‘ପାର୍କିଂ ଫି’ ଆଦାୟ ବନ୍ଦ ପାଇଁ ନୋଟିସ୍ । ଆଇନ ଉଲଙ୍ଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।

430

କନକ ବ୍ୟୁରୋ: ଭୁବନେଶ୍ୱରରେ ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା । ଆଜି ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ନୋଟିସ କରିଛି । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ପାର୍କିଂ ଫି ନିଆଗଲେ , ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଡିଏ ସ୍ପଷ୍ଟ କରିଛି । ଏସବୁ ସ୍ଥାନରେ ପାର୍କି ଫି ନେବା ବେଆଇନ୍ ବୋଲି ବିଡିଏ କହିଛି । ଏଥିସହ ଆପାର୍ଟମେଂଟ୍ ଏବଂ ହାଉସିଂ ପ୍ରୋଜେକ୍ଟରେ ମଧ୍ୟ ପାର୍କିଂ ଫି ଉପରେ କଟକଣା ଲାଗିଛି ।

ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ବେଳେ ଏଥିରେ ପାର୍କିଂ ବ୍ୟବସ୍ଥା କରିବାକୁ ପୂର୍ବରୁ ବିଡିଏର ଗାଇଡଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତେବେ ଏହାକୁ ଉଲ୍ଲ୍ଂଘନ କରି କିଛି ସପିଂ ମଲ୍, ମଲ୍ଟିପ୍ଲେକ୍ସ ଏବଂ ଆପାର୍ଟମେଂଟ୍ ପାର୍କି ଫି ନେଉଥିବା ବିଡିଏ ନଜରକୁ ଆସିଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ବିଡିଏ ପାର୍କିଂ ଫି ଉପରେ କଟକଣା ଲଗାଇଛି । ଏପରିକି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏସବୁ ସ୍ଥାନରେ ପାର୍କିଂ ଫି ନିଆଗଲେ, ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ରାଜଧାନୀର କିଛି ମଲଟିପ୍ଲେକ୍ସ, ହସ୍ପିଟାଲ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ପାର୍କିଂ ଫି ନିଆଯାଉଥିବାରୁ ଲୋକେ ବାହାରେ ଗାଡି ରଖୁଥିଲେ । ଫଳରେ ଟ୍ରାଫିକ୍ ସମସ୍ୟା ବି ସୃଷ୍ଟି ହେଉଥିଲା ।  ସାଧାରଣତଃ, ମେଡିକାଲ ହେଉ ଅବା ସପିଂମଲକୁ ଗଲାବେଲେ ବାହାରେ ପାର୍କିଂର ସୁବିଧା ନଥାଏ । ଯାହାଫଳରେ ଲୋକମାନେ ବାଧ୍ୟ ହୋଇ ରାସ୍ତା ଉପରେ କିମ୍ବା କାହା ଦୋକାନ ସାମ୍ନାରେ ପାର୍କିଂ କରିଥାନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥାଏ ।