ଆଜି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ଡ୍ରୋନ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ରଖିଛି ନଜର

ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି

68

କନକ ବ୍ୟୁରୋ : ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ ୧୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହେବ। ତନ୍ମଧ୍ୟରୁ ୧୨ଟି ଆସନ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ରହିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ୧ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଏଥିରେ ୧୨ଟି ହେଲିକପ୍ଟର ନିୟୋଜିତ ହୋଇଥିବା ବେଳେ ଡ୍ରୋନ୍ କ୍ୟାମେରାରେ ନଜର ରଖାଯାଉଛି। ଏଥର ମତଦାନ ପାଇଁ ଅଧିକ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଇଛି। ବୁଥଗୁଡ଼ିକୁ ଭୋଟର୍ ଅନୁକୂଳ କରିବା ସହ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

 

ଅଧିକାଂଶ ନିର୍ବାଚନମଣ୍ଡଳୀରେ କମିସନ୍ ପକ୍ଷରୁ ‘ସଙ୍ଗ୍ୱାରୀ’ ବୁଥ୍ ସ୍ଥାପନ କରାଯାଇଛି। ଏଭଳି ବୁଥରେ କେବଳ ମହିଳାଙ୍କୁ ନିୟୋଜିତ କରାଯାଇଛି। ପ୍ରିଜାଇଡିଂ ଅଫିସରଠୁ ନିରାପତ୍ତା କର୍ମଚାରୀ ପର୍ଯ୍ୟନ୍ତ କେବଳ ମହିଳାଙ୍କୁ ହିଁ ଦେଖିବାକୁ ମିଳିବ। ଏହାଦ୍ବାରା ଅଧିକ ମହିଳା ଭୋଟର୍ ମତ ସାବ୍ୟସ୍ତ କରିବାକୁ ଆଗେଇ ଆସିବେ ବୋଲି କମିସନ୍ ଆଶାପୋଷଣ କରିଛନ୍ତି। ନିର୍ବାଚନ ଅଧିକାରୀ ସୁବ୍ରତ ସାହୁଙ୍କ କହିବାନୁସାରେ ଏଥର ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଏକ ଅଭିନବ ପନ୍ଥା ଅବଳମ୍ବନ କରାଯାଇଛି। ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ‘ଭୋଟର୍ ସେଲ୍ଫି ଜୋନ୍’ ପ୍ରତିଷ୍ଠା କରାଯାଇଛି। ଏଠାରେ ଭୋଟ୍ ଦେବା ପରେ ଯୁବ ଭୋଟରମାନେ ସେଲ୍ଫି ନେଇ ପ୍ରତିଯୋଗିତାରେ ଭାଗନେବେ। ପ୍ରତି ନିର୍ବାଚନମଣ୍ଡଳୀରୁ ୫ଟି ଶ୍ରେଷ୍ଠ ସେଲ୍ଫି ଚୟନ କରାଯାଇ ପୁରସ୍କୃତ କରାଯିବ। ରାଜ୍ୟରେ ପ୍ରାୟ ୬୦ ପ୍ରତିଶତ ଭୋଟର ବୟସ ୧୮ରୁ ୩୯ ବର୍ଷ ମଧ୍ୟରେ ହୋଇଥିବାରୁ ସେଲ୍ଫି ପ୍ରତିଯୋଗିତା ବେଶ୍ ଫଳପ୍ରଦ ହେବ ବୋଲି ସାହୁ ଆଶାବ୍ୟକ୍ତ କରିଛନ୍ତି।

 

୮ଟି ଜିଲ୍ଲାର ଏହି ୧୮ଟି ନିର୍ବାଚନମଣ୍ଡଳୀରେ ମୋଟ ୧୯୦ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ୩୧,୭୯,୫୨୦ ଭୋଟର୍ ମତଦାନ କରିବେ। ତେବେ ୭ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ୪,୩୩୬ ବୁଥ୍ ସ୍ଥାପନ କରାଯାଇଛି। କିଛି ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୩ଟା ଏବଂ ଅନ୍ୟ ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୨୦ରେ ବଳକା ୭୨ ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ ଏବଂ ଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବ।