ଦିଲ୍ଲୀପଙ୍କୁ ଘେରିଲା କୋଇଲା କଳା ! କୋଲ ସ୍କାମ୍ ମାମଲାରେ ଚାର୍ଜଫ୍ରେମ କଲା ସ୍ୱତନ୍ତ୍ର ସିବିଆଇ କୋର୍ଟ

36

କନକ ବ୍ୟୁରୋ : ରାଉରକେଲା ବିଧାୟକ ତଥା ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ । କୋଇଲା ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ଆଉ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ଆସନ୍ତା ଅଗଷ୍ଟରୁ ମାମଲାର ଶୁଣାଣି ଆରମ୍ଭ ହେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜିର ଅଭିଯୋଗ ଫର୍ଦ୍ଦ ଦାଖଲ ବେଳେ ଦିଲ୍ଲୀପ କୋର୍ଟରୁମରେ ଉପସ୍ଥିତ ଥିଲେ ।

୧୯୯୮ରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ ଆବଂଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ କରୁଛି ସିବିଆଇ । ୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମାଡିଆ କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା । ଏହି କୋଇଲା ଖଣି ଆବଂଟନରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ତତ୍କାଳୀନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହ ସେତେବେଳର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ ଏବଂ ପ୍ରକଳ୍ପ ପରାମର୍ଶଦାତା ନିତ୍ୟାନନ୍ଦ ଗୌତମଙ୍କ ବିରୋଧରେ ମାମଲା ଚାଲିଛି ।

ସେପଟେ ଦିଲ୍ଲୀପ କହିଛନ୍ତି, ରାଜନୈତିକ କାରଣରୁ ୟୁପିଏ ସରକାର ଏଭଳି କରିଥିଲେ । କୋଲବ୍ଲକ କାହାକୁ ଦିଆଯିବ ତାହା ସ୍ୱତନ୍ତ୍ର ସ୍କ୍ରିନିଂ କମିଟି ନିଷ୍ପତି ନେଇଥାଏ । ସ୍କ୍ରିନିଂ କମିଟିରେ ଦିଲ୍ଲୀପ ରାୟ ନଥିବା କହିଛନ୍ତି । ତାଙ୍କ ସୁପାରିସକୁ ସିବିଆଇ ଭୁଲ ଭାବରେ ନେଇଥିଲା ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମାମଲାର ତ୍ୱରିତ ବିଚାର ପାଇଁ ସେ କୋର୍ଟଙ୍କୁ ଅନୁରୋଧ କରିଥିବା କହିଛନ୍ତି । ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱସ ଥିବା କହିଛନ୍ତି ରାଉରକେଲା ବିଧାୟକ । ବିବାଦରେ ଦିଲ୍ଲାପ ରାୟଙ୍କ ନାଁ ଆସିଥିବାରୁ ସେ ଗଭୀର ଆଘାତ ପାଇଥିବା କହିଛନ୍ତି । ଏହା ପଛରେ କିଏ ରହିଛି ତାହା ପରବର୍ତି ମୂହୁର୍ତରେ ସ୍ପଷ୍ଟ କରିବି ବୋଲି କହିଛନ୍ତି ବିଧାୟକ ଦିଲ୍ଲୀପ ରାୟ ।