ଭଦ୍ରକ : ରାଇସ ମିଲ୍ ପରିସରରେ ବସବାସ କରୁଥିବା ଆଦିବାସୀ ପରିବାରଙ୍କୁ ଉଚ୍ଛେଦ ପରେ ପ୍ରତିବାଦ ଜୋର

38

କନକ ବ୍ୟୁରୋ : ନ୍ୟାୟ ମାଗିଲେ ବାସହରା ଆଦିବାସୀ ଶ୍ରମିକ । ଏସଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଦୀର୍ଘ ବର୍ଷରୁ ଚରମ୍ପା ସ୍ଥିତ ପିପି ରାଇସ ମିଲ୍ ପରିସରରେ ବସବାସ କରୁଥିବା ଆଦିବାସୀ ପରିବାରଙ୍କୁ ଉଚ୍ଛେଦ ପରେ ଜୋର ଧରିଛି ପ୍ରତିବାଦ । ରାଇସ ମିଲରେ କାମ କରିବା ସହ କମ୍ପାନୀ ଜମିରେ ରହି ଆସୁଥିବା ୪୦ଟି ଆଦିବାସୀ ପରିବାରଙ୍କ ଘର ଗତ ମେ ୨୯ ତାରିଖରେ ଭାଙ୍ଗି ଦିଆଯାଇଥିଲା । ଏହା ସହ ରାଇସ ମିଲ୍ ମାଲିକଙ୍କ କର୍ମଚାରୀ ମାନେ ଆଦିବାସୀ ପରିବାରଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।

ବାସ ଚାଲିଯିବା ପରେ କାଳବୈଶାଖୀ ବର୍ଷାରେ ମୁଣ୍ଡ ଗୁଂଜିବାକୁ ହଇରାଣ ହରକତ ହୋଇଥିଲେ ଆଦିବାସୀ ପରିବାର । ଆଉ ଘଟଣାକୁ ନେଇ ଉଭୟ ପକ୍ଷଙ୍କ ପକ୍ଷରୁ ଗ୍ରାମାଂଚଳ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ତେବେ ଏସଡିପିଓଙ୍କ ଅଫିସ ଆଗରେ ଧାରଣା ଦେବା ସହ ତୁରନ୍ତ ଥଇଥାନ ପାଇଁ ଦାବି କରିଥିଲେ ଏହି ଆଦିବାସୀ ପରିବାର । ତେବେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ କାର୍ଯ୍ୟାଳୟରେ ଭଦ୍ରକ ମିଲର୍ସ ଆସୋସିଏସନ୍ ସହ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ବୈଠକ ହୋଇଥିଲା । ଆଉ ବାସଗୃହ ହରାଇଥିବା ୧୩ଟି ପରିବାରଙ୍କୁ ସେହି ସ୍ଥାନରେ ଅସ୍ଥାୟୀ ଭାବେ ରହିବାକୁ ପିପି ମିଲ୍ ମାଲିକ ପ୍ରତିଶ୍ରୁତି ଦେଇଥିଲେ ।