ଆଜି ପୁରୀ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ ବୈଠକ! ସ୍ନାନ ଯାତ୍ରା ପ୍ରସଙ୍ଗରେ ହେବ ଆଲୋଚନା

34

କନକ ବ୍ୟୁରୋ : ଆଜି ଛତିଶାନିଯୋଗ ବୈଠକ । ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ଛତିଶାନିଯୋଗର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଦଇତାପତି ନିଯୋଗ ମଧ୍ୟ ଏହି ବୈଠକରେ ଯୋଗ ଦେବେ । ମୁଖ୍ୟତଃ ସ୍ନାନ ଯାତ୍ରା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ ।

ଆସନ୍ତା ୨୮ ତାରିଖରେ ସ୍ନାନପୂର୍ଣ୍ଣିମା । ଆଉ ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରୀବିଜେ ଯାଏଁ ଦଇତା ସେବାୟତ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଗୋଟିଏ ପଟେ ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଦାନ ନ ନେବା ପ୍ରସଙ୍ଗରେ ତାତିଛନ୍ତି ଦଇତାପତି ସେବାୟତ । ଏଭଳି ସ୍ଥଳେ ଆଗକୁ ଆସୁଛି ରଥଯାତ୍ରା । ତେଣୁ ରଥଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବେ ପ୍ରଦୀପ୍ତଙ୍କ କାନ୍ଧରେ ରହିଛି । ଏସବୁ ଭିତରେ ସ୍ନାନ ପୂର୍ଣ୍ଣିମାକୁ କିଭଳି ସୁରୁଖୁରରେ ଶେଷ କରାଯିବ ସେନେଇ ଆଜିର ବୈଠକରେ ଆଲୋଚନା ହେବ ।