ବଢ଼ିଚାଲିଛି ଛତିଶଗଡର ଦାଦାଗିରି ! ମହାନଦୀ ପରେ ତେଲ ନଦୀ ଉପରେ ନିର୍ମାଣ କରୁଛି ଡ୍ୟାମ୍, ପ୍ରକଳ୍ପ ହେଲେ ବୁଡିବ ନବରଙ୍ଗପୁରର ଅନେକ ଗାଁ ।

22

କନକ ବ୍ୟୁରୋ : ଛତିଶଗଡ ଦାଦାଗିରିର ଆଉ ଏକ ଫର୍ଦ୍ଦ, ତେଲନଦୀ ଉପରେ କରୁଛି ଆଉ ଏକ ପ୍ରକଳ୍ପ । ଦିନକୁ ଦିନ ଛତିଶଗଡର ଦାଦାଗିରି ବଢିବଢି ଚାଲିଛି । ଗୋଟିଏ ପରେ ଗୋଟିଏ ନଦୀରେ ବ୍ୟାରେଜ କରି ଓଡିଶାର ଚାଷ ଜମିକୁ ଜଳମଗ୍ନ କରିବା ପାଇଁ ମସୁଧା କରୁଛି ରମଣ ସିଂ ସରକାର । ମହାନଦୀ ଉପର ମୁଣ୍ଡରେ ବିଭିନ୍ନ ପ୍ରକଳ୍ପ କରି ପାଣି ଅଟକାଉଥିବା ଛତିଶଗଡ ଏବେ ତେଲନଦୀରେ ଡ୍ୟାମ୍ କାମ ଆରମ୍ଭ କରିଛି । ଯେଉଁ ଡ୍ୟାମ୍ ହେଲେ ପ୍ରଭାବିତ ହେବ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଅନେକ ଅଂଚଳ ।

ତେଲନଦୀ ବରାହି ସଂଗମ୍ ସ୍ଥଳରେ ଚାଲିଛି ଛତିଶଗଡର ପ୍ରକଳ୍ପ ନିର୍ମାଣ । ଓଡିଶା ସୀମାରେ ଓମାଡ ନାମରେ ଏକ ଡ୍ୟାମ୍ ନିର୍ମାଣ କରୁଛନ୍ତି ରମଣ ସିଂ ସରକାର । ୪୫୦ ମିଟର ଲମ୍ବର ଡ୍ୟାମର ଉଭୟ ପାଶ୍ୱର୍ ଚଉଡା ୭୫ ମିଟର ରହିବ । ସେହିଭଳି ଉଚ୍ଚତା ୨ ଦଶମିକ ୨ ମିଟର ରଖିବା ପାଇଁ ଯୋଜନା କରାଯାଇଥିବା କହିଛନ୍ତି ଡ୍ୟାମ୍ କାମ କରୁଥିବା ଠିକା ସଂସ୍ଥାର କର୍ମଚାରୀ । ସବୁଠାରୁ ବଡ କଥା ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଖପରାଡିହି ଗାଁ ଠାରୁ ମାତ୍ର ୪ଶହ ମିଟର ଦୂରରେ ଛତିଶଗଡ ୨ ମାସ ହେଲା ପ୍ରକଳ୍ପ କାମ ଚଳାଇଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ଅବଗତ ନାହିଁ ।

ତେବେ ଏହି ପ୍ରକଳ୍ପଟି ଯଦିଓ ଛତିଶଗଡ ସୀମାରେ କରାଯାଉଛି ତେବେ ଏହା ସଂପୂର୍ଣ୍ଣ ହେଲେ ପ୍ରଭାବିତ ହେବ ଚନ୍ଦାହାଣ୍ଡିର ଅନେକ ଅଂଚଳ । ଡ୍ୟାମ୍ ପାଇଁ ଓମାଡ ଆଡି ବନ୍ଧ ନିର୍ମାଣ ହେଲେ ଜଳବନ୍ଦି ହେବ ଚନ୍ଦାହାଣ୍ଡିର ଗମ୍ଭାରିଗୁଡା, ମାଲଗାଁ, ଖପରାଡିହି ଭଳି ଅନେକ ଗାଁ । ତେବେ ଏହି ପ୍ରକଳ୍ପ ନେଇ ଚିଠି ଲେଖି ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଖୁବଶୀଘ୍ର ହସ୍ତକ୍ଷେପ କରନ୍ତୁ ବୋଲି କଂଗ୍ରେସ ଚିଠିରେ ଉଲ୍ଲେଖ କରିଛି । ପୂର୍ବରୁ ତେଲନଦୀର ବିରାଲାଠିରେ ବହୁମୁଖୀ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ସର୍ଭେ କାମ ଶେଷ କରିସାରିଛି ଛତିଶଗଡ ସରକାର ।