ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଗଡିଲା ନନ୍ଦିଘୋଷ । ବଡ ଭାଇ ଓ ଭଉଣୀଙ୍କ ପଛରେ ମାଉସୀ ମା’ ଘର ଅଭିମୁଖେ କଳା ଠାକୁର

99

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଗଡିଲା ନନ୍ଦିଘୋଷ । ଶ୍ରୀମନ୍ଦିରର ଗମ୍ଭାରୀ ଘରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବା ପରେ ମାଉସୀ ମା’ ଘର ଅଭିମୁଖେ ବାହାରିଲେ କାଳିଆ ଠାକୁର । ବଡ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବା ପରେ ଗଡିଛି ନନ୍ଦିଘୋଷ ରଥ । ବଡଭ।।ଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପଛେ ପଛେ ମାଉସୀ ମା’ ଘରକୁ ବାହାରିଛନ୍ତି ଜଗତର ନାଥ ଜଗନ୍ନାଥ । ନନ୍ଦିଘୋଷ ରଥ ଗଡିବା କ୍ଷଣି ଭକ୍ତଙ୍କ ମଧ୍ୟରେ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ କାଳିଆ ଠାକୁର ଶ୍ରୀମନ୍ଦିର ଛାଡି ଯାଉଛନ୍ତି ମାଉସୀ ମା’ର ଘରକୁ ।

ଘଣ୍ଟୁଆଙ୍କ ଘଣ୍ଟ, ମୃଦଙ୍ଗ, ହରିବୋଲ, ହୁଳହୁଳି ଓ ନାମ ସଂକୀର୍ତ୍ତନରେ ପକ୍ରମ୍ପିତ ହୋଇ ଉଠିଛି ପୂରା ବଡଦାଣ୍ଡ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ଗଗନ,ପବନ । ଭକ୍ତି ଭାବରେ ବାନ୍ଧି ହୋଇଯାଇଛନ୍ତି ସମସ୍ତ ଭକ୍ତ । ବଡଦାଣ୍ଡରେ ଏକାକାର ହୋଇ ଯାଇଛନ୍ତି କାଳିଆର ଭକ୍ତ । କି ଧନୀ କି ଗରିବ ଜଗା ମାୟାରେ ସମସ୍ତେ ହୋଇଯାଇଛନ୍ତି ବାୟା । ଧୀରେ ଧୀରେ ମାଉସୀ ମା’ ଘର ଅଭିମୁଖେ ଯାତ୍ରା କରୁଥିବା କାଳିଆ ଠାକୁରଙ୍କୁ ମଝିରେ ମଝିରେ ବିଭିନ୍ନ ମଠ ପକ୍ଷରୁ ପନ୍ତି ଭୋଗ ଲାଗି କରାଯାଇଛି । ଏହାଛଡା ଷୋହଳାସନ ପକ୍ଷରୁ ଚୁଡାଘଷା ଓ ନଡିଆ ଭୋଗ ମଧ୍ୟ ଲାଗି କରାଯାଇଥାଏ । ପରମ୍ପରା ଅନୁଯାୟୀ, ନନ୍ଦିଘୋଷ ରଥ ଗଡିବା ବେଳେ ବଳଗଣ୍ଡି ଠାରେ ଭକ୍ତ ସାଲବେଗଙ୍କ ସ୍ମୃତିରେ କିଛି ସମୟ ପାଇଁ ଅଟକି ଯାଆନ୍ତି । ଆଉ ଏହାପରେ ପୁଣିଥରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥାନ୍ତି କାଳିଆ ଠାକୁର ।

ସୂର୍ଯ୍ୟାସ୍ତ ପରେ ରଥ ଆଉ ଆଗକୁ ଗଡିନଥାଏ । ଯେଉଁଠି ପହଞ୍ଚିଥାଏ ସେହିଠାରେ ହିଁ ନୀତିକାନ୍ତି କରାଯାଇଥାଏ । ଆଉ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ପୋଡପିଠା ଭୋଗ ଲାଗି ହୋଇଥାଏ । ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ମାଉସୀ ମା ଘରେ ରହିବା ପରେ ଶ୍ରୀମନ୍ଦିରକୁ ବାହୁଡିଥାନ୍ତି ମହାପ୍ରଭୁ ।