ବୋର୍ଡ ପରୀକ୍ଷାରେ ଫେଲ୍ ହେବା ପରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପାଇଁ ଫେସବୁକରେ ଆଇଏଏସ୍ ଲେଖିଲେ ପ୍ରେରଣାଦାୟୀ କାହାଣୀ ! କହିଲେ ଗୋଟିଏ ନମ୍ବର ଭବିଷ୍ୟତର ସୁଖଦ ଯାତ୍ରାକୁ ରୋକିପାରିବ ନାହିଁ ।

832

ଏହା ପ୍ରଥମଥର ପାଇଁ ନୁହେଁ ଯେ ପରୀକ୍ଷାରେ କମ୍ ନମ୍ବର ଆସିବା କାରଣରୁ କେଉଁ ବିଦ୍ୟାର୍ଥୀ ହତାଶା କିମ୍ବା ଅବସାଦ ହୋଇ ଆତ୍ମହତ୍ୟା କରିନାହାନ୍ତି । ଖାସ୍ କରି ବୋର୍ଡ ପରୀକ୍ଷାରେ ପରିବାର,ଜ୍ଞାତିକୁଟୁମ୍ବଙ୍କ ଆଶା ଭରସା ପରୀକ୍ଷାର୍ଥୀ ଉପରେ ଥାଏ । ସମସ୍ତେ ଚାହାନ୍ତି ପରିବାରର ପିଲାଟି କିଭଳି ଭଲ ନୁହଁ ସବୁଠାରୁ ଭଲ ନମ୍ବର ରଖି ପାସ୍ କରୁ । ତେଣୁ ପରିବାର ଲୋକେ ଛାତ୍ରଛାତ୍ରୀଙ୍କୁ ଅନେକ ଉଦାହରଣ ଦେଇ ପରୀକ୍ଷାରେ ଭଲ କରିବାକୁ ଚାପ ପକାନ୍ତି । ଯଦ୍ୱାରା ବିଦ୍ୟାର୍ଥୀର ମାନସିକ ସ୍ଥିତି ମଧ୍ୟ ବିଗିଡିଯାଏ । ପରୀକ୍ଷାରେ କିଛି ଶିଖିବା ବଦଳରେ କିଭଳି ନମ୍ବର କେମିତି ଆଗକୁ ବଢିବ ଏହି ପ୍ରଚେଷ୍ଟାରେ କିଛି ବିଦ୍ୟାର୍ଥୀ ଫେଲ୍ ହୋଇଯାନ୍ତି । ଯାହାର ଫଳ ସେମାନେ ସହଜରେ ଗ୍ରହଣ ନ କରିପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି ।

ନିକଟରେ ବୋର୍ଡ ପରୀକ୍ଷା ଫଳ ବାହାରିଥିବା ବେଳେ ଏଭଳି ଅନେକ ଛାତ୍ରଛାତ୍ରୀଙ୍କୁ ଉଭୟ ସଫଳତା ଏବଂ ବିଫଳତାର ସ୍ୱାଦ ଚାଖିବାକୁ ପଡିଥିଲା । ସଫଳତାରେ କେହି ମିଠା ବାଣ୍ଟୁଥିବା ବେଳେ ବିଫଳ ହେଲେ କେହି ପୁନଶ୍ଚ ଚେଷ୍ଟା କରିବା ପାଇଁ ସଳଖୁଥିବା ବେଳେ କିଛି ବିଦ୍ୟାର୍ଥୀ ନିଜ ବିଫଳତାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଦୁର୍ଭାଗ୍ୟବଶତଃ ଛତିଶଗଡ଼ର ରାୟଗଡଠାରେ ଜଣେ ୧୮ ବର୍ଷୀୟ ଛାତ୍ର ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ନ ହୋଇପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ଏହାପୂର୍ବରୁ ମଧ୍ୟ ସେ ଗୋଟିଏ ଥର ଏହି ପରୀକ୍ଷାରେ ଫେଲ୍ ହୋଇଥିଲେ । ତେବେ ଏହି ଘଟଣାରେ ଦୁଃଖ ଜାହିର କରି ୨୦୦୯ ବ୍ୟାଚ୍ ର ଆଇଏଏସ୍ ଅଫିସର୍ ତଥା କୱରଧା ଜିଲ୍ଲା କଲେକ୍ଟର ଅଭନିସ୍ କୁମାର ସରନ୍ ନିଜ ଫେସବୁକ୍ ଆଇଡିରେ ଏକ ଲେଖା ପୋଷ୍ଟ୍ କରିଥିଲେ । ରବିବାର ଶ୍ରୀ ସରନ୍ ନିଜ କ୍ୟାରିୟରରେ ଆଣିଥିବା ନମ୍ବରକୁ ଲୋକଙ୍କ ସାମ୍ନାରେ ସେୟାର୍ କରିଥିଲେ । ସେ ୪୪.୫ % ଏବଂ ୬୫ % ୧୦ ମ ଏବଂ ୧୨ ଶ ପରୀକ୍ଷାରେ ଆଣିଥିଲେ ଏବଂ ସ୍ନାତକରେ ୬୦.୭% ନମ୍ବର ଆଣିଥିଲେ । କିନ୍ତୁ ସେ କେବେ ନମ୍ବରକୁ ନେଇ ନିଜର ଅଭିଳାଷାଠାରୁ ଦୂରେଇ ନଥିଲେ । ସେ ନିଜ ଆତ୍ମବିଶ୍ୱାସ ଏବଂ ଯୋଗ୍ୟତାକୁ ଚିହ୍ନି ଆଗକୁ ବଢିବା ସହ ୟୁପିଏସସି ଭଳି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

ଶ୍ରୀ ସରନ୍ ଙ୍କ ମେସେଜ୍ ପରୀକ୍ଷାରେ କୃତକାର୍ଯ୍ୟ ନ ହୋଇଥିବା ମାନସିକ ସ୍ଥିତିରେ ଦୁର୍ବଳ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଔଷଧ ଭଳି କାମ କରିଥିବା କଥା ୟୁଜର୍ସ କହିଛନ୍ତି । ସେ ନିଜ ଫେସବୁକ୍ ଆଇଡିରେ ଛାତ୍ରଛାତ୍ରୀଙ୍କୁ ଆଶା ନ ଛାଡି ଆଗକୁ ବଢିବା ପାଇଁ ଉପଦେଶ ଦେବା ସହ ଲେଖିଛନ୍ତି , ‘ ଆଜିର ସମୟରେ ଇଚ୍ଛାଶକ୍ତିର କିଛି ସୀମା ନାହିଁ ଏବଂ ଯେଉଁ ପର୍ଯ୍ୟନ୍ତ ଜଣେ ହାର୍ ନ ମାନିଛି ଆପଣଙ୍କ ସାମ୍ନାକୁ ବିକଳ୍ପ ଗୋଟିଏ ପରେ ଗୋଟିଏ ଆସିବ । କାହିଁକି ସମସ୍ତେ ସ୍କୁଲ୍ ନମ୍ବରକୁ ନିଜ ଭବିଷ୍ୟତ ନିଷ୍ପତ୍ତି କରିବାର ସୂତ୍ର ଭାବିନିଅନ୍ତି । ଏହି ଭ୍ରମରୁ ବାହାରିଯାଆନ୍ତୁ ଯେ ଗୋଟିଏ ପରୀକ୍ଷାଫଳ ହିଁ ଆପଣଙ୍କ ଜୀବନର ଶେଷ ଫଳ ।