ଓଡିଶାରେ ବନ୍ୟା ଆଣିଲା ଛତିଶଗଡ? କଲମାର ସବୁ ଗେଟ ଖୋଲିଦେଲେ ରମଣ ସରକାର, ତଳମୁଣ୍ଡରେ ବଢିଲା ବିପଦ ।

66

ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦକୁ ଉପମୁଣ୍ଡରୁ ପ୍ରଚୁର ମାତ୍ରାରେ ପାଣି ପ୍ରବେଶ କରୁଥିବାରୁ ଏଭଳି ଆଶଙ୍କା ତିଆରି ହୋଇଛି । ଖରାଦିନେ କଲମାର ସବୁ ଗେଟ ପକାଇ ରଖିଥିବା ଛତିଶଗଡ ସରକାର ବର୍ଷା ହେବାରୁ ସବୁ ଗେଟ ଖୋଲିଦେଇଛନ୍ତି । ଫଳରେ ଓଡିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି । ସିଧାସଳଖ ନହେଲେ ମଧ୍ୟ ବୁଲେଇ ବଙ୍କେଇ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ପାଇଁ ଛତିଶଗଡକୁ ଦାୟୀ କରିଛି ରାଜ୍ୟ ଜଳସଂପଦ ବିଭାଗ । ସୂଚନା ଅନୁସାରେ, କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟକୁ ଖୋଲିଦେଇଛନ୍ତି ଛତିଶଗଡ ସରକାର । ଆଉ ହୀରାକୁଦକୁ ଆସୁଥିବା ପାଣିକୁ ଆଖି ଆଗରେ ରଖି ଆସନ୍ତାକାଲି ଡ୍ୟାମର ଗେଟ ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।

ଓଡିଶାରେ ବନ୍ୟା, ଛତିଶଗଡ ଦାୟୀ?
ଯଦି ରାଜ୍ୟ ଜଳସଂପଦ ବିଭାଗର ଇଙ୍ଗିତ ବାସ୍ତବତା ବୋଲି ଜଣାପଡେ ତେବେ ଆଗାମୀ ଦିନରେ ଓଡିଶା ଉପରେ ଅଧିକ ବିପଦର ଆଶଙ୍କା ରହିଛି । କାରଣ ଖରାଦିନେ ମରୁଡି ଆଉ ବର୍ଷାଦିନେ ବନ୍ୟା ସ୍ଥିତି ସୃଷ୍ଟି କରିବ ଛତିଶଗଡ । ବିଭିନ୍ନ ଶିଳ୍ପସଂସ୍ଥା ସହ ମିଶି ମହାନଦୀର ଉପରମୁଣ୍ଡରେ ଯେଉଁ ବନ୍ଧ ବାନ୍ଧିଛନ୍ତି ରମଣ ସରକାର ସେଥିରୁ ପାଣି ନେବା ପାଇଁ ଖରାଦିନେ ଗେଟକୁ ବନ୍ଦ କରି ରଖାଯାଉଥିବାର ଅଭିଯୋଗ ଅତୀତରେ ବିଜେଡି କରିଛି । ଏପରିକି ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଥିବା ବେଳେ ଜମିକୁ ଜଳସେଚନ କମ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଥିଲା । ଯାହାକୁ ନେଇ ବଡ ରାଜନୈତିକ ଝଡ ମଧ୍ୟ ସୃଷ୍ଟି ହୋଇଥିଲା ।

ଖୋଲିଦେଲେ କଲମା ଗେଟ
ଆଉ ଏବେ କଲମା ବ୍ୟାରେଜର ପଡି ରହିଥିବା ସମସ୍ତ ଗେଟକୁ ଛତିଶଗଡ ସରକାର ଖୋଲିଦେଇଛନ୍ତି । ୬୬ଟି ଯାକ ଗେଟ ଦେଇ ହୀରାକୁଦକୁ ପାଣି ପ୍ରବେଶ କରୁଛି । ଫଳରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଆସନ୍ତାକାଲି ହୀରାକୁଦର ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ । ହୀରାକୁଦର ଜଳଧାରଣର କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ପଟୁ ପୋତି ହୋଇ ଜଳଧାରଣର କ୍ଷମତା କମିଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ହେଉଥିବା ବେଳେ ହୀରାକୁଦ ଜଳଭଣ୍ଡାର ଉପରେ ତୀକ୍ଷ୍ଣ ନଜର ରଖାଯାଇ, ବନ୍ୟାଜଳ ପରିଚାଳନା କରିବାକୁ ନିଷ୍ପତି ହୋଇଥିବା ସୂଚନା ଦିଆଯାଇଛି ।

ଛତିଶଗଡ ବଢାଉଛି ଚିନ୍ତା
କଲମା ବ୍ୟାରେଜର ୬୬ଟି ଗେଟ ଏବେ ଖୋଲାଯାଇଛି । ରାଜ୍ୟ ଅଧିକାରୀ ଛତିଶଗଡ ଅଧିକାରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଛତିଶଗଡ ଯେତେବେଳେ ସବୁ ଗେଟ ଖୋଲିଦେବ, ଅଧିକ ପାଣି ଆସିବ ଆଉ ହୀରାକୁଦରେ ଜଳଧରଣର କ୍ଷମତା ଏତେ ନାହିଁ । ହୀରାକୁଦ ତଳମୁଣ୍ଡରେ ଯେହେତୁ ଆଉ କିଛି ବ୍ୟାରେଜ ନାହିଁ, ତେଣୁ ଆଗାମୀ ଦିନରେ ଏହା ଉପରେ ଚିନ୍ତା କରାଯିବାର ଆବଶ୍ୟକତା ରହିଛି । ଯଦି ଛତିଶଗଡ ସରକାର, ରାଜ୍ୟ ସରକାରଙ୍କୁ ନଜଣାଇ ସବୁ ଗେଟ ଖୋଲିଦେବେ ତେବେ ବଡ ଧରଣର ବିପଦ ଆଶଙ୍କା ରହୁଛି । ଜଳସଂପଦ ବିଭାଗର ପ୍ରମୁଖ ସଚିବ ହୁଅନ୍ତୁ କିମ୍ବା ହୀରାକୁଦ ଡ୍ୟାମର ଅଧିକାରୀ ପ୍ରସଙ୍ଗ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଆବଶ୍ୟକ ପଡିଲେ ଗେଟ ବନ୍ଦ କରିବାକୁ ରାଜ୍ୟ ସରକାର ଛତିଶଗଡ ସରକାରଙ୍କୁ ଅନୁରୋଧ କରିବେ ।

ଓଡିଶାରେ ମଧ୍ୟମ ଧରଣର ବନ୍ୟା
ଜଳସଂପଦ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ମୁଂଡୁଳି ନିକଟରେ ୬.୨୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେଣୁ ସେମିତି ବିଶେଷ କ୍ଷତି ହେବାର ଆଶଙ୍କା ନାହିଁ । ଯେହେତୁ ପ୍ରଥମ ବନ୍ୟାଜଳ ଆସୁଛି, ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜଳସଂପଦ ବିଭାଗ ତରଫରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ଯାହା ପୂର୍ବନୁମାନ ହୋଇଛି ତାଠାରୁ ଅଧିକ ବନ୍ୟା ଆସିବାର ନାହିଁ ବୋଲି ଜଳସଂପଦ ବିଭାଗ ସ୍ପଷ୍ଟ କରିଛି ।

ରୁଲକର୍ଭ ନିୟମ ମାନିଥିଲେ ବଡ ବନ୍ୟା!
ରୁଲକର୍ଭକୁ ଯଦି ଜଳସଂପଦ ବିଭାଗ କାର୍ଯ୍ୟ କରିଥାନ୍ତା ତେବେ ୫୯୯ ଫୁଟରେ ଥିଲା ଜଳସ୍ତର ଆଉ ଆଜି ଭିୁତରେ ଏହା ୬୨୦ ଫୁଟ ହୋଇଯିବା କଥା । ୨ – ୩ ଦିନ ଭିତରେ ପାଣି ବଢିଗଲା ପାଖାପାଖି ୨୦ ଫୁଟ । ଯଦି ରୁଲ କର୍ଭକୁ ମାନିଥାନ୍ତୁ ତେବେ ତେଲ ଆଉ ଅନ୍ୟ ଅବବାହିକାରୁ ଆସୁଥିବା ପାଣି ଯୋଗୁଁ ୧୨ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାବିତ ହୋଇଥାନ୍ତା । ହୀରାକୁଦ ଗେଟ ଖୋଲିନଥିବାରୁ ମଧ୍ୟମ ଧରଣର ବନ୍ୟା ହେଉଛି, ନଚେତ ବଡ ବନ୍ୟା ଆସିଥାନ୍ତା ।

କାଲି ଖୋଲିବ ହୀରାକୁଦ ଗେଟ
ଦିଆଯାଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ବର୍ଷାର ପରିମାଣ କମୁଛି । ଯେଉଁ ପରିମାଣରେ ବନ୍ୟା ଜଳ ଏବେ ମୁଂଡୁଳି ନିକଟରେ ପ୍ରବାହିତ ହେଉଛି ତାହା ସମୁଦ୍ରରେ ମିଶିବାରେ ଅସୁବିଧା ନାହିଁ । ସେହିଭଳି ଆସନ୍ତାକାଲି ହୀରାକୁଦରେ ଗେଟ ଖୋଲିବା ବେଳେ ଯେଉଁ ଜଳ ନିଷ୍କାସନ ହେବ ତାହା ମୁଂଡୁଳି ନିକଟରେ ପହଂଚିବାକୁ ୨୪ ରୁ ୩୬ ଘଂଟା ଲାଗିବ । ଆଉ ସେହି ସମୟ ବେଳକୁ ପୂର୍ବରୁ ପ୍ରବାହିତ ଜଳ ସମୁଦ୍ରରେ ମିଶି ସାରିଥିବ । ଫଳରେ ମୁଂଡୁଳି ନିକଟରେ ବନ୍ୟାଜଳ ଆଉ ଅଧିକ ବଢିବ ନାହିଁ ।

ଏସବୁ ଜିଲ୍ଲାକୁ ସତର୍କ ସୂଚନା
ମହାନଦୀର ନିମ୍ନ ଅବବାହିକାରେ ଥିବା ଜିଲ୍ଲା ଯଥା ନୟାଗଡ, ପୁରୀ କେନ୍ଦ୍ରାପଡା, ଜଗତସିଂହପୁର କଟକ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ଯେଉଁଭଳି ରାଜ୍ୟରେ ବନ୍ୟା ସ୍ଥିତି ଆଉ ସଂକଟ ସୃଷ୍ଟି ନକରିବ ତାଉପରେ ସତର୍କ ନଜର ରଖାଯାଇଛି । ଯେହେତୁ ଅପର କ୍ୟାଚମେଂଟରେ ବର୍ଷା ହେଉଛି ତେଣୁ ହୀରାକୁଦକୁ ପଶୁଥିବା ଜଳ ଆଉ ବାହାରୁଥିବା ଜଳ ଉପରେ ଜଳସଂପଦ ବିଭାଗ ତରଫରୁ ନଜର ରଖାଯାଇଛି । ହୀରାକୁଦ ଅପରଷ୍ଟ୍ରିମରେ ୪୧ ମିମି ବର୍ଷା ହୋଇଥିବା ବେଳେ ଡାଉନଷ୍ଟ୍ରୀମରେ ୧୭ ମିମି ବର୍ଷା ରେକର୍ଡ କରାଯାଇଛି । ଛତିଶଗଡ ପଟୁ ହୀରାକୁଦକୁ ଇନଫ୍ଲୋ ବଢିବାର ଅଶଙ୍କା ରହୁଛି ତେଣୁ ଆଉଟଫ୍ଲୋକୁ କିଭଳି ନିୟନ୍ତ୍ରଣ କରାଯିବ, ତାହା ଉପରେ ନଜର ରହିଛି ।