଁ କୁଶ ଆପଟ୍ଟ ସ୍ୱାଧୀନ ଭାବେ ଠିଆ ହୋଇ ବିଜେଡିରୁ ନିଲମ୍ବିତ ହୋଇଥିଲେ ତାଙ୍କୁ ମିଳିଥିଲା ୫୪ ହଜାର ୮୩୭ ଭୋଟ । ଆସନରୁ ଜିତିଥିଲେ ସନାତନ ମହାକୁଡ । ପାଇଥିଲେ ୬୯ ହଜାର ୫୮୦ ଭୋଟ । ଅର୍ଥାତ୍ କହିବାକୁ ଗଲେ ବିଜେଡିର ଶଙ୍ଖନାଦର ପ୍ରଭାବ ଏଠି କିଛି ଦେଖିବାକୁ ମିଳିନଥିଲା । ଆଉ ଏବେ ୨୦୧୯ ପାଇଁ ରଣନୀତି କରାଯାଉଥିବା ଚର୍ଚ୍ଚା ଚାଲିଛି ।

୨୦୦୯ରେ ବିଜେଡି ଏଠି ପ୍ରାର୍ଥୀ ଦେଇନଥିଲା । ସ୍ୱାଧୀନ ଭାବେ ଜିତୁ ପଟ୍ଟନାୟକ ଏଠୁ ନିର୍ବାଚନରେ ବାଜିମାତ କରିଥିଲେ । ସନାତନ ମହାକୁଡ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କୁଶ ଆପଟ୍ଟ ଥିଲେ ତୃତୀୟ ସ୍ଥାନରେ । ଏହି ତିନି ଜଣଙ୍କ ମଧ୍ୟରେ ଭୋଟ ବ୍ୟବଧାନ ବହୁତ କମ ଥିଲା । ଯାହା ଦର୍ଶାଉଛି ଏହି ନିର୍ବାଚନ ମଣ୍ଡଳୀରେ ପ୍ରଭାବ ଆଉ ପତିଆରାର ଲଢେଇ ଆଗାମୀ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିପାରେ ।

ବିଜେଡି ପାଇଁ ଏବେ ଏହି ନିର୍ବାଚନ ମଣ୍ଡଳୀ ସମ୍ମାନର ପ୍ରଶ୍ନ ପାଲଟିଛି । ଧନୀ ନିର୍ବାଚନ ମଣ୍ଡଳୀରେ ନିଜ ପତିଆରା ଦେଖାଇବାକୁ ଶାସକ ଦଳ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । କୁଶ ଆପଟ୍ଟଙ୍କ ଉପରୁ ନିଲମ୍ବନ ହଟିବା ପରେ ଅନୁମାନ କରାଯାଉଛି ୨୦୧୯ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିପାରେ । ସେପଟେ ସନାତନ ମହାକୁଡ ସ୍ୱାସ୍ଥ୍ୟ ଭଲ ରହିଲେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ କିଏ ସାମ୍ନାକୁ ଆସିବେ ତାହା ମଧ୍ୟ ଗୁରୁତ୍ୱ ବହନ କରି ବୋଲି ଅନୁମାନ କରାଯାଉଛି ।

ବଦଳୁଛି ରାଜନୀତି ଆଉ ତା ସାଙ୍ଗକୁ ବଦଳୁଛି ମିଶନ୍ ୨୦୧୯ ହାତେଇବାର ରଣନୀତି । ପଶ୍ଚିମ ଓଡ଼ିଶା ପରେ ଏବେ ବିଜେଡ଼ି ନଜର କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ପଡ଼ିଛି । ଚର୍ଚ୍ଚା ହେଉଛି ଯେ, କୁଶ ଆପଟଙ୍କୁ ଉପରୁ ନିଲମ୍ବନ ପ୍ରତ୍ୟାହୃତ କରିବା ପଛରେ ମନ୍ତ୍ରୀ ବଦ୍ରୀପାତ୍ରଙ୍କ ହାତ ରହିଛି । କୁଶ ଆପଟଙ୍କ ପାଇଁ ଜିତୁ ପଟ୍ଟନାୟକ କଣ୍ଟା ସାଜିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତେବେ ବଡ କଥା ହେଉଛି, ଯଦି କୁଶ ଆପଟ୍ଟ ବିଜେଡିରୁ ଲଢେଇ କରନ୍ତି ତେବେ ସ୍ଥିତି କଣ ହେବ? ନିର୍ବାଚନ ମୈଦାନକୁ ଜିତୁ ପଟ୍ଟନାୟକ ଆଉ ସନାତନ ମହାକୁଡ ଓହ୍ଲାଇଲେ ଗଣିତ ବିଗିଡିବାର ଯଥେଷ୍ଟ ସମ୍ଭାବନା ରହୁଛି । କାରଣ ତ୍ରିମୁଖୀ ଲଢେଇରେ କିଏ କିଭଳି ନିଜ ଗୋଟିଚାଳନା କରିବେ, ତାହା ଗୁରୁତ୍ୱ ବହନ କରିବ । ସେପଟେ ଜିଲ୍ଲା ସଭାପତି ମଧ୍ୟ ବଦଳାଇଛନ୍ତି ନବୀନ । ଯାହା ଦର୍ଶାଉଛି, କେନ୍ଦୁଝର ରାଜନୀତି କଡ ଲେଉଟାଉଛି । ଏଯାଏଁ ବିଜେଡି ଦଖଲକୁ ଆସିନଥିବା ଚମ୍ପୁଆ ଆସନରେ କଣ ବିଜେଡି ୨୦୧୯ରେ ବାଜିମାତ କରିପାରିବ, ଯାହାର ଉତ୍ତରକୁ ଏବେ ଅପେକ୍ଷା ରହିଛି ।