ପୁରୀରେ ଆଜି ଛତିଶା ନିଯୋଗ ବୈଠକ ! ସ୍ଥିର ହେବ ରତ୍ନଭଣ୍ଡାର ଖୋଲିବା ତାରିଖ

50

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପାଇଁ ଆଇନ ବିଭାଗ ଅନୁମତି ଦେବା ପରେ ଏଥିପାଇଁ ପ୍ରକ୍ରିୟା ଜୋରଦୋର ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ । ଏଥିରେ ରତ୍ନଭଣ୍ଡାର ଖୋଲିବା ତାରିଖ ନେଇ ନିଷ୍ପତି ନିଆଯିବ । ଗତକାଲି ପରିଚାଳନା କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର ଚୂଡାନ୍ତ ହୋଇଛି । ଯେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯିବ ସହ ଭିଡିଓଗ୍ରାଫି ହେବ । ଯାଂଚ ସମୟରେ କାନ୍ଥ ଓ ଛାତ ବିନା ଅନ୍ୟ କୌଣସି ଜିନିଷକୁ ଯାଇଥିବା ଲୋକେ ଛୁଇଁପାରିବେ ନାହିଁ ।

ratna bhandar

ତେବେ କେଉଁମାନେ ରତ୍ନଭଣ୍ଡାରକୁ ଯିବେ ତାହା ସ୍ଥିର ହୋଇନାହିଁ । ଏହି ତାଲିକା ଆସନ୍ତାକାଲି କିମ୍ବା କାଲି ଜଣାପଡିପାରେ । ଯେଉଁମାନେ ରତ୍ନଭଣ୍ଡାରକୁ ଯିବେ ସେମାନଙ୍କ ସ୍କାନିଂ କରାଯିବ । କୌଣସି ବ୍ୟକ୍ତିଗତ ଜିନିଷ ସେମାନେ ନେଇପାରିବେ ନାହିଁ । ଧୋତି , ଗାମୁଛାଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଦେବ । ରତ୍ନଭଣ୍ଡାର ଯାଂଚର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ତେବେ ଅଳଙ୍କାର ଓ ଅନ୍ୟ ଜିନିଷର ଭିଡିଓଗ୍ରାଫି ହେବନାହିଁ । କେବଳ ଛାତ ଓ କାନ୍ଥର ଭିଡିଓଗ୍ରାଫି ହେବ । ଭିତରରୁ ଯିବା ଲୋକଙ୍କର ସ୍କାନିଂ ଓ ଫେକ୍ସିଂ ହେବ ।

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟକୁ ନେଇ ବିଭିନ୍ନ ସମୟରେ ନାନା କଥା ଶୁଣିବାକୁ ମିଳିଥାଏ । ଏପରିକି ରତ୍ନଭଣ୍ଡାରକୁ ନେଇ ଅନେକ କାଳ୍ପନିକ ଓ ଅଲୌକିକ କାହାଣୀ ଶୁଣିବାକୁ ମିଳିଥାଏ । ରତ୍ନଭଣ୍ଡାରର ତୃତୀୟ ଓ ଚତୁର୍ଥ ଘରେ ହିଁ ସୁନା,ରୂପା, ମୋତି,ମାଣିକ ଓ ମୂଲ୍ୟବାନ ଅଳଙ୍କାର ରହିଛି ବୋଲି ଲୋକଙ୍କ ମତ । ଏପର୍ଯ୍ୟନ୍ତ ରତ୍ନ ଭଣ୍ଡାରର ତୃତୀୟ ଓ ଚତୁର୍ଥ ଘର ଖୋଲା ଯାଇ ନାହିଁ । କି ଏହାକୁ ଖୋଲିବାକୁ କେହି ସାହସ ମଧ୍ୟ କରନ୍ତି ନାହିଁ । ଲୋକକଥା ଅନୁଯାୟୀ ଏହି ଭଣ୍ଡାରଙ୍କୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗି ରହିଛନ୍ତି । ଏହାସହ ଏହି ଭଣ୍ଡାର ଘରୁ ସାପଙ୍କର ଭୟଙ୍କର ସଁ ସଁ ଶବ୍ଦ ଶୁଣିବାକୁ ମିଳେ ବୋଲି ଲୋକକଥା ରହିଛି ।

ରତ୍ନଭଣ୍ଡାରରେ ପ୍ରକୃତରେ କେତେ ପରିମାଣର ଅଳଙ୍କାର ରହିଛି । ଏହାକୁ ମୂଲ୍ୟାୟନ କରିବା ପାଇଁ ଅନେକ ସମୟରେ ଚେଷ୍ଟା କରାଯାଇଛି । କିନ୍ତୁ ଏଥିରେ କେହି ମଧ୍ୟ ସଫଳ ହୋଇନାହାନ୍ତି । ପ୍ରକୃତରେ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହାର କାହା ପାଖରେ ମଧ୍ୟ ନାହିଁ । କିନ୍ତୁ କିଛି ଗବେଷକଙ୍କ କହିବା ଅନୁଯାୟୀ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହା ଜାଣିବା ପାଇଁ ଇଂରେଜ ଅମଳରେ ଜଣେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରତ୍ନ ଭଣ୍ଡାର ଖୋଲିବା ଉଦ୍ୟମ ଆରମ୍ଭ ହେଲାପରେ ସମ୍ପୃକ୍ତ ଜିଲ୍ଳାପାଳଙ୍କ ପୁଅ କମ ବୟସରେ ମୃତ୍ୟୁ ବରଣ କରିଥିଲେ । ଏପରିକି ଜିଲ୍ଲାପାଳ ଜଣକ ରାତିରେ ଭୟଙ୍କର ସ୍ୱପ୍ନ ଦେଖିଥିଲେ । ଜିଲ୍ଲାପାଳଙ୍କୁ ବହୁ ବିପଦ ମାଡି ଆସିଲା । ଫଳରେ ରତ୍ନଭଣ୍ଡାରର ରହସ୍ୟ ଜାଣିବା ନିଷ୍ପତ୍ତିରୁ ଓହରି ଯାଇଥିଲେ ଜିଲ୍ଲାପାଳ । ତେବେ ଏହି ଲୋକକଥାରେ କେତେ ସତ୍ୟତା ରହିଛି ତାହା ଯେବେ ରତ୍ନଭଣ୍ଡାର ଖୋଲିବ ସେବେ ଜଣାପଡିବ ।