ଅର୍ଥତତ୍ୱ ମୁଖ୍ୟଙ୍କୁ ଦଣ୍ଡାଦେଶର ରାୟ ! ୧୧ଟି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଦୀପ ସେଠୀ

30

କନକ ବ୍ୟୁରୋ : ଚିଟଫଣ୍ଡ ଖଳନାୟକ ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ସର୍ବାଧିକ ୭ବର୍ଷ ଜେଲଦଣ୍ଡାଦେଶ କରି ସାରିଛନ୍ତି ଭୁବନେଶ୍ୱର ସିଜେଏମ କୋର୍ଟ । ତେବେ ଆଇପିସିର ମୋଟ୍ ୧୧ଟି ଦଫାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତୁ ଜାଣିବା କେଉଁ ମାମଲାରେ କେତେବର୍ଷ ଦଣ୍ଡାଦେଶ କରିଛନ୍ତି ସିଜେଏମ । ଆଇପିସି ୪୦୬ ଦଫା ଅର୍ଥାତ ମନ୍ଦ ଉଦ୍ଦେଶ୍ୟ ରଖି ଅନ୍ୟ ସମ୍ପତିକୁ ଆତ୍ମସାତ କରିବା ପାଇଁ ୨ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଆଇସିପି ୪୦୯ ଦଫା ଅର୍ଥାତ ଖରାପ ଉଦ୍ଦେଶ୍ୟ ରଖି ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳିବା ପାଇଁ ୭ବର୍ଷ ଜେଲଦଣ୍ଡ ଓ ୧୦ହଜାର ଜରିମାନା କରାଯାଇଛି ।

ଆଇପିସି ୪୧୧ ଅନୁଯାୟୀ ଜ୍ଞାତସାରରେ ବେଆଇନ ସମ୍ପତି ଗ୍ରହଣ କରିବା ପାଇଁ ୨ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ଆଇପିସି ୪୨୦ ଅନୁଯାୟୀ ଠକେଇ ପାଇଁ ୩ବର୍ଷ ଜେଲଦଣ୍ଡ ଓ ୧୦ହଜାର ଜରିମାନା କରାଯାଇଛି । ଆଇପିସି ୪୬୮ ଅନୁଯାୟୀ ଠକେଇ ଉଦ୍ଦେଶ୍ୟ ରଖି ଜାଲିଆତି କରିବା ପାଇଁ ୩ବର୍ଷ ଜେଲଦଣ୍ଡ ଓ ୧୦ହଜାର ଜରିମାନା କରିଛନ୍ତି କୋର୍ଟ । ସେହିପରି ଆଇପିସି ୪୭୧ ଦଫାରେ ଠକେଇ ଉଦ୍ଦେଶ୍ୟରେ କାଗଜପତ୍ର ବ୍ୟବହାର କରିବା ପାଇଁ ୧ବର୍ଷ ଜେଲଦଣ୍ଡ କରିଛନ୍ତି କୋର୍ଟ ।

ଆଇପିସି ୧୨୦(ବି) ଅନୁଯାୟୀ ଅପରାଧିକ ଷଡଯନ୍ତ୍ର ପାଇଁ ୨ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ସେହିପରି ପ୍ରାଇଜ, ଚିଟ୍ସ ଆଣ୍ଡ ମନି ସର୍କୁଲେସନ ସ୍କିମ୍ସ ବ୍ୟାନିଂ ଆକ୍ଟ ୧୯୭୮(ସେକସନ୍ ୪) ଅନୁଯାୟୀ ୨ବର୍ଷ ଜେଲଦଣ୍ଡ । ପ୍ରାଇଜ, ଚିଟ୍ସ ଆଣ୍ଡ ମନି ସର୍କୁଲେସନ ସ୍କିମ୍ସ ବ୍ୟାନିଂ ଆକ୍ଟ ୧୯୭୮(ସେକସନ୍ ୫) ଅନୁଯାୟୀ ୨ବର୍ଷ ଜେଲଦଣ୍ଡ ଓ ପ୍ରାଇଜ, ଚିଟ୍ସ ଆଣ୍ଡ ମନି ସର୍କୁଲେସନ ସ୍କିମ୍ସ ବ୍ୟାନିଂ ଆକ୍ଟ ୧୯୭୮(ସେକସନ୍ ୬) ପାଇଁ ୧ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି ସିଜେଏମ । ତେବେ ଜରିମାନା ଅନାଦେୟ ହେଲେ ୬ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ ।