ମହାପ୍ରଭୁଙ୍କ ଭିଆଇପି ଭକ୍ତ! ପହଣ୍ଡି ବେଳେ ଶ୍ରୀଜୀଉଙ୍କୁ ସ୍ପର୍ଶ କଲେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସକ

31

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସ୍ପର୍ଶ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଟକଣା । ରଥ ସମୟରେ ଶ୍ରୀଜିଉଙ୍କୁ କୌଣସି ପରିସ୍ଥିତିରେ , କୌଣସି ଜାଗାରେ ଛୁଇଁ ପାରିବେନି ଭକ୍ତ । କେବଳ ଅଧିକୃତ ସେବାୟତ ମହାପ୍ରଭୁଙ୍କ ସେବା କରିବେ ଆଉ ସ୍ପର୍ଶ କରି ପାରିବେ । କାରଣ ଏହା ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ହାଇକୋର୍ଟଙ୍କ ନିର୍ଦେଶ । ଯାହାକୁ ନେଇ ସ୍ପର୍ଶ ପ୍ରସଙ୍ଗରେ ପ୍ରସ୍ତୁତ ହୋଇଛି ବ୍ୟବସ୍ଥାବଳୀ । ତେବେ ଗତକାଲି ମହାପ୍ରଭୁଙ୍କ ପହଣ୍ଡି ଚାଲିଥିବା ବେଳେ ମନ୍ତ୍ରୀ, ବିଧାୟକ ଓ ପ୍ରଶସକ ଏପରିକି ବିଚାରପତି ମଧ୍ୟ ଶ୍ରୀଜିଉଙ୍କୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି । ଏପରିକି ମହାପ୍ରଭୁଙ୍କୁ ସ୍ପର୍ଶ କରିଥିବା କଥା ଖୋଦ୍ ସ୍ୱୀକାର କରିଛନ୍ତି କଂଗ୍ରେସ ନେତା ।

ରଥରେ ବିଜେ କରିବା ପୂର୍ବରୁ ଚତୁର୍ଦ୍ଧାମୂର୍ତିଙ୍କୁ ଧାଡି ପହଣ୍ଡିରେ ରତ୍ନସିଂହାସନରୁ ଅଣାଯାଏ । ନାଟମଣ୍ଡପ , ବାଇଶି ପାହାଚ ଓ ସିଂହଦ୍ୱାର ଦେଇ ସେବାୟତମାନେ ପହଣ୍ଡି ବିଜେ କରାଇଥାନ୍ତି । ଗତକାଲି ନାଟମଣ୍ଡପରେ ଭାଙ୍ଗିଥିଲା ଶ୍ରୀମନ୍ଦିରର ଆଇନ୍ । ନିୟମ କାନୁନକୁ ଭାଙ୍ଗି ଶ୍ରୀଜିଉଙ୍କୁ ସ୍ପର୍ଶ କରିଥିଲେ ଆଇନ କାନୁନ୍ କରୁଥିବା ବଡବଡିଆ । ଯାହାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି ।

ଏବେ ପ୍ରଶ୍ନ ଉଠୁଛି ମହାପ୍ରଭୁ କାହାର । ସ୍ପର୍ଶର ଅଧିକାର ଯଦି ସାଧାରଣ ଭକ୍ତଙ୍କୁ ମିଳିନି ତେବେ ଭିଆଇପିଙ୍କୁ ଏ ଅଧିକାର ଦେଲା କିଏ । ପୂର୍ବରୁ ରଥ ଉପରେ ଚଢିଥିବା ସାଧାରଣ ଭକ୍ତଙ୍କୁ କୋର୍ଟ କଚେରୀରେ ଚକ୍କର କାଟିବାକୁ ପଡିଛି । ଏବେ ଭିଆଇପିଙ୍କ କ୍ଷେତ୍ରରେ ତାହା ଲାଗୁ ହେବ କି ।