୩ ବର୍ଷ ପରେ କହ୍ନେୟାଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ପୋଲିସ ! ୧୨୦୦ ପୃଷ୍ଠାର ଚାର୍ଜସିଟ ଉପରେ ଆସନ୍ତାକାଲି ଶୁଣାଣି କରିବେ କୋର୍ଟ

167

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ନାରା ଘଟଣାରେ ଆଜି ଦିଲ୍ଲୀ ପୋଲିସ ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର, ଉମର ଖାଲିଦ, ଅର୍ନିବାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ ୧୦ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ପଟିଆଲା କୋର୍ଟରେ ୧୨୦୦ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ଏମାନଙ୍କର ନାଁ ରହିଛି । ଆସନ୍ତାକାଲି ପୋଲିସ ଦାଖଲ କରିଥିବା ଚାର୍ଜସିଟ ଉପରେ ଶୁଣାଣି କରିବେ କୋର୍ଟ ।

ଜେଏନୟୁରେ ଦେଶ ବିରୋଧୀ ନାରା ଦେବା ଘଟଣାର ୩ ବର୍ଷ ପରେ ଦାଖଲ କରାଯାଇଥିବା ଚାର୍ଜସିଟରେ ଦର୍ଶାଯାଇଛି ଯେ, ଜେଏନୟୁରେ ୭ ଜଣ କାଶ୍ମୀର ଛାତ୍ର ଦେଶବିରୋଧୀ ନାରା ଦେଇଥିଲେ । ଦେଶ ବିରୋଧୀ ନାରା ଦେଇଥିବା ସମସ୍ତ ଅଭିଯୁକ୍ତଙ୍କ ସହ ଉମର ଖାଲିଦର ସର୍ମ୍ପକ ଥିଲା ଓ ସେମାନଙ୍କୁ କ୍ୟାମ୍ପସରେ ହେଉଥିବା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏହି ଅଭିଯୁକ୍ତଙ୍କ ବିରୋଧରେ ଏବେ ଆଇପିସିର ଧାରା ୧୨୪ଏ, ୧୪୭, ୧୪୯ ଓ ୧୨୦ବି ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ଚାର୍ଜସିଟରେ କହ୍ନେୟା କୁମାରଙ୍କ ବିରୋଧରେ ଦେଶ ବିରୋଧୀ ନାରା ଦେଇଥିବାର କୌଣସି ପ୍ରମାଣ ନାହିଁ । କିନ୍ତୁ ଦେଶ ବିରୋଧୀ ନାରା ଦେଉଥିବା ଛାତ୍ରଛାତ୍ରୀଙ୍କୁ କହ୍ନେୟା କୁମାର ସମର୍ଥନ ଦେଉଥିବା ଆରୋପ ଲାଗିଛି ।

ଜେଏନୟୁ ପରିସରରେ ସଂସଦ ଆକ୍ରମଣର ଅଭିଯୁକ୍ତ ଅଫଜଲ ଗୁରୁକୁ ଫାଶୀ ଦିଆଯିବା ବିରୋଧରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଛାତ୍ର ସଂଘ । ଯେଉଁଥିରେ ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଅନ୍ୟ ଛାତ୍ରନେତା ମାନେ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଦେଶବିରୋଧୀ ନାରା ଓ ଭାଷଣ ଦେଉଥିବା ଅଭିଯୋଗରେ ଏହି ଛାତ୍ର ନେତା ମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହାପରେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ କହ୍ନେୟା କୁମାରଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ତେବେ ଏହି ଘଟଣାର ଯାଞ୍ଚ କରୁଥିବା ପୋଲିସ ଅଫିସରଙ୍କ କହିବା ଅନୁଯାୟୀ, ପୋଲିସର ଭିନ୍ନ ଭିନ୍ନ ଟିମ୍ ବିଭିନ୍ନ ରାଜ୍ୟ ବୁଲି ଏହି ଘଟଣାର ତଦନ୍ତ କରିଥିଲେ । ଆଉ ଦୀର୍ଘ ୩ ବର୍ଷ ପରେ ଏବେ ଏହାର ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଛି ।