ମାଓବାଦୀଙ୍କ ପାକିସ୍ତାନ ଲିଙ୍କ : ପାକ୍ ସେନା ବ୍ୟବହାର କରୁଥିବା ଜି-୩ ରାଇଫଲ ମିଳିବା ପରେ ଚିନ୍ତାରେ ସୁରକ୍ଷା ଏଜେନ୍ସି

235

କନକ ବ୍ୟୁରୋ : ମାଓବାଦୀଙ୍କ ପାକିସ୍ତାନ ଲିଙ୍କ । ଛତିଶଗଡ କାଙ୍କେର ଜିଲ୍ଲା ମୁର୍ନାର ଜଙ୍ଗଲରେ ଘଟିଥିବା ଏନକାଉଂଟର ପରେ ଘଟଣା ସ୍ଥଳରୁ ପାକ ସେନା ବ୍ୟବହାର କରୁଥିବା ଜି-୩ ରାଇଫଲ ମିଳିବା ପରେ ଚିନ୍ତା ରେ ସୁରକ୍ଷା ଏଜେନ୍ସି । ମାଓବାଦୀଙ୍କ ବିଦେଶୀ ଲିଙ୍କ ଥିବା ନେଇ ବାରମ୍ବାର ପ୍ରମାଣ ମିଳି ଆସୁଥିବାବେଳେ ଏବେ ଜି-୩ ଆସଲ୍ଟ ରାଇଫେଲ ମିଳିବା ପରେ ମାଓବାଦୀଙ୍କ ଆତଙ୍କବାଦୀ ସଙ୍ଗଠନ କିମ୍ବା ଆଇଏସଆଇ ଲିଙ୍କ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ଏବେ ଦେଶର ତମାମ ସୁରକ୍ଷା ଏଜେନ୍ସି ଓ ଗୁଇନ୍ଦା ବିଭାଗର ଚିନ୍ତା ବଢେଇ ଦେଇଛି ।

ସାମନାକୁ ଆସିଲା ମାଓବାଦୀଙ୍କ ପାକିସ୍ତାନ ଲିଙ୍କ୍ । ପାକ୍ ସେନା ବ୍ୟବହାର କରୁଥିବା ଜି-୩ ରାଇଫଲ ନକ୍ସଲଙ୍କଠାରୁ ମିଳିବା ପରେ ଏହା ସ୍ପଷ୍ଟ ହୋଇଛି । ଶୁକ୍ରବାର ଛତିଶଗଡ କାଂକେର ଜିଲ୍ଲା ତାଡୋକି ଥାନା ଅନ୍ତର୍ଗତ ମୁରନାର ଜଙ୍ଗଲରେ ଯବାନଙ୍କ ଗୁଳିମାଡରେ ନିହତ ଦୁଇ ମାଓବାଦୀଙ୍କ ମୃତଦେହ ସହ ୪ଟି ବନ୍ଧୁକ ଜବତ କରିଥଲେ ସୁରକ୍ଷା କର୍ମୀ । ଜବତ ହୋଇଥିବା ଏହି ବନ୍ଧୁକ ପାକିସ୍ତାନ ସେନା ବ୍ୟବହାର କରୁଥିବା ଜି-୩ ରାଇଫଲ ବୋଲି ଜଣାପଡିବା ପରେ ସୁରକ୍ଷା ଏଜେନ୍ସୀକୁ ଏହା ଚିନ୍ତାରେ ପକାଇଛି । ମାଓବାଦୀଙ୍କ ନିକଟକୁ ଏହି ବନ୍ଧୁକ କିପରି ଆସିଲା ତାହା ସୁରକ୍ଷା ଏଜେନ୍ସିକୁ ଚିନ୍ତାରେ ପକାଇଛି । ମାଓବାଦୀଙ୍କୁ କୌଣସି ଆତଙ୍କବାଦୀ ସଂଗଠନ କି ଆଇଏସଆଇ ମାରଣାସ୍ତ୍ର ଯୋଗାଇ ଦେଉଛନ୍ତି କି ସେନେଇ ଆଶଙ୍କା ସୃଷ୍ଟି ହୋଇଛି ।

କେବଳ ପାକିସ୍ତାନ ବନ୍ଧୁକ ନୁହେଁ, ପୁର୍ବରୁ ମାଓ ଶିବିରରୁ ଚିନ ନିର୍ମିତ ୱାକିଟକି, ହ୍ୟାଣ୍ଡ ଗ୍ରେନେଡ, ନାଇଟ ଭିଜନ ବାଇନୋକୁଲାର ଆଦି ମଧ୍ୟ ମିଳିଥିଲା । କୋରାପୁଟ ଜିଲ୍ଲାରୁ କିଛି ବର୍ଷ ପୂର୍ବେ ମିଳିଥିବା ବିପୁଳ ପରିମାଣର ଚାଇନା ୱାକିଟକି ସମସ୍ତଙ୍କୁ ଚକିତ କରି ଥିଲା । ସେହିପରି ଦାନ୍ତେଓାଡା ସୁକୁମା ଓ ବିଜାପୁର ଠାରେ ଚାଇନା ହ୍ୟାଣ୍ଡ ଗ୍ରେନେଡ ଓ ମାଉଜର ଓ ନାଇଟ ଭିଜନ ବାଇନୋକୁଲର ମିଳିବା ଘଟଣା କିଛି ନୁଆ ନୁହଁ । ଯାହା ମାଓ ସଙ୍ଗଠନର ବିଦେଶୀ ଲିଙ୍କ ଥିବାର ପ୍ରମାଣ ଦେଇ ଆସିଛି ।